୭୯୦୦୦ ଉପରେ ସେନ୍‌ସେକ୍ସ: ଜୁନ୍ ୪ ପରେ ବଢ଼ିଛି ୭୧୦୦ ପଏଣ୍ଟ

ମୁମ୍ବାଇ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାରବ‌ାରରେ ଉତ୍ସାହର ଧାରା ଲାଗି ରହିଥିବା ବେଳେ ଆଜି ସେନ୍‌ସେକ୍ସ ୭୯,୦୦୦ ଉପରେ ପହଞ୍ଚିଯାଇଛି। ନିବେଶକମାନେ ବିପୁଳ ସେୟ‌ାର କିଣାକିଣି କରିବାରୁ ସେନ୍‌ସେକ୍ସ ୫୬୮ ପଏଣ୍ଟ ବୃଦ୍ଧି ପାଇ ୭୯,୨୪୩ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୭୫ ପଏଣ୍ଟ ବୃଦ୍ଧି ପାଇ ୨୪,୦୪୪ ପଏଣ୍ଟରେ ପହଞ୍ଚିଛି। ଲଗାତାର ତୃତୀୟ ଦିନ ପାଇଁ ସେନ୍‌ସେକ୍ସରେ ଏଭଳି ବୃଦ୍ଧି ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ପାଳି ଆରମ୍ଭ ହେବା ପରଠାରୁ ସେନ୍‌ସେକ୍ସ ଓ ନିଫ୍ଟିରେ ଏହି ଉତ୍ସାହ ଲାଗି ରହିଛି। ଜୁନ୍ ୪ ପରେ ସେନ୍‌ସେକ୍ସରେ ୭୧୦୦ ପଏଣ୍ଟର ବୃଦ୍ଧି ହୋଇସାରିଲାଣି।

ଏହି ସମୟରେ ନିଫ୍ଟିରେ ୨୩୧୦ ପଏଣ୍ଟ ବୃଦ୍ଧି ଘଟିଛି। ଆଜି ଅଲ୍‌ଟ୍ରାଟେକ୍ ସିମେଣ୍ଟ, ଏଲ୍‌ଟିଆଇଏମ୍‌, ଗ୍ରାସିମ୍, ଏନ୍‌ଟିପିସି ଓ ୱିପ୍ରୋର ସେୟାର ମୂଲ୍ୟ ବଢ଼ିଥିବା ବେଳେ ଏଲ୍ଆଣ୍ଡ୍‌ଟି, ଶ୍ରୀରାମ ଫାଇନାନ୍ସ, ଆଇସର ମୋଟର୍ସ, ଡିଭିସ୍‌ ଲାବୋରେଟୋରିଜ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି। ଆଜି ଅଧିକ ଚାହିଦାରେ ଆଇଟି ଓ ଶକ୍ତି କମ୍ପାନିଗୁଡ଼ିକର ସେୟାର ଥିଲା। ଆଗାମୀ ଦିନରେ ଆଇଟି ଓ ଏଫ୍ଏମ୍‌ସିଜି କମ୍ପାନିଗୁଡ଼ିକର ସେୟାର ଷ୍ଟକ୍ ବଜାର କାରବାର ଦିଗ ନିର୍ଧାରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର