ଖରାପ ରାସ୍ତା ପାଇଁ ଟୋଲ୍‌ ଆଦାୟ ଅନୁଚିତ: ଗଡ଼କରୀ

ନୂଆଦିଲ୍ଲୀ: ଖାଲଖମା ଓ କାଦୁଅ ଥିବା ଖରାପ ରାସ୍ତା ଲାଗି ଟୋଲ ଶୁଳ୍କ ଆଦା‌ୟ କରାଯିବା ଅନୁଚିତ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ଟୋଲ୍ ଶୁଳ୍କ ସଂଗ୍ରହ କରିବା ପୂର୍ବରୁ ରାଜପଥ ଏଜେନ୍ସିଗୁଡ଼ିକ ଭଲ ରାସ୍ତା ଯୋଗାଇଦେବା ଦରକାର। ଖରାପ ରାସ୍ତା ଲାଗି ଶୁଳ୍କ ଆଦାୟ ହେବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଗଡ଼କରୀ କହିଛନ୍ତି ଯେ ରାସ୍ତା ବ୍ୟବହାରକାରୀଙ୍କଠାରୁ ଶୁଳ୍କ ସଂଗ୍ରହ କରିବା ଲାଗି ଏଜେନ୍ସିଗୁଡ଼ିକ ବ୍ୟାକୁଳ ହୋଇପଡ଼ୁଛନ୍ତି। ନିଜ ସ୍ବାର୍ଥର ସୁରକ୍ଷା ଲାଗି ସେମାନେ ତାହା କରୁଛନ୍ତି। ରାସ୍ତାର ଅବସ୍ଥା ଭଲ ରହୁନଥିବାରୁ ବହୁ ଲୋକ ଅଭିଯୋଗ କରୁଛନ୍ତି। ସୋସିଆଲ ମିଡିଆରେ ବିଶୋଦଗାର କରୁଛନ୍ତି। ଖାଲଖମା ଓ କାଦୁଅ ଭର୍ତ୍ତି ରାସ୍ତା ପାଇଁ ଟୋଲ ଶୁଳ୍କ ସଂଗ୍ରହ କଲେ ଲୋକମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଉଛି। ଆମ ଭଳି ନେତା ସେମାନଙ୍କ ରୋଷର ଶିକାର ହେଉଛନ୍ତି ବୋଲି ଗଡ଼କରୀ କହିଛନ୍ତି।

ଟୋଲ୍ ଗେଟ୍‌ଗୁଡ଼ିକରେ ଦୀର୍ଘ ସମୟ ଗାଡ଼ିଗୁଡ଼ିକ ଅପେକ୍ଷା କରିବା ମଧ୍ୟ ଗ୍ରହଣୀୟ ନୁହେଁ ବୋଲି ଗଡ଼କରୀ କହିଛନ୍ତି। ୨୦୨୧ରେ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ଲାଗୁ ହେବା ପରେ ୯୮ ପ୍ରତିଶତ କାରବାର ତା’ଜରିଆରେ ହେଉଛି। ତଥାପି ସାରା ଦେଶରେ ଟୋଲ୍‌ ଗେଟ୍‌ଗୁଡ଼ିକରେ ଭିଡ଼ ରହୁଥିବା ଖବର ଆସୁଛି। ଏହି ସମସ୍ୟାର ସମାଧାନ କରିବା ଲାଗି ଉପଗ୍ରହଭିତ୍ତିକ ଟୋଲ୍ ବ୍ୟବସ୍ଥା ଲାଗୁ କରିବା ଉପରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ୫୦୦୦ କିମି ରାସ୍ତାରେ ତାହା ଲାଗୁ କରାଯିବ।

ସମ୍ବନ୍ଧିତ ଖବର