ନିର୍ମଳାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ଭୁବନେଶ୍ବର: ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ନର୍ଥ ବ୍ଲକ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଛନ୍ତି। ସେମାନେ ରାଜ୍ୟର ବିକାଶ ଲାଗି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବା ପୂର୍ବରୁ ୨ ମାସର ଖର୍ଚ୍ଚ ଲାଗି ଆଉ ଏକ କାମଚଳା ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବାରୁ ଏହି ସାକ୍ଷାତକୁ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି। କେନ୍ଦ୍ର ସରକାର ଜୁଲାଇ ଶେଷ ଆଡ଼କୁ ୨୦୨୪-୨୫ର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଏହି ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟ ସରକାର ନିଜର ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବେ।

ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ଦିଆଯାଇଥିବା ନିର୍ବାଚନ ପ୍ରତିଶ୍ରୁତିଗୁଡ଼ିକର ପ୍ରତିଫଳନ ବଜେଟ୍‌ରେ ରହିବ ବୋଲି ଆଶା କରାଯାଉଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରତିଶ୍ରୁତି ହେଉଛି ଚାଷୀମାନଙ୍କୁ ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ କରିବା। ଯେହେତୁ କେନ୍ଦ୍ର ସରକାର ଧାନର ଏମ୍ଏସ୍‌ପିକୁ ୨୩୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି, ତେଣୁ ରାଜ୍ୟ ସରକାରଙ୍କୁ ଏବେ ୮୦୦ ଟଙ୍କାର ବୋନସ୍‌ ଦେବାକୁ ପଡ଼ିବ। ଏହା ବ୍ୟତୀତ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର୍‌ ଦେବା ମଧ୍ୟ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଫାଙ୍କା ଥିବା ସରକାରୀ ଚାକିରି ପୂରଣ କରିବାକୁ ମଧ୍ୟ ବିଜେପି ପ୍ରତିଶ୍ରୁତି ଦେଇଥିଲା। ଏହି ସବୁ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରିବା ଲାଗି ବିପୁଳ ପରିମାଣର ପାଣ୍ଠି ଆବଶ୍ୟକ। ନିକଟରେ ଅନୁଷ୍ଠିତ ହୋଇଥିବା ଏକ ପ୍ରାକ୍ ବଜେଟ୍ ଆଲୋଚନା ବେଳେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ରାଜ୍ୟର ଦାବିଗୁଡ଼ିକୁ ଉପସ୍ଥାପନ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କ ଉପସ୍ଥିତିରେ ସେ ନେଇ ଆଲୋଚନା ହୋଇଥାଇପାରେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର