ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ନକଲି ଭିଡିଓ ବନାଇବା ମାମଲାରେ ‘ସ୍ପିରିଟ୍ ଅଫ୍ କଂଗ୍ରେସ’ର ଏକ୍ସ ଆକାଉଣ୍ଟ୍‌କୁ ପରିଚାଳନା କରୁଥିବା ତଥା ଦଳର ସୋସିଆଲ ମିଡିଆ ଜାତୀୟ ସଂଯୋଜକ ଥିବା କଂଗ୍ରେସ ନେତା ଅରୁଣ ରେଡ୍ଡୀଙ୍କୁ ୩ ଦିନିଆ ପୁଲିସ ହେପାଜତକୁ ପଠାଯାଇଛି।

ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସର ଆଇଏଫଏସଓ ୟୁନିଟ୍ ତାଙ୍କୁ ଗିରଫ କରିବା ପରେ ୩ ଦିନିଆ ହେପାଜତକୁ ପଠାଯାଇଥିବା ସୂଚନା ରହିଛି। ଶାହାଙ୍କର ନକଲି ଭିଡିଓରେ ଦେଖିବାକୁ ମିଳିଥିଲା ଯେ ସେ ବିଜେପି ଦେଶର ସଂରକ୍ଷଣ ବ୍ୟବସ୍ଥା ବିରୋଧୀ ବୋଲି କହୁଛନ୍ତି।

ତେବେ ବାସ୍ତବରେ କଂଗ୍ରେସ ଶାସିତ ତେଲେଙ୍ଗାନାରେ ଏକ ସାଧାରଣ ସଭାରେ ତାଙ୍କ ଅଭିଭାଷଣରେ ଅମିତ ଶାହା କହିଛନ୍ତି, “ଯଦି ବିଜେପି ଏଠାରେ ସରକାର ଗଠନ କରେ, ତେବେ ଆମେ ମୁସଲମାନମାନଙ୍କ ପାଇଁ ଅସାମ୍ବିଧାନିକ ସଂରକ୍ଷଣ ପ୍ରତ୍ୟାହାର କରିବୁ। ଆମେ ନିଶ୍ଚିତ କରିବୁ ଯେ ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗର ଲୋକ ସମ୍ବିଧାନ ଅନୁଯାୟୀ କୋଟା ପ୍ରାପ୍ତ କରନ୍ତୁ।’’

ତେବେ ଅରୁଣଙ୍କ ଗିରଫଦାରୀକୁ ନେଇ ତେଲେଙ୍ଗାନା କଂଗ୍ରେସ ଦାୟିତ୍ୱରେ ଥିବା ସାଂସଦ ମାଣିଚକାମ ଟାଗୋର ଅଭିଯୋଗ କରିଛନ୍ତି ଯେ ଏହି ଗିରଫ କେନ୍ଦ୍ର ସରକାରଙ୍କ କ୍ଷମତାର ଅପବ୍ୟବହାର।

ଏକ୍ସ ପେଜ୍‌ରେ ଏକ ପୋଷ୍ଟରେ ଟାଗୋର କହିଛନ୍ତି ଯେ “ଆମର ତେଲେଙ୍ଗାନା ସହକର୍ମୀ ଅରୁଣ ରେଡ୍ଡୀଙ୍କୁ ଏଫ୍‌ଆଇଆର୍‌ ବିନା ଗିରଫ କରାଯାଇଛି।  ଆମେ ଅରୁଣଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରୁଛୁ। ଶାସନ କ୍ଷମତା ବଳରେ ଏପରି କରିବା ନିନ୍ଦନୀୟ।’’

ମଙ୍ଗଳବାର ଦିନ ଦିଲ୍ଲୀ ପୁଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍ସ (ଆଇଏଫଏସଓ) ୟୁନିଟ୍ ସାତରୁ ଆଠଟି ରାଜ୍ୟର ୧୬ ଜଣ ବ୍ୟକ୍ତିଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନେଇ ହୋଇଥିବା ନକଲି ଭିଡିଓ ପ୍ରସଂଗରେ ସମନ ଜାରି କରିଛି।

ସମ୍ବନ୍ଧିତ ଖବର