କେବଳ ଏୟାରଟେଲ୍‌ କିଣିଲା ୫ଜି ସ୍ପେକ୍ଟ୍ରମ୍: ଚାରିଟି ବ୍ୟାଣ୍ଡ୍‌ରେ ଆସିଲାନି ଗୋଟିଏ ବି ବିଡ୍‌

ଭୁବନେଶ୍ବର: କେନ୍ଦ୍ର ସରକାର ଗତକାଲି ଆରମ୍ଭ କରିଥିବା ୯୬ ହଜାର କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ୍ ନିଲାମ ମାତ୍ର ଦେଢ଼ ଦିନରେ ୭ ରାଉଣ୍ଡରେ ଶେଷ ହୋଇଛି। ଟେଲିକମ୍ ବିଭାଗ ସୂଚନା ଅନୁସାରେ ଓଡ଼ିଶାରେ କେବଳ ଭାରତୀ ଏୟାରଟେଲ୍‌ ସ୍ପେକ୍ଟ୍ରମ୍ କିଣିବା ଲାଗି ବିଡ୍ ଦାଖଲ କରିଥିଲା। ଏହା ୯୦୦ ମେଗାହର୍ଜ ଓ ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ବିଡ୍‌ ଦାଖଲ କରି ସ୍ପେକ୍ଟ୍ରମ୍ ହାସଲ କରିଛି। ଓଡ଼ିଶାରେ କମ୍ପାନିର ସ୍ପେକ୍ଟ୍ରମ୍ ନବୀକରଣ କରିବା ଅପରିହାର୍ଯ୍ୟ ହୋଇପଡ଼ିଥିଲା। କାରଣ ପୁରୁଣା ସ୍ପେକ୍ଟ୍ରମ୍‌ର ଅବଧି ଶେଷ ହେବାକୁ ଯାଉଥିଲା। ସେବା ଜାରି କରିବା ଲାଗି କମ୍ପାନିକୁ ନିଶ୍ଚିତ ସ୍ପେକ୍ଟ୍ରମ୍ ଦରକାର ହେଉଥିଲା। ସେଥିପାଇଁ ଏକମାତ୍ର କମ୍ପାନି ଭାବେ ଓଡ଼ିଶା ଲାଗି ଏହା ସ୍ପେକ୍ଟ୍ରମ୍ କିଣିଛି। ସ୍ପେକ୍ଟ୍ରମ ହେଉଛି ସେହି ରେଡିଓ ତରଙ୍ଗ ଯାହା ଜରିଆରେ ମୋବାଇଲ୍‌ ସେବା ପ୍ରଦାନ କରାଯାଉଛି। ଏହାର ମାଲିକାନା ଭାରତ ସରକାରଙ୍କ ପାଖରେ ରହିଛି। ତାହାକୁ ନିଲାମ ଜରିଆରେ ବିଭିନ୍ନ କମ୍ପାନିକୁ ଯୋଗାଇ ଦିଆଯାଉଛି।

ଚଳିତ ବର୍ଷର ନିଲାମକୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ଓଡ଼ିଶା ପାଇଁ ଯେତିକି ବ୍ଲକ୍ ଉପଲବ୍ଧ ଥିଲା ସେଥିରୁ ଅଧିକାଂଶ ବ୍ଲକ୍ ପାଇଁ ଗୋଟିଏ ବି ବିଡ୍‌ ଆସିନଥିଲା। ୨୬ ଗିଗାହର୍ଜ, ୮୦୦ ମେଗାହର୍ଜ ୨୧୦୦ ମେଗାହର୍ଜ ଓ ୩୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ବିଡ୍‌ ସଂଖ୍ୟା ଶୂନ ଥିଲା। ରାଜ୍ୟ ପାଇଁ ଏୟାରଟେଲ୍‌ କିଣିଥିବା ୯୦୦ ମେଗାହର୍ଜ ସ୍ପେକ୍ଟ୍ରମ୍‌ର ବ୍ଲକ୍‌ ପିଛା ଦାମ୍ ୧୨.୮ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏଥିରେ ୨୫ଟି ବ୍ଲକ୍‌ ନିଲାମ ହୋଇଥିବା ବେଳେ ୭ଟି ବ୍ଲକ୍ ଫାଙ୍କା ରହିଛି। ସେହିପରି ୧୮୦୦ ମେଗାହର୍ଜରେ କେବଳ ୫ଟି ବ୍ଲକ୍‌ର ନିଲାମ ସମ୍ଭବ ହୋଇଥିବା ବେଳେ ୩୯ଟି ବ୍ଲକ୍ ଫାଙ୍କା ରହିଛି। ଏହି ବ୍ୟାଣ୍ଡ୍‌ରେ ବ୍ଲକ୍ ପିଛା ଦାମ୍ ୭.୮ କୋଟି ଟଙ୍କା ଥିଲା। ଯେହେତୁ ରାଜ୍ୟରେ ନିଲାମ ହୋଇଥିବା ସବୁ ବ୍ଲକ୍‌କୁ କେବଳ ଏୟାରଟେଲ୍‌ କିଣିଛି, ତେଣୁ ହିସାବ ଅନୁସାରେ ଏହା ରାଜ୍ୟରେ ସ୍ପେକ୍ଟ୍ରମ୍ କିଣିବାରେ ୩୫୯ କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଇପାରିବ। ଓଡ଼ିଶାରେ ଏୟାରଟେଲ୍‌ର ୧୯ ଲକ୍ଷରୁ ଅଧିକ ୫ଜି ଗ୍ରାହକ ରହିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲା‌ରେ କମ୍ପାନି ୫ଜି ସେବା ପ୍ରଦାନ କରୁଛି।

ସାରା ଦେଶରେ ଭୋଡାଫୋନ୍ ଆଇଡିଆ ୧୧ଟି ସର୍କଲ୍‌ରେ ସ୍ପେକ୍ଟ୍ରମ୍ କିଣିଛି। ସେଥିରେ ଓଡ଼ିଶାର ନାମ ନାହିଁ। ତେଣୁ ଏହି କମ୍ପାନିର ୫ଜିକୁ ନେଇ ଯେଉଁ ଯୋଜନା ରହିଛି ସେଥିରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାକୁ ବିଚାରକୁ ନିଆଯାଇନାହିଁ ବୋଲି କୁହାଯାଇପାରିବ। ସେହିପରି ଜିଓ କେବଳ ବିହାର ଓ ପଶ୍ଚିମବଙ୍ଗରେ ସ୍ପେକ୍ଟ୍ରମ୍ କିଣିଛି। ସର୍ବଭାରତୀୟ ସ୍ତରରେ ୫ଜି ସ୍ପେକ୍ଟ୍ରମ୍ ନିଲାମରୁ କେନ୍ଦ୍ର ସରକାର ୧୧,୩୦୦ କୋଟି ଟଙ୍କା ପାଇଛନ୍ତି। ସ୍ପେକ୍ଟ୍ରମ୍ କିଣିବାରେ ଏୟାରଟେଲ୍‌ ୬,୮୫୭ କୋଟି ଟଙ୍କା, ଭୋଡାଫୋନ୍ ଆଇଡିଆ ୩୫୧୦ କୋଟି ଟଙ୍କା ଓ ରିଲାଏନ୍ସ ଜିଓ ୯୭୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଗତଥର ସ୍ପେକ୍ଟ୍ରମ୍ ନିଲାମ ବେଳେ ରିଲାଏନ୍ସ ଜିଓ ବିପୁଳ ସ୍ପେକ୍ଟ୍ରମ୍ କିଣିଥିଲା। କୌଣସି ଟେଲିକମ୍ ସର୍କଲ୍‌ରେ ଏହାର ସ୍ପେକ୍ଟ୍ରମ୍ ନବୀକରଣ ହେବାର ନାହିଁ। ସେଥିପାଇଁ ଏହି ସଂସ୍ଥା ଅଳ୍ପ ପରିମାଣର ସ୍ପେକ୍ଟ୍ରମ୍ କିଣିଛି। ନିଲାମ ପୂର୍ବରୁ କିନ୍ତୁ ଜିଓ ସର୍ବାଧିକ ୩୦୦୦ କୋଟି ଟଙ୍କା ଜମା କରିଥିଲା ଯାହା ଭାରତୀ ଏୟାରଟେଲ୍‌ ଜମା କରିଥିବା ରାଶିର ତିନି ଗୁଣା ଏବଂ ଭୋଡାଫୋନ୍‌ ଆଇଡିଆ ଜମାର ୧୦ ଗୁଣ ଅଧିକ ଥିଲା।

ସମ୍ବନ୍ଧିତ ଖବର