ଅଧିକ ଟଙ୍କା ଦେଲେ, ଭଙ୍ଗା ସିଟ୍‌ରେ ଗଲେ

ନୂଆଦିଲ୍ଲୀ: ଦିଲ୍ଲୀରୁ ବେଙ୍ଗାଲୁରୁକୁ ଜଣେ ବ୍ୟକ୍ତି ଏୟାର ଇଣ୍ଡିଆର ବିମାନ ଏଆଇ୫୧୨ରେ ଏକ ଭଙ୍ଗା ସିଟ୍‌ରେ ଯାତ୍ରା କରିଛନ୍ତି। ଝରକା ପାଖ ସିଟ୍‌ରେ ବସିବା ପାଇଁ ସଂପୃକ୍ତ ବ୍ୟକ୍ତି ଜଣକ ୧୦୦୦ ଟଙ୍କା ଅଧିକ ‌ଅର୍ଥ ପୈଠ କରିଥିଲେ ମଧ୍ୟ ତାଙ୍କୁ ଭଙ୍ଗା ସିଟ୍‌ରେ ଯିବାକୁ ପଡ଼ିଛି। ଏଥିପାଇଁ ସଂପୃକ୍ତ ବ୍ୟକ୍ତିଜଣକ ଏୟାର ଇଣ୍ଡିଆକୁ ସମାଲୋଚନା କରିଛନ୍ତି। ଗତ ୪ ତାରିଖରେ ଏହି ଘଟଣା ଘଟିଛି। ବିମାନରେ ପ୍ରବେଶ କରିବା ପରେ ଯାତ୍ରୀଙ୍କ ନଜରକୁ ଭଙ୍ଗା ସିଟ୍‌ ଆସିଥିଲା। ଏ ନେଇ ସେ ଅଭିଯୋଗ କରିଥିଲେ। ସିଟ୍‌କୁ ଠିକ୍‌ କରିବା ପାଇଁ ଏୟାର ଇଣ୍ଡିଆର ଇଞ୍ଜିନିୟରମାନେ ଚେଷ୍ଟା କରିଥିଲେ। କିନ୍ତୁ ତାହା ସନ୍ତୋଷଜନକ ନଥିଲା ବୋଲି ଯାତ୍ରୀଜଣକ ଅଭିଯୋଗ କରିଛନ୍ତି। ଖରାପ ମାନର ସେବା ପାଇଁ ସେ ଏୟାରଲାଇନ ଉପରେ ବିରକ୍ତ ହୋଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ କରିଥିବା ପୋଷ୍ଟ୍‌ରେ ସେ ତାଙ୍କର ବିରକ୍ତି ପ୍ରକାଶ କରିବା ସହିତ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଟ୍ୟାଗ୍‌ କରିଛନ୍ତି। ଏହାପରେ ଏୟାର ଇଣ୍ଡିଆ ଯାତ୍ରୀଙ୍କ ଅସୁବିଧା ପାଇଁ ତୁରନ୍ତ କ୍ଷମା ମାଗିଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହିତ ଆବଶ୍ୟକ ପଦକ୍ଷେପ ନେବାପାଇଁ ଯାତ୍ରୀଙ୍କ ଠାରୁ ବୁକିଂର ବିସ୍ତୃତ ତଥ୍ୟ ଏୟାର ଇଣ୍ଡିଆ ମାଗିଛି। ଅନ୍ୟ ଏକ ପୋଷ୍ଟ୍‌ରେ ଏୟାର ଇଣ୍ଡିଆ କହିଛି ଫୋନରେ ଆମେ ଯେଉଁ ‌କଥା ହେଲେ ସେଥିରୁ ଜଣାଯାଇଛି ଯେ ସିଟ୍‌ ପାଇଁ ଅତିରିକ୍ତ ଅର୍ଥ ନିଆଯାଇ ନଥିଲା। ତେବେ ଅସୁବିଧା ପାଇଁ ଗଭୀର ଭାବେ ଦୁଃଖିତ। ଯାତ୍ରୀମାନେ ଯେଭଳି ସର୍ବୋତ୍କୃଷ୍ଟ ସେବା ପାଇବେ ତାହା ଆମର ପ୍ରାଥମିକତା। ଭବିଷ୍ୟତରେ ଆମେ ତୁମକୁ ଉତ୍ତମ ସେବା ପ୍ରଦାନ କରିବାକୁ ଆଗ୍ରହୀ ବୋଲି ଏୟାର ଇଣ୍ଡିଆ କହିଛି।

ସମ୍ବନ୍ଧିତ ଖବର