ଭୟ ସୃଷ୍ଟି କରି ପଦ୍ମପୁର ଭୋଟ୍ ହାତେଇବା ପାଇଁ ଆୟକର, ଜିଏସ୍ଟି ଚଢ଼ାଉ: କଂଗ୍ରେସ
ଭୁବନେଶ୍ବର : ପଦ୍ମପୁର ଉପ-ନିର୍ବାଚନରେ ଭୟ ସୃଷ୍ଟି କରି ଭୋଟ୍ ହାତେଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆୟକର ଓ ଜିଏସ୍ଟି ଚଢ଼ାଉ କରିଛନ୍ତି। ନିର୍ବାଚନ ପୂର୍ବରୁ କିମ୍ବା ପରେ ଏହି ଚଢ଼ାଉ କରିଥିଲେ କୌଣସି ସନ୍ଦେହ ସୃଷ୍ଟି କରି ନ ଥାନ୍ତା। ନିଜ ନିଜର ଏଜେନ୍ସିର ଦୁରୁପଯୋଗ କରି ଭୋଟକୁ ପ୍ରଭାବିତ କରିବା ପାଇଁ ଉଭୟ ଦଳ ଚେଷ୍ଟା କରୁଛନ୍ତି। ଯାହାକି ଦୁଇ ଦଳ ପାଇଁ ବୁମେରାଂ ହେବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନ୍ଗୋ କହିଥିଲେ, ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ମନରେ ଭୟ ସୃଷ୍ଟି କରିବା ଓ ନିର୍ବାଚନୀ ଚାନ୍ଦା ଆଦାୟ ପାଇଁ ଏହି ଚଢ଼ାଉ ହୋଇଥିବା ଚର୍ଚା ହେଉଛି। ସବୁବର୍ଗର ଲୋକଙ୍କୁ ପ୍ରଭାବିତ କରି ସରକାରୀ ରାଜକୋଷରୁ ଅର୍ଥ ଦେଇ ଭୋଟ୍ ଆପଣାଇବା ଉଦ୍ୟମ ସ୍ପଷ୍ଟ ବାରି ହୋଇପଡ଼ୁଛି। ପୂର୍ବବର୍ଷଗୁଡ଼ିକରେ ମଧ୍ୟ ଶୀତ ଆସିଥିବା ବେଳେ ଚଳିତବର୍ଷ ଶୀତ ନ ହେଉଣୁ କମ୍ବଳ ବଣ୍ଟାଯାଉଛି। ରାଜ୍ୟ ନିର୍ବାଚନ ଅଧିକାରୀ ଓ କେନ୍ଦ୍ରୀୟ ନିର୍ବାଚନ କମିସନ କ’ଣ ଆଖି ବୁଜି ଦେଇଛନ୍ତି ? ନିର୍ବାଚନ ସମୟରେ ବିପୁଳ ଟଙ୍କା ଓ ମଦର ପ୍ରଚଳନ ସତ୍ତ୍ବେ ନିର୍ବାଚନ ଅଧିକାରୀ, ପୁଲିସ ଓ ଅବକାରୀ ବିଭାଗ ଚୁପ୍ ବସିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ବାଚନ ସମୟରେ ମିସନ ଶକ୍ତି ମହିଳାଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଘୋଷଣା କରାଯାଉଛି। ଏଥିପାଇଁ ନିର୍ବାଚନ କମିସନ ସମ୍ମତି ଦେଇଥିଲେ କି ? ଯଦି ନୁହେଁ ଏହା ନିର୍ବାଚନ ବିଧିବ୍ୟବସ୍ଥା ଭଙ୍ଗ କରୁନାହିଁ କି ? ୨୦୨୧ ମସିହାରେ ଚାଷୀଙ୍କ ବୀମା ବାବଦ କ୍ଷତି ଭରଣା ନ କରି ବିଜେପି ଓ ବିଜେଡି ପରସ୍ପରକୁ କାଦୁଅ ଫିଙ୍ଗୁଛନ୍ତି। ନିର୍ବାଚନ ସମୟରେ ପଦ୍ମପୁର ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ନୂତନ ଜିଲ୍ଲା ଗଠନ କରିବା ପାଇଁ ଘୋଷଣା କରିଥିଲେ। କିନ୍ତୁ ବିଧାନସଭାରେ ରାଜସ୍ବ ମନ୍ତ୍ରୀ ସରକାରଙ୍କ ନୂତନ ଜିଲ୍ଲା ସୃଷ୍ଟି କରିବାର କୌଣସି ଯୋଜନା ନ ଥିବା କହିଛନ୍ତି। ବିଜେପି ଓ ବିଜେଡି ଦଳର କାର୍ଯ୍ୟକଳାପ ତାଙ୍କ ଦୁଇ ପ୍ରାର୍ଥୀଙ୍କୁ ଦଳର ନିଷ୍ପତ୍ତି ପାଇଁ ସନ୍ଦେହ ଘେରକୁ ଠେଲି ଦେଇଛି। ଏଭଳି ସ୍ଥିତିରେ କଂଗ୍ରେସ ପ୍ରାର୍ଥୀ ଏବେ ବି ପଦ୍ମପୁରରେ ଲୋକପ୍ରିୟ ବୋଲି ଶ୍ରୀ କାନୁନ୍ଗୋ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଂଜନ ଦାଶ, ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ।