ମୋବାଇଲ୍‌ ଲୁଟି ପଳାଉଥିଲେ, ଦୁର୍ଘଟଣାରେ ଧରାପଡ଼ିଲେ

ଭୁବନେଶ୍ୱର : ମୋବାଇଲ ନେଇ ପଳାଉଥିଲେ। ଦ୍ରୁତ ଗତିରେ ଯିବା ବେଳେ ଦୁର୍ଘଟଣାର ଶିକାର ହୋଇ ପାଖାପାଖି ୨୦ ମିଟର ଦୂରରେ ଛିଟିକି ପଡ଼ିଲେ। ଆହତ ଅବସ୍ଥାରେ ପୁଣି ଉଠି ଦଉଡ଼ୁଥିବା ବେଳେ ଧରା ପଡ଼ିଥିଲେ। ଜଣେ ଖସି ଯାଇଥିବା ବେଳେ ଅନ୍ୟ ଜଣକୁ ଧରିଥିଲେ ଲୋକେ। ତା’ ପରେ ଆରମ୍ଭ ହୋଇଥିଲା ଉତ୍ତମ ମଧ୍ୟମ। ଏଭଳି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ମହର୍ଷି କଲେଜ୍‌ ଛକରେ। ଖବର ପାଇ ସହିଦ୍‌ ନଗର ପୁଲିସ ଧରା ପଡ଼ିଥିବା ଅଭିଯୁକ୍ତକୁ ଥାନାକୁ ନେଇଥିବା ବେଳେ ଆହତଙ୍କୁ କ୍ୟାପିଟାଲ ହସ୍‌ପିଟାଲ ନେଇଛି। ଘଟଣା ଏହିପରି, ରାମମନ୍ଦିର ଆଡୁ ଦୁଇଜଣ ଯୁବକ ଏକ ବାଇକ୍‌(ଓଡି ୦୨ ଏଏକ୍ସ ୦୭୩୧)ଯୋଗେ ଆସୁଥିଲେ। ମହର୍ଷି କଲେଜ୍‌ ଛକରେ ରେଡ୍‌ଲାଇଟ୍‌ ସିଗ୍‌ନାଲରେ ଛିଡ଼ା ହୋଇଥିଲେ। ତାଙ୍କ କଡ଼ରେ ଆଉ ଜଣେ ଯୁବକ ମୋବାଇଲ‌‌‌ରେ କଥା ହେଉଥିଲେ। ସିଗ୍‌ନାଲ କ୍ଲିୟର ହେବା ପରେ ସମ‌ସ୍ତେ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ଏତିକିବେଳେ ଏହି ଦୁଇ ଦୁର୍ବୃତ୍ତ ସମ୍ପୃକ୍ତ ଯୁବକଙ୍କ ହାତରୁ ମୋବାଇଲ ଧରି ଦ୍ରୁତ ଗତିରେ ପଳାଉଥିଲେ। ହେଲେ ଆଗରେ ଆଉ ଏକ ବାଇକ୍‌କୁ ଧକ୍କା ଦେଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ।

ସମ୍ବନ୍ଧିତ ଖବର