କେବଳ ଭାରତରେ ଇସ୍ପାତ ଉତ୍ପାଦନ ବଢ଼ୁଛି: ଚୀନ୍, ଆମେରିକା, ଜାପାନ, ରୁଷ୍‌ରେ କମିଲା

ନୂଆଦିଲ୍ଲୀ: ଇସ୍ପାତ ଉତ୍ପାଦନରେ ବିଶ୍ବର ପାଞ୍ଚଟି ପ୍ରମୁଖ ଦେଶ ମଧ୍ୟରେ ଭାରତ ଏକମାତ୍ର ଦେଶ ଯେଉଁଠାରେ ଉତ୍ପାଦନ ବଢ଼ିଛି। ଆମେରିକା ଓ ଚୀନ୍‌ରେ ଉତ୍ପାଦନ ହ୍ରାସ ପାଇଛି। ବିଶ୍ବର ସର୍ବାଧିକ ଇସ୍ପାତ ଚୀନ୍ ଉତ୍ପାଦନ କରୁଥିବା ବେଳେ ଏପ୍ରିଲ୍‌ରେ ସେଠାରେ ଉତ୍ପାଦନ ୭ ପ୍ରତିଶତ ହ୍ରାସ ପାଇ ୮୫.୯ ନିୟୁତ ଟନ୍ ହୋଇଛି। ଚଳିତ ବର୍ଷ ଜାନୁଆରିରୁ ଏପ୍ରିଲ୍ ଭିତରେ ଉତ୍ପାଦନ ୩ ପ୍ରତିଶତ ହ୍ରାସ ପାଇ ୩୪୩.୭ ନିୟୁତ ଟନ୍ ହୋଇଛି ବୋଲି ବିଶ୍ବ ଇସ୍ପାତ ସଂଘ ତଥ୍ୟରୁ ଜଣାପଡ଼ିଛି।

ଭାରତ ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ତମ ଇସ୍ପାତ ଉତ୍ପାଦନ କରୁଥିବା ଦେଶ ଯେଉଁଠାରେ ଏପ୍ରିଲ୍‌ରେ ଉତ୍ପାଦନ ୩.୬ ପ୍ରତିଶତ ବୃଦ୍ଧି ପାଇ ୧୨.୧ ନିୟୁତ ଟନ୍ ହୋଇଛି। ଜାନୁଆରିରୁ ଏପ୍ରିଲ୍ ଭିତରେ ଉତ୍ପାଦନ ୮.୫ ପ୍ରତିଶତ ବୃଦ୍ଧି ପାଇ ୪୯.୫ ନିୟୁତ ଟନ୍ ହୋଇଛି। ଜାପାନ, ଆମେରିକା ଓ ରୁଷ୍‌ରେ ଉତ୍ପାଦନ ବାର୍ଷିକଭିତ୍ତିରେ ୨-୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ଭାରତକୁ ବାଦ ଦେ‌ଲେ ଅନ୍ୟ ଦେଶଗୁଡ଼ିକରେ ଉତ୍ପାଦନ କମ୍ ହୋଇଛି। ଭାରତରେ ଇସ୍ପାତ ଉତ୍ପାଦନ ଦୃଢ଼ ରହିଥିବା ବେଳେ ବିଶ୍ବସ୍ତରୀୟ ଚାହିଦାରେ ଏପର୍ଯ୍ୟନ୍ତ ସୁଧାର ଘଟିନାହିଁ। ଉଚ୍ଚ ସୁଧ ହାର ଏବଂ ମୁଦ୍ରାସ୍ଫୀତି ଲାଗି ପାଶ୍ଚାତ୍ୟ ଦେଶଗୁଡ଼ିକରେ ଇସ୍ପାତ ଚାହିଦା କମ୍ ରହିଛି। ୨୦୨୩ରେ ଉତ୍ପାଦନ ସମ୍ପୂର୍ଣ୍ଣ ସ୍ଥିର ଥିଲା। ୨୦୨୪‌‌ରେ ସେଥିରେ ସୁଧାର ଆଶା କରାଯାଉଛି।

ଭାରତରେ ଉତ୍ପାଦନ ବଢ଼ିବା ପରେ ମଧ୍ୟ ଆମଦାନିରେ ୬୦ ପ୍ରତିଶତ ବୃଦ୍ଧି ହୋଇଛି। ଚଳିତ ବର୍ଷ ଜାନୁଆରିରୁ ମାର୍ଚ୍ଚ ଭିତରେ ଚୀନ୍‌ରୁ ଭାରତକୁ ୬,୦୦,୦୦୦ ଟନ୍ ଇସ୍ପାତ ଆମଦାନି ହୋଇଛି। ବିଶ୍ବ ସ୍ତ‌ରରେ ଚାହିଦା ଅଧିକ ଥିବାରୁ ଭାରତରେ ଇସ୍ପାତ ଦାମ୍ ଏକ ପ୍ରକାର ସ୍ଥିର ରହିଛି। ଲୁହାପଥର ଏବଂ କୋଇଲା ଦାମ୍ କମ୍ ଥିବାରୁ କମ୍ପାନିଗୁଡ଼ିକର ଲାଭ ବଢ଼ିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର