ଧନୀ କ’ଣ କିଣୁଛନ୍ତି? ଲାମ୍ବୋରଘିନି, ଏଷ୍ଟନ୍ ମାର୍ଟିନ୍, ରୋଲ୍‌ସ ର‌ୟେସ୍‌ କାର୍

ରୋଲେକ୍ସ, ଓମେଗା, ପାଟେକ୍ ଫିଲିପ୍ ହାତଘଣ୍ଟା, ପ୍ରାଇଭେଟ୍‌ ଜେଟ୍

ନୂଆଦିଲ୍ଲୀ: ଭାରତର ଅର୍ଥନୀତି ଦ୍ରୁତବେଗରେ ଆଗକୁ ବଢ଼ୁଛି। ଏଥିଯୋଗୁ ଦେଶରେ ଧନୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଲୋକଙ୍କ ଆୟ ବଢ଼ିବା କାରଣରୁ ବିଳାସପୂର୍ଣ୍ଣ ସାମଗ୍ରୀର ବିକ୍ରିବଟା ମଧ୍ୟ ବୃଦ୍ଧି ପାଇଛି। ୨୦୨୩ ମସିହାରେ ଭାରତରେ ବିଳାସପୂର୍ଣ୍ଣ କାର୍‌ ବିକ୍ରି ୨୦ ପ୍ରତିଶତ ବୃଦ୍ଧି ପାଇ ୪୨,୭୩୧ ୟୁନିଟରେ ପହଞ୍ଚିଛି। ସେହିଭଳି ୨୦୨୩ରେ ୫୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ଦାମ୍‌ର ଘରର ଭଲ ବିକ୍ରି ହୋଇଛି। ଏଥିସହିତ ଭାରତକୁ ୨୪ କୋଟି ଡଲାର ମୂଲ୍ୟର ସ୍ବିସ୍‌ ଘଣ୍ଟା ଆମଦାନି ହୋଇଛି।
ହୁରୁନ୍ ଇଣ୍ଡିଆ ଲକ୍‌ଜ୍ୟୁରି କଞ୍ଜ୍ୟୁମର୍‌ ସର୍ଭେ ୨୦୨୩ ଅନୁଯାୟୀ, ତାଜ୍‌, ହାୟତ ଏବଂ ମେରିୟଟ୍ ଗ୍ରୁପ୍‌ର ହୋଟେଲ ଭାରତୀୟମାନଙ୍କର ଅଧିକ ପସନ୍ଦ। ଧନୀମାନେ ଅଧିକରୁ ଅଧିକ ସଂଖ୍ୟକ ଜେଟ୍‌ ବି କିଣୁଛନ୍ତି। ଭାରତୀୟମାନେ ସାଧାରଣତଃ ଗଲ୍‌ଫଷ୍ଟ୍ରିମ, ବମ୍ବାର୍ଡିୟର ଏବଂ ହୋଣ୍ଡା ଜେଟ୍‌କୁ ସବୁଠୁ ଅଧିକ ପସନ୍ଦ କରୁଛନ୍ତି। ଷ୍ଟିଲ୍‌ ଟାଇକୁନ୍‌ ଲକ୍ଷ୍ମୀ ନିବାସ ମିତ୍ତଲ, କୁମାର ମଙ୍ଗଳମ ବିର୍ଲା, ଅତୁଲ ପୁଞ୍ଜ ଏବଂ କେପି ସିଂହଙ୍କ ପାଖରେ ଗଲ୍‌ଫଷ୍ଟ୍ରିମ ଜେଟ୍‌ ରହିଛି। ସେହିଭଳି ଅନିଲ ଅମ୍ବାନି ଏବଂ ଗୌତମ ସିଂଘାଣିଆଙ୍କ ନିକଟରେ ବମ୍ବାର୍ଡିୟର କମ୍ପାନିର ପ୍ରାଇଭେଟ୍‌ ଜେଟ୍‌ ରହିଛି।

ପସନ୍ଦର ଜିନିଷ
ଲାମ୍ବୋରଘିନି, ଏଷ୍ଟନ୍ ମାର୍ଟିନ୍, ରୋଲ୍‌ସ ର‌ୟେସ୍‌ କାର୍
ରୋଲେକ୍ସ, ଓମେଗା, ପାଟେକ୍ ଫିଲିପ୍ ହାତଘଣ୍ଟା
ପ୍ରାଇଭେଟ୍‌ ଜେଟ୍
ଗୁଚି, ବରବରୀ, ଇର୍ଜିୟା ଅରମାନୀ ଜିନିଷ
ଲୁଇ ଭୁଟନ୍, ଟିଫାନି, କାର୍ଟିଅର ଗହଣା

ଗତବର୍ଷ ଭାରତରେ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଳାସପୂର୍ଣ୍ଣ କାର୍‌ ବିକ୍ରି ରେକର୍ଡ ସ୍ତରରେ ପହଞ୍ଚିଛି। ଭାରତୀୟଙ୍କ ସବୁଠୁ ଅଧିକ ପସନ୍ଦ ଦାମୀ କାର୍‌ ମଧ୍ୟରେ ଅଡି, ଲ‌ାମ୍ବୋରଘିନି ଏବଂ ଏଷ୍ଟନ ମାର୍ଟିନ ଆଦି ରହିଛି। ଭାରତରେ ଏଷ୍ଟନ୍ ମାର୍ଟିନ ଗାଡ଼ିର ମୂଲ୍ୟ ୨.୮୫ କୋଟି ଟଙ୍କାରୁ ଆରମ୍ଭ। ଗତବର୍ଷ ଭାରତରେ ୧୦୩ଟି ଲାମ୍ବୋରଘିନି କାର୍‌ ବିକ୍ରି ହୋଇଛି। ଏହି କାର୍‌ର ମୂଲ୍ୟ ୩.୮ କୋଟି ଟଙ୍କାରୁ ଆରମ୍ଭ ହୋଇଛି। ସେହିଭଳି ପୋର୍ଶେ ମଧ୍ୟ ଗତବର୍ଷ ରେକର୍ଡ ସଂଖ୍ୟକ କାର୍‌ ବିକ୍ରି କରିଛି। ବିଳାସପୂର୍ଣ୍ଣ ଏସ୍‌ୟୁଭି କ୍ଷେତ୍ରରେ ରୋଲ୍‌ସ ‌ରୟେସ କଲିନନ୍‌ ଭାରତୀୟ ଗ୍ରାହକଙ୍କ ପ୍ରଥମ ପସନ୍ଦ। ଏହାର ମୂଲ୍ୟ ୬.୯୫ କୋଟିରୁ ଆରମ୍ଭ। ବିଳାସପୂର୍ଣ୍ଣ ଘଣ୍ଟା କଥା ଦେଖିଲେ ରୋଲେକ୍ସ, ଓମେଗା ଏବଂ ପାଟେକ ଫିଲିପ୍‌ ଆଦି ବ୍ରାଣ୍ଡ୍‌ ଭାରତୀୟଙ୍କର ଅଧିକ ପସନ୍ଦ। ନିକଟରେ ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନିଙ୍କର ପ୍ରାକ୍‌ ବିବାହ ଉତ୍ସବରେ ଅଭିନେତା ସଲମାନ ଖାନ୍ ପାଟେକ୍‌ ଫିଲିପ୍ ଆକ୍ବାନଟ୍ ରେନ‌୍‌ବୋ ଲୁସି ମିନିଟ୍‌ ରିପିଟର୍‌ ଘଣ୍ଟା ପିନ୍ଧିଥିଲେ। ଏହାର ଦାମ ୨୨ କୋଟି ଟଙ୍କାରୁ ଅଧିକ। ଜୁଏଲାରି ବା ଗହଣାକୁ ଦେଖିଲେ ଭାରତୀୟ ଧନୀମାନଙ୍କର ଅଧିକ ପସନ୍ଦ ଲୁଇ ଭୁଟନ, ଟିଫାନି ଏବଂ କାର୍ଟିଅର। ଲୁଇ ଭୁଟନ ଏବଂ କାର୍ଟିଅର ଫ୍ରାନ୍ସର ହୋଇଥିବାବେଳେ ଟିଫାନି ଆମେରିକାର ଏକ ଜଣାଶୁଣା ବିଳାସପୂର୍ଣ୍ଣ ଜୁଏଲାରି ବ୍ରାଣ୍ଡ୍‌। ବିଳାସପୂର୍ଣ୍ଣ ଫ୍ୟାସନ ବ୍ରାଣ୍ଡ୍‌କୁ ଦେଖିଲେ ଗୁଚି, ବରବରୀ ଏବଂ ଜର୍ଜିୟା ଅରମାନୀ ଭାରତୀୟମାନଙ୍କର ଅଧିକ ପସନ୍ଦ।

ସମ୍ବନ୍ଧିତ ଖବର