ସତ୍ୟଯୁଗରେ ଅଦିତି, ତ୍ରେତାଯୁଗରେ କୌଶଲ୍ୟା ଏବଂ ଦ୍ୱାପରଯୁଗରେ ଦେବକୀ ଓ ଯଶୋଦା ଭଗବାନଙ୍କର ମାତା ଥିଲେ। ଅଦିତି ଥିଲେ ଭଗବାନ ବିଷ୍ଣୁଙ୍କ ବାମନାବତାରର ମାତା ଏବଂ କୌଶଲ୍ୟା ଥିଲେ ତାଙ୍କ ରାମାବତାରର ମାତା। ସେହିପରି, ଦ୍ୱାପରଯୁଗରେ ଦେବକୀ ଥିଲେ ଭଗବାନ ଶ୍ରୀକୃଷ୍ଣଙ୍କର ମାତା ଏବଂ ଯଶୋଦା ତାଙ୍କର ପାଳିକାମାତାର ଗୌରବ ଲାଭ କରିଥିଲେ।
‘କାମାକ୍ଷୀ ବ୍ରତ’ ନାମରେ ଗୋଟିଏ ବ୍ରତ ଅଛି। ସେହି ବ୍ରତକଥା ସାରଳା ମହାଭାରତରେ ବର୍ଣ୍ଣିତ ହୋଇଛି। ସେଥିରେ ଅଛି ଦେବକୀ ଓ ଯଶୋଦାଙ୍କ କଥା। ଦିନେ ଦୁହେଁ ଦ୍ୱାରକାରେ ବସିଥିବା ବେଳେ ଦେବର୍ଷି ନାରଦ ସେଠାରେ ଆସି ପହଞ୍ଚିଲେ। ଦୁହେଁ ଦେବର୍ଷିଙ୍କୁ ପାଦ୍ୟ, ଅର୍ଘ୍ୟ ଦେଇ ପ୍ରଣାମ କଲେ ଏବଂ ଦେବର୍ଷି ସେମାନଙ୍କୁ ‘ମାହେଶ୍ୱରୀ’ ବୋଲି ସମ୍ବୋଧନ କଲେ। ନାରଦ ତାଙ୍କୁ କହିଲେ- ପୂର୍ବଜନ୍ମର ବହୁ ତପସ୍ୟା ଫଳରେ ତୁମ୍ଭେ ଏ ଜନ୍ମରେ ଶ୍ରୀକୃଷ୍ଣଙ୍କର ମାତା ହୋଇଛ।
ତାହା ଶୁଣି ଯଶୋଦା ପଚାରିଲେ- ଏ ଜନ୍ମରେ କ’ଣ କଲେ ଆମେ ଜନ୍ମେ ଜନ୍ମେ ଭଗବାନଙ୍କର ଜନନୀ ହୋଇ ପାରିବୁ? ଉତ୍ତରରେ ନାରଦ ତାଙ୍କୁ ‘କାମାକ୍ଷୀ ବ୍ରତ’ କଥା କହିବା ସହିତ, ବ୍ରତର ବିଧାନ ବତାଇ ଦେଲେ।
‘କାମାକ୍ଷୀ ବ୍ରତ’ ଏକ ଯୋଗଜ ବ୍ରତ। କାରଣ, ମାଘମାସ ଗୁରୁବାରରେ କୃଷ୍ଣ ତ୍ରୟୋଦଶୀ ତିଥି ପଡ଼ିଲେ ଏବଂ ସେଦିନ ପୁଷ୍ୟା ନକ୍ଷତ୍ର ଯୋଗ ଥିଲେ ଏହି ବ୍ରତ ହୁଏ। ଏହାର ଅନ୍ୟ ନାମ କୃଷ୍ଣ ଗଉରୀ ବ୍ରତ।
ସାରଳା ମହାଭାରତର ବର୍ଣ୍ଣନା ଅନୁସାରେ, ଏଥିରେ ଅପୋଡ଼ା ଭୂମିରେ ଯଜ୍ଞଶାଳା ନିର୍ମାଣ କରି, ଷୋହଳ ଦିନ ଧରି ନିର୍ଦ୍ଦିଷ୍ଟ ବିଧିରେ ଆହୁତି ଦିଆଯାଏ।
ଏଥିରୁ ଏହା ଏକ ଯଜ୍ଞ ବୋଲି ଜଣାଯାଏ।
ଏବେ ଓଡ଼ିଶାରେ ଏ ବ୍ରତ ପାଳନ ହେଉନାହିଁ। ମାତ୍ର ଏଥିରେ ଅଛି
ଜନ୍ମେ ଜନ୍ମେ ଭଗବାନଙ୍କର ଜନନୀ ହେବାର ଅଭୀପ୍ସା।
Sambad is now on WhatsApp
Join and get latest news updates delivered to you via WhatsApp
‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :-
[email protected]