ବିହାର କ୍ୟାବିନେଟ ସମ୍ପ୍ରସାରଣ ଆଜି, ଆରଜେଡି ଭାଗରେ ୧୬ ଓ ଜେଡି(ୟୁ) ହାତରେ ୧୧ ମନ୍ତ୍ରୀ

ପାଟଣା: ନୀତୀଶ କୁମାର ବିଜେପିର ହାତ ଛାଡ଼ିବା ପରେ ବିହାର ରାଜନୀତି ସରଗରମ ହୋଇପଡିଛି। ନୀତୀଶ କୁମାର ଆରଡେଜି ସହିତ ହାତ ମିଳାଇଛନ୍ତି। ସେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୁଣି ନିଜର ସଂଖ୍ୟାଗରିଷ୍ଠତା ଦେଖାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ ହେବାକୁ ଯାଉଛି। ଏଥିରେ ଆରଜେଡିର ସିଂହଭାଗ ରହିବ ବୋଲି ସୂଚନା ମିଳିଛି। ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବ ମଙ୍ଗଳବାର ପ୍ରାୟ ସାଢ଼େ ୧୧ଟାରେ ରାଜଭବନରେ ହେବ। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇଛି।

ମହାଗଠବନ୍ଧନରେ ଆରଜେଡିର ଅଧିକ ବିଧାୟକ ଥିବାରୁ ଏହି ଦଳ ମନ୍ତ୍ରିମଣ୍ଡଳରେ ସିଂହଭାଗ ଭୂମିକାରେ ରହିବ। ୩୧ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ। ଏମାନଙ୍କ ଭିତରେ ଆରଜେଡିର ୧୬ ବିଧାୟକ ଥିବାବେଳେ ଜେଡି(ୟୁ)ର ୧୧ ବିଧାୟକ, ଏଚଏମଏମର ଗୋଟିଏ, କଂଗ୍ରେସର ୨ ଏବଂ ସ୍ବାଧୀନ ଜଣେ ବିଧାୟକ ଥିବା ସୂଚନା ମିଳିଛି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଥିବାବେଳେ ଆରଜେଡିର ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ତେବେ ନୀତୀଶ କୁମାର ଗୃହ ବିଭାଗକୁ ନିଜ ପାଖରେ ରଖିବା ଆଶା ରହିଛି। ୨୪୨ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ଆରଜେଡିର ୭୯ ସଦସ୍ୟ ଥିବାବେଳେ ବିଜେଡିର ୭୭ ସଦସ୍ୟ ଅଛନ୍ତି। ଜେଡି(ୟୁ)ର ୪୫ ଓ କଂଗ୍ରେସର ୧୯ ଏବଂ ସିପିଆଇ(ଏମଏଲ) ୧୨, ସିପିଆ ଏବଂ ଏଚଏଏମର ୪ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ଏଆଇଏମଆଇଏମର ଜଣେ ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର