ଅକ୍ଷୟ ଶକ୍ତିରେ ୯୦୦ କୋଟି ନିବେଶ: ସିଙ୍ଗଲ ୱିଣ୍ଡୋ ବୈଠକରେ ମଞ୍ଜୁରି

୧୦୨ ମେଗାୱାଟ୍‌ର ସୌର, ପବନ ଶକ୍ତି ପ୍ରକଳ୍ପ

ଭୁବନେଶ୍ୱର: : ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଳ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷଷ୍ଠ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ମୋଟ ୧୦୨. ୨ ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଆସିଥିବା ୯୦୩.୪୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଅନୁମୋଦନ ପ୍ରଦାନ କରାଯାଇଛି। ସବୁଜ ଶକ୍ତି ପ୍ରକଳ୍ପ ସ୍ଥାପନ ଉଦେଶ୍ୟରେ ଉତ୍ସର୍ଗୀକୃତ ଏହି ଅର୍ଥ ବିନିଯୋଗ ପ୍ରଦୂଷଣ ହ୍ରାସ ଲାଗି ରାଜ୍ୟ ସରକାରଙ୍କ ଦୃଢ ପ୍ରତିବଦ୍ଧତାକୁ ଦର୍ଶାଉଛି ।

ବୈଠକରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଏଚ୍‌ପିସିଏଲ୍ ରିନୁଏବଲ୍ ଆଣ୍ଡ୍ ଗ୍ରିନ୍‌ ଏନର୍ଜି ଲିମିଟେଡ୍‌ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ସ୍ଥାପିତ ହେବାକୁ ଥିବା ୪୮ ମେଗାୱାଟ କ୍ଷମତା ସମ୍ପନ୍ନ ପବନ ଶକ୍ତି ପ୍ରକଳ୍ପ ଓ ଓଏନ୍‌ଜିସି ତ୍ରିପୁରା ପାୱାର୍ କମ୍ପାନି ଲିମିଟେଡ୍ ପକ୍ଷରୁ ପୁରୀ ଜିଲ୍ଲା ଅସ୍ତରଙ୍ଗଠାରେ ସ୍ଥାପିତ ହେବାକୁ ଥିବା ୪୯.୫ ମେଗାୱାଟ କ୍ଷମତା ସମ୍ପନ୍ନ ପବନ ଶକ୍ତି ପ୍ରକଳ୍ପ। ଏହି ଦୁଇଟି ପ୍ରକଳ୍ପ ନିମନ୍ତେ ମୋଟ୍‌ ୮୮୧.୨୮ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ।

ସୌର ଶକ୍ତି କ୍ଷେତ୍ରରେ ଭିଶାଖା ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ପକ୍ଷରୁ ସମ୍ବଲପୁରର ମାନେସରଠାରେ ୦.୭୨ ମେଗାୱାଟ୍ କ୍ଷମତା ସମ୍ପନ୍ନ ସୌର ପ୍ରକଳ୍ପ, ଆଇଟିସି ଲିମିଟେଡ୍ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ୦.୮ମେଗାୱାଟ୍ କ୍ଷମତା ସମ୍ପନ୍ନ ସୌର ପ୍ରକଳ୍ପ, ଆମ୍ପ୍ ଏନର୍ଜି ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା କାଂଶବାହାଲ ଠାରେ ୨.୨ ମେଗାୱାଟ୍ କ୍ଷମତା ସମ୍ପନ୍ନ ସୌର ପ୍ରକଳ୍ପ ଏବଂ ଓଡ଼ିଶା ଟେଲିଭିଜନ ଲିମିଟେଡ୍‌ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ସାରୁଅଠାରେ ୧ ମେଗାୱାଟ୍ କ୍ଷମତା ସମ୍ପନ୍ନ ସୌର ପ୍ରକଳ୍ପ ସ୍ଥାପିତ କରିବା ନିମନ୍ତେ ହୋଇଥିବା ପୁଞ୍ଜିନିବେଶକୁ ଆଜି କମିଟି ଅନୁମୋଦନ କରିଛି। ଏହି ସୌର ଶକ୍ତି ପ୍ରକଳ୍ପ ଗୁଡ଼ିକ ନିମନ୍ତେ ମୋଟ ୨୨.୧୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଉଲ୍ଲେଖଯୋଗ୍ୟ, ଶକ୍ତି ବିଭାଗର ସିଙ୍ଗଲ୍ ୱିଣ୍ଡୋ କମିଟି ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୪୯୯.୪୮ ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ମୋଟ ୩୭୨୩ .୫୭ କୋଟି ଟଙ୍କା ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛି।

ସମ୍ବନ୍ଧିତ ଖବର