ହୋଟେଲରେ ମହିଳାଙ୍କୁ ବାବାଙ୍କ ଯୌନ ନିର୍ଯାତନା

୪୮ଘଣ୍ଟାରେ ଗିରଫର ପ୍ରତିଶ୍ରୁତି ଦେଲେ ଡିଜି

ଭୁବନେଶ୍ୱର/କଟକ : ବାବାଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ନ୍ୟାୟ ପାଇବାରୁ ବଞ୍ଚିତ ଜଣେ ବିବାହିତା ମହିଳା ଆଜି ପୁଲିସ ଜିଡିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଘଟଣା ସଂପର୍କରେ ଜାଣିବା ପରେ ପୁଲିସ ଡିଜି ୪୮ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଧରିବାକୁ ସଂପୃକ୍ତ ପୀଡ଼ିତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସଂପୃକ୍ତ ମହିଳା ହେଉଛନ୍ତି ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳ ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳର କର୍ମୀ ରଂଜିତା ପ୍ରଧାନ(ଛଦ୍ମନାମ)।

ସୂଚନା ଅନୁସାରେ, ପାରିବାରିକ ସମସ୍ୟା ନେଇ ରଂଜିତା ତାଙ୍କ ନାବାଳକ ପୁଅ ସହିତ ଚଳିତ ବର୍ଷ ଜାନୁଆରି ୨୭ତାରିଖ ଯାଜପୁର ପାଣିକୋଇଲି ଅଞ୍ଚଳର ଜଣେ ବାବାଙ୍କୁ ପାଖକୁ ଯାଇଥିଲେ। ସେଦିନ ଅପରାହ୍‌ଣ ୩ଟାରେ ବାବାଙ୍କୁ ସ୍ଥାନୀୟ ଏକ ହୋଟେଲରେ ଭେଟିଥିଲେ। ବାବାଙ୍କର ଜଣେ ମହିଳା ସହଯୋଗୀ ରଂଜିତାଙ୍କୁ ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ବିଳମ୍ବ ହେବାରୁ ମହିଳା ସହଯୋଗୀ ସୁରକ୍ଷାର ପ୍ରତିଶ୍ରୁତି ଦେଇ ରଂଜିିତାଙ୍କୁ ସେହି ହୋଟେଲ୍‌ରେ ରଖିଥିଲେ। କିନ୍ତୁ ବିଳମ୍ବିତ ରାତିରେ ବାବାଙ୍କ ଦୁଇ ସହଯୋଗୀ ରଂଜିତାଙ୍କ କୋଠରିରେ ପଶି ତାଙ୍କ ମୁଣ୍ଡରେ ରିଭଲ୍‌ଭର ଲଗାଇ ତାଙ୍କ ନଗ୍ନ ଫଟୋ ଉତ୍ତୋଳନ କରିଥିଲେ। ଏପରିକି ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲେ। ଭୁବନେଶ୍ୱରରୁ ଝିଅମାନଙ୍କୁ ଆଣିବାକୁ କହିବା ସହିତ ଘଟଣା ସଂପର୍କରେ କାହାକୁ କହିଲେ ଫଟୋକୁ ଭାଇରାଲ୍‌ କରିବା ସହିତ ପରିବାରକୁ ମାରିଦେବେ ବୋଲି ଧମକ ଦେଇଥିଲେ। ଜାନୁଆରି ୨୮ତାରିଖ ଭୋର୍‌ ସମୟରେ ବାବାଙ୍କ ସହଯୋଗୀମାନେ ରଂଜିତା ଓ ତାଙ୍କ ପୁଅକୁ ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ଛାଡ଼ି ପଳାଇଥିଲେ। ଭୟରେ ନିରବ ରହିଥିବା ରଂଜିତା ଶେଷରେ ଫେବ୍ରୁଆରି ୨ତାରିଖରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳା ଥାନା ପକ୍ଷରୁ କେସ୍‌ ଉଠାଇବାକୁ ଧମକ୍‌ ମିଳିବା ପରେ ସେ ଭୁବନେଶ୍ୱର ଡିସିିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଡିସିପି କେସ୍‌ଟିକୁ ଯାଜପୁର ସ୍ଥାନାନ୍ତର କରି ଚୁପ୍‌ ରହିଥିଲେ। ଗତ ୧୮ତାରିଖରେ ପୋଖରୀପୁଟରେ ରଞ୍ଜିତାଙ୍କୁ ଜଣେ ଯୁବକ ଧମକ ଦେଇଥିଲେ। ଉପାୟ ନପାଇ ରଂଜିତା ଗତ ୨୪ତାରିଖ ଦିନ ପୁଲିସ୍‌ ମୁଖ୍ୟାଳୟରେ ଡିଜିଙ୍କୁ ଭେଟିବାକୁ ଦରଖାସ୍ତ କରିଥିଲେ। ଆଜି ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ରଞ୍ଜିତାଙ୍କଠାରୁ ଘଟଣା ସଂପର୍କରେ ବୁଝିବା ପରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର