ଭୁବନେଶ୍ବର : ସହରାଞ୍ଚଳରେ ଥିବା କଚ୍ଚା ଓ ଡବ୍ଲୁବିଏମ୍ ରାସ୍ତାର ନବୀକରଣ କରାଯିବ। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ‘୫-ଟି’ ଅଧୀନରେ ରୂପାନ୍ତରଣ କରି ସମସ୍ତ କଚ୍ଚା ଓ ଡବ୍ଲୁବିଏମ୍ ରାସ୍ତାକୁ ପକ୍କା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ମର୍ମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ୍ ସମସ୍ତ ପୌରସଂସ୍ଥାକୁ ଚିଠି ଲେଖିଛନ୍ତି। କେଉଁ ପୌରାଞ୍ଚଳରେ କି ପ୍ରକାରର କେତେ ଲମ୍ବାର ରାସ୍ତା ରହିଛି ତାହାର ହିସାବ ଏକ ସ୍ବତନ୍ତ୍ର ଫର୍ମାଟ୍ରେ ପ୍ରଦାନ କରିବାକୁ କୁହାଯାଇଛି। ଅଗ୍ରାଧିକାର ଭିତ୍ତିରେ କଚ୍ଚାରାସ୍ତାକୁ ନିଆଯାଉଛି। ଏହା ପରେ କ୍ରମାନ୍ବୟରେ ଡବ୍ଲୁବିଏମ୍ ଲେନ୍, ବାଇ ଲେନ୍, ଗଳି ରାସ୍ତାମାନଙ୍କୁ ଅପ୍ଗ୍ରେଡ୍ କରାଯିବାକୁ ଯୋଜନା ହୋଇଛି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ମୁତାବକ, ପ୍ରତ୍ୟେକ ପୌରସଂସ୍ଥା ନିଜ ନିଜ ସ୍ତରରେ ସର୍ଭେ କରି ରାସ୍ତାଗୁଡ଼ିକର ତାଲିକା ପ୍ରସ୍ତୁତ କରିବେ। ରାସ୍ତାର ବିବରଣୀ ସହ ‘ଜିଓ କୋଅର୍ଡିନେଟ୍’ କରିବେ। ରାସ୍ତା ପାଇଁ କେତେ ଖର୍ଚ୍ଚ ହେବ ତାହା ମଧ୍ୟ ହିସାବ କରିବେ। ‘ଉନ୍ନତି’ ଯୋଜନାରେ ଏଥିରେ ଅର୍ଥ ଖର୍ଚ୍ଚ ହେବ। ଟେଣ୍ଡର ପାଇଁ ଚିଠା ନଥି ଖୁବ୍ଶୀଘ୍ର ସମସ୍ତ ପୌରାଞ୍ଚଳକୁ ପଠାଯିବ। ମେ ୫ ତାରିଖ ସୁଦ୍ଧା ଏହି ଅଟକଳ ବିଭାଗକୁ ପଠାଇବା ପାଇଁ ପୌରସଂସ୍ଥାମାନଙ୍କୁ କୁହାଯାଇଛି।