ଓଡ଼ିଶା ଆସିବାକୁ ‘ମାରୁତି ଇସ୍ପାତ’ର ଯୋଜନା: ଛତିଶଗଡ଼ ବି ଯାଇପାରେ

ଭୁବନେଶ୍ବର: ଖଣିଜ ସମ୍ପଦରେ ଭରପୁର ଓଡ଼ିଶା ଧାତବ କମ୍ପାନିଗୁଡ଼ିକ ଲାଗି ସର୍ବଦା ଆକର୍ଷଣୀୟ ସ୍ଥାନ ହୋଇରହିଛି। ସେଥିପାଇଁ ଏହା ବିଶ୍ବର ପ୍ରମୁଖ ଧାତବ କମ୍ପାନିଗୁଡ଼ିକୁ ଆକୃଷ୍ଟ କରିପାରିଛି। ‌ସେହି କମ୍ପାନିଗୁଡ଼ିକର ଏକ ଲମ୍ବା ତାଲିକା ରହିଛି। ସେହି ତାଲିକାରେ ହାଇଦ୍ରାବାଦର ‘ମାରୁତି ଇସ୍ପାତ ଆଣ୍ଡ ପାଇପ୍‌ସ ପ୍ରାଇଭେଟ୍ ଲିମିଟେଡ୍‌’ର ନାମ ଯୋଡ଼ି ହେବାକୁ ଯାଉଛି। ମାଧ୍ୟମିକ ଇସ୍ପାତ ଉତ୍ପାଦନ କରୁଥିବା ଦକ୍ଷିଣ ଭାରତର ଏହି କମ୍ପାନି ଓଡ଼ିଶାରେ ଏକ ନୂଆ କାରଖାନା ସ୍ଥାପନ କରିବା ଉପରେ ବିଚାର କରୁଛି। କମ୍ପାନିର ସିଇଓ ଅଭିଷେକ ଅଗ୍ରୱାଲ୍ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ କମ୍ପାନି ଏକ ୨.୫ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି। ଶ୍ରୀ ଅଗ୍ରୱାଲ୍ ସୂଚନା ଦେଇଛନ୍ତି ଯେ ମାରୁତି ଇସ୍ପାତ ଦୁଇଟି ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି। ସେଥିରୁ ଗୋଟିଏ ଓଡ଼ିଶା କିମ୍ବା ଛତିଶଗଡ଼ରେ ସ୍ଥାପନ କରାଯିବ। ଅନ୍ୟ କାରଖାନାକୁ କମ୍ପାନି ଉତ୍ତରପ୍ରଦେଶର ଗାଜିଆବାଦରେ ସ୍ଥାପନ କରିବ। ମାରୁତି ଇସ୍ପାତର ନୂଆ କାରଖାନା ଓଡ଼ିଶା ଆସିବ ନା ଛତିଶଗଡ଼ ଚାଲିଯିବ ତାହା ଆଗାମୀ ଦିନରେ ଜଣାପଡ଼ିବ।

କମ୍ପାନିର ଆନ୍ଧ୍ରପ୍ରଦେଶସ୍ଥିତ କୁର୍ଣ୍ଣୁଲରେ ୩୦୦ ଏକର ଜମିରେ ଏକ କାରଖାନା ରହିଛି। ଆସନ୍ତା ପାଞ୍ଚ ବର୍ଷରେ ଉତ୍ପାଦନ କ୍ଷମତାକୁ ୬ ଲକ୍ଷ ଟନ୍ ପର୍ଯ୍ୟନ୍ତ ବଢ଼ାଇବା ଲାଗି କମ୍ପାନି ୨୦୦୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। କମ୍ପାନି ଏହାର ଆନ୍ଧ୍ରପ୍ରଦେଶ କାରଖାନାର ଉତ୍ପାଦନ କ୍ଷମତାରେ ୪ ଲକ୍ଷ ଟନ୍‌ ବୃଦ୍ଧି ଆଣିବ। ସମ୍ପ୍ରସାରଣ ଲାଗି କମ୍ପାନି ବିଭିନ୍ନ ଉତ୍ସରୁ ପାଣ୍ଠି ଯୋଗାଡ଼ କରିବ। ଆସନ୍ତା ଆର୍ଥିକ ବର୍ଷରେ ଏହା ଇନିସିଆଲ୍‌ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ ଷ୍ଟକ୍ ବଜାରରୁ ୪୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। ୨୦୨୬ ସୁଦ୍ଧା ଏହା ଏକ ତାଲିକାଭୁକ୍ତ କମ୍ପାନିରେ ରୂପାନ୍ତରୀତ ହେବାକୁ ଚାହୁଛି।

ସମ୍ବନ୍ଧିତ ଖବର