ଓଡ଼ିଶା ସହ ବ୍ୟବସାୟ ବଢ଼ାଇବ ୟୁଏଇ: ଦ୍ବିପାକ୍ଷିକ କାରବାର ୨୧,୯୮୦ କୋଟି

ୟୁଏଇର ଅଷ୍ଟମ ବଡ଼ ବ୍ୟବସାୟ ସହଯୋଗୀ

ଭୁବନେଶ୍ବର: ଓଡ଼ିଶା ସହିତ ୟୁନାଇଟେଡ୍ ଆରବ ଏମିରେଟ୍‌ସ (ୟୁଏଇ) ଏହାର ବ୍ୟାବସାୟିକ ସମ୍ପର୍କ ବଢ଼ାଇବାକୁ ଚାହୁଛି। ରାଜ୍ୟର ଖଣି, ଶିଳ୍ପ ଓ ମାନବ ସମ୍ବଳ କ୍ଷେତ୍ର ୟୁଏଇର ନିବେଶକମାନଙ୍କ ଲାଗି ଆକର୍ଷଣୀୟ କ୍ଷେତ୍ର ପାଲଟିଛି। ସେମାନେ ଏହି ତିନି କ୍ଷେତ୍ରରେ ରାଜ୍ୟ ସହ ସହଯୋଗିତା ବଢ଼ାଇବାକୁ ଚାହୁଛନ୍ତି ବୋଲି ଭାରତରେ ଅବସ୍ଥାପିତ ୟୁଏଇର ରାଷ୍ଟ୍ରଦୂତ ଅବଦୁଲ୍‌ନାସିର ଅଲ୍‌ସାଲି କହିଛନ୍ତି। ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ସହଯୋଗିତାରେ ୟୁଏଇ-ଭାରତ ସିଇପିଏ ପରିଷଦ (ୟୁଆଇସିସି) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଅଲ୍‌ସାଲି କହିଛନ୍ତି ଯେ ଭାରତ ଓ ୟୁଏଇ ମଧ୍ୟରେ ଦ୍ବିପାକ୍ଷିକ ସହଯୋଗିତାକୁ ସୁଦୃଢ଼ କରିବାରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ୟୁଆଇସିସିର ନିର୍ଦ୍ଦେଶକ ଅହମ୍ମଦ ଅଲଜନିବି କହିଛନ୍ତି ଯେ ଭାରତର ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ହେଉଛି ୟୁଏଇର ଅଷ୍ଟମ ବଡ଼ ବ୍ୟବସାୟ ସହଯୋଗୀ। ୨୦୨୩-୨୪ରେ ଏହି ଦୁଇ ଭୂଖଣ୍ଡ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୨୬୩ କୋଟି ଡଲାର (୨୧,୯୮୦ କୋଟି ଟଙ୍କା) ଥିଲା। ଅନ୍ତର୍ଜାତୀୟ ବ୍ୟବସାୟ ଓ ନିବେଶକୁ ନେଇ ଓଡ଼ିଶାର ଯେଉଁ ଅଭିଳାଷ ରହିଛି ତାହାକୁ ପୂରଣ କରିବାରେ ୟୁଏଇ ବଡ଼ ଭୂମିକା ଗ୍ରହଣ କରିପାରିବ ବୋଲି ସେ କହିଛନ୍ତି।

୨୦୨୨ ଜୁନ୍‌ରେ ଓଡ଼ିଶା ସରକାର ଓ ୟୁଏଇର କମ୍ପାନିଗୁଡ଼ିକ ମଧ୍ୟରେ ୨୭୬ କୋଟି ଡଲାରର ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ଲୁଲୁ ଗ୍ରୁପ୍ ଏଠାରେ ହାଇପର୍‌ମାର୍କେଟ୍‌, ସପିଙ୍ଗ୍‌ ମଲ୍‌, କୃଷି ଓ ସାମୁଦ୍ରୀକ ଜୀବ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଲାଗି ସୁଯୋଗ ସନ୍ଧାନ କରୁଛି। ଭାରତ ସରକାରଙ୍କ ସହ ସ୍ବାକ୍ଷରିତ ହୋଇଥିବା ୟୁଏଇ-ଭାରତ ବ୍ୟାପକ ଅର୍ଥନୈତିକ ସ‌ହଯୋଗିତାର ଲାଭ ଉଠାଇ ୟୁଏଇରେ ଥିବା ବ୍ୟବସାୟ, ବାଣିଜ୍ୟ ଓ ନିବେଶ ସୁଯୋଗକୁ ସନ୍ଧାନ କରିବା ଲାଗି ରାଜ୍ୟର ନିବେଶକମାନଙ୍କୁ ୟୁଏଇର ରାଷ୍ଟ୍ରଦୂତ ଶ୍ରୀ ଅଲ୍‌ସାଲି ଆହ୍ବାନ ଦେଇଛନ୍ତି। ଏହି ଅବସରରେ ରାସ୍‌ ଅଲ୍‌ ଖାଇମା ଅର୍ଥନୈତିକ ଜୋନ୍‌ର ଷ୍ଟ୍ରାଟେଜିକ୍ କଣ୍ଟ୍ରି ମ୍ୟାନେଜର ମହମ୍ମଦ ହସିବ, ଡିପି ୱାର୍ଲଡ୍‌ର ନିର୍ଦ୍ଦେଶକ ଯୋଗପାଲ୍ ସିଂହ, ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଜେ ବି ପାଣି, ରାଜୀବ ଶେଖର ସାହୁ ଓ ଜେ ପି ପାଲ୍ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର