୧୩ ବର୍ଷ ପରେ ବଧୂହତ୍ୟା ମାମଲାର ରାୟ: ସ୍ବାମୀକୁ ୧୦ ବର୍ଷ ଜେଲ୍

ଶାଶୂ, ଶ୍ବଶୁର, ଯାଆ ଖଲାସ୍

ବାରିପଦା: ୧୩ ବର୍ଷ ପରେ ଏକ ବଧୂହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। ବାରିପଦା ଅତିରିକ୍ତ ଜିଲ୍ଲା ଦୌରାଜଜ୍(୧) ସୁରେଶ କୁମାର ପ୍ରଧାନ ମୃତ ମହିଳାଙ୍କ ସ୍ବାମୀଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ତେବେ ପ୍ରମାଣ ଅଭାବରୁ ମହିଳାଙ୍କ ଶାଶୂ, ଶ୍ବଶୁର ଓ ଯାଆଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରି ଦେଇଛନ୍ତି। ୨୦୦୫ ମସିହାରେ ବ‌ାଲେଶ୍ବର ଜିଲ୍ଲା ସୋର ଥାନା ଗୁଜଡ଼ିହ ଗ୍ରାମର ଜୟନ୍ତୀ ମାହାନାଙ୍କ ଝିଅ ରଂଜିତା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପିଙ୍ଗୁ ଗ୍ରାମର କେଶବ ପ୍ରଧାନଙ୍କ ପୁଅ ଲମ୍ବୋଦରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।

ଦାବି ମୁତାବକ ବାହାଘର ସମୟରେ ‌ଯୌତୁକ ବି ଦିଆଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ବାପଘରୁ ଅଧିକ ୫୦ ହଜାର ଟଙ୍କା ଆଣିବାକୁ ଦାବି କରି ରଂଜିତାଙ୍କୁ ଶାଶୂଘର ଲୋକେ ନିର୍ଯାତନା ଦେଉଥିଲେ। ଗତ ୨୦୦୯ ମସିହା ସେପ୍ଟେମ୍ବର ୧୨ ତାରିଖରେ ରଂଜିତାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ମା’ ଜୟନ୍ତୀ ମାହାନା କପ୍ତିପଦା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ରଂଜିତାଙ୍କ ସ୍ବାମୀ ଲମ୍ବୋଦର, ଶାଶୂ ସରସ୍ବତୀ, ଶ୍ବଶୁର କେଶବ ଓ ଯାଆ ପ୍ରତିମାଙ୍କୁ ଗିରଫ କରିଥିଲା। ଏହି ମାମଲାରେ ୨୩ ଜଣଙ୍କ ସାକ୍ଷ୍ୟ ପ୍ରଦାନ ପରେ ଆଜି ରାୟ ଶୁଣାଇଥିଲେ ଅଦାଲତ। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାସ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର