ଶ୍ରାବଣରେ ବର୍ଷା ନାହିଁ: ଜମି ଫାଟିଲାଣି, ମରୁଡ଼ି ଆଶଙ୍କା

ବଲାଙ୍ଗୀର/କଳାହାଣ୍ଡି/ବୌଦ୍ଧ/ଦେବଗଡ଼ : ମୌସୁମୀକୁ ଅପେକ୍ଷା କରି କରି ଜୁନ ମାସ ଶେଷ ବେଳକୁ ହାତ ଗଣତି କିଛିଦିନ ବର୍ଷା ହେଲା। ଯଦିଓ ସେତେବେଳକୁ ଚାଷ ପଛେଇଥିଲା। ତା ସତ୍ତ୍ବେ ଗରମରୁ ଜନଜୀବନ ଆଶ୍ବସ୍ତ ହୋଇଥିଲ। ଚାଷୀ ଚାଷକାମ ଆରମ୍ଭ କରିଦେଇଥିଲେ। ମାତ୍ର ଏହା ପରେ ପ‌ରେ ବର୍ଷା ଉଭାନ୍‌ ସାଙ୍ଗକୁ ପୁଣି ପ୍ରବଳ ତାତି ଅନୁଭୂତ ହେଲା। ବର୍ଷାଭାବରୁ ଏଣିକି ପୂରା ବିଗିଡ଼ିଲାଣି ଚାଷକାମ। ଏକ ପ୍ରକାର ମରୁଡ଼ି ପରିସ୍ଥିତି ଦେଖାଦେଲାଣି।

ବଲାଙ୍ଗୀରରେ ଏଥର ବହୁ ଜମିରେ ଏଥର ଚାଷ ଆରମ୍ଭ ସୁଦ୍ଧା ହୋଇପାରିନଥିବାବେଳେ ପ୍ରଥମ ବର୍ଷାରେ ଯେଉଁଠି ତଳି ପକାଯାଇଥିଲା। ସେଥିରେ ଏବେ ଜମି ଫାଟି ଆଁ କଲାଣି। ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ନଥିବାରୁ ଚାଷୀ ବର୍ଷାଜଳ ଉପରେ ନିର୍ଭର କରନ୍ତି। ଇତିମଧ୍ୟରେ ଜୁଲାଇ ମାସର ୧୦ ଦିନ ଅତିବାହିତ ହୋଇ ଯାଇଥିବା ବେଳେ ବର୍ଷା ହୋଇନାହିଁ। ଚଳିତ ବର୍ଷ ୧ ଲକ୍ଷ ୬୦ ହଜାର ହେକ୍ଟର ଜମିରେ ଧାନଚାଷ ଲକ୍ଷ୍ୟ ରହିଛି। ମାତ୍ର ବର୍ଷାଭାବରୁ ମରୁଡ଼ି ସ୍ଥିତି ଦେଖାଦେଇଥିବାରୁ ଏହି ଲକ୍ଷ୍ୟ ପୂରଣ ହେବା ନେଇ ସଂଶୟ ଉପୁଜୁଛି।

Down To Earth

ଜିଲ୍ଲା କୃଷି ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାରେ ଚଳିତ ବର୍ଷ ୧ ଲକ୍ଷ ୬୦ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ଷାର ଅନିୟମିତତାକୁ ଦୃଷ୍ଟିରେ ରଖି କୃଷି ବିଭାଗ ଧାନ ବ୍ୟତୀତ ଅନ୍ୟ ଫସଲ ଉପରେ ଅଧିକ ଗୁରୁତ୍ୱ ଦେଇଛି।

ଜୁନ୍‌ ମାସରେ ସ୍ୱାଭାବିକ ବୃଷ୍ଟିପାତ ହାର ୨୦୨.୮ ମିମି ହୋଇଥିବା ବେଳେ ଜିଲ୍ଲାରେ ହାରାହାରି ବୃଷ୍ଟିପାତ ଠାରୁ ୪୦ ପ୍ରତିଶତ କମ୍‌ ଅର୍ଥାତ ୧୨୧.୭୦ ବର୍ଷା ହୋଇଥିଲା। ଜୁଲାଇ ମାସରେ ବୃଷ୍ଟିପାତ ହାର ୩୬୦.୫ ମିମି ଥିବା ବେଳେ ଏଥର ୧୦ ଦିନ ମଧ୍ୟରେ ହାରାହାରି ୪୫.୩୯ ମିମି ବର୍ଷା ହୋଇଥିବା ଜଣାଯାଇଛି। ଗତବର୍ଷ ଜୁଲାଇ ମାସର ୧୦ ତାରିଖ ମଧ୍ୟରେ ୯୯.୧୫ ପ୍ରତିଶତ ବର୍ଷା ରେକର୍ଡ଼ କରାଯାଇଥିଲା।

କଳହାଣ୍ଡି ଜିଲ୍ଲାରେ ମଧ୍ୟ ଚାଷ ସ୍ଥିତି ସମାନ। ବର୍ଷାଭାବରୁ ଚାଷ ପାଇଁ ଚାଷୀ ସାହସ ଜୁଟାଇପାରୁ ନାହାନ୍ତି। ଜିଲ୍ଲାକୁ ଚଳିତ ବର୍ଷ ପ୍ରାୟ ୧୮ ହଜାର କ୍ବିଣ୍ଟାଲ ଧାନ ବିହନ ଆସିଥିବାବେଳେ ମାତ୍ର ୯ ହଜାର ୫ଶହ କ୍ବିଣ୍ଟାଲ ଧାନ ଉଠାଣ ହୋଇଛି। ଅନ୍ୟ ବର୍ଷମାନଙ୍କରେ ଧାନ ବିହନର ଅଭାବ ଦେଖାଯାଇଥାଏ। ଜିଲ୍ଲାରେ ଚଳିତ ଖରିଫ ଋତୁରେ ୧ ଲକ୍ଷ ୮୪ ହଜାର ୧୬୧ ହେକ୍ଟର ଜମିରେ ଧାନ ଚାଷ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କିନ୍ତୁ ଚଳିତ ଜୁନ ଓ ଜୁଲାଇ ମାସରେ ଏପର୍ଯ୍ୟନ୍ତ ଗତ ୧୦ ବର୍ଷରେ ସବୁଠାରୁ କମ ବର୍ଷା ଚାଷ ପାଇଁ ପ୍ରତିକୂଳ ସାଜିଛି। ଜିଲ୍ଲାର ଅପର ଇନ୍ଦ୍ରାବତୀ ପ୍ରକଳ୍ପରୁ ପାଣି ଛଡ଼ା ଯାଇଥିବାବେ‌ଳେ ଦକ୍ଷିଣ ମୁଖ୍ୟ କେନାଲର ଗୁର୍ଜିଗୁଡ଼ା ସାଇଫନରେ ଘାଇ ଯୋଗୁଁ କେନାଲ ପାଣି ବନ୍ଦ କରାଯାଇଛି। କେବଳ ବାମ ମୁଖ୍ୟ କେନାଲରୁ ଜଳସେଚନ ହେଉଛି। ଏପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୬୬% କମ ବର୍ଷା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Skymet Weather

ଜୁନମାସରେ ଶେଷ ବେଳକୁ ଅଳ୍ପ କିଛି ବର୍ଷା ହେବାରୁ ବୌଦ୍ଧ ଜିଲ୍ଲାରେ ଚାଷ କାମ ଆରମ୍ଭ ହୋଇଥିଲା। ଚାଷୀମାନେ ଧାନ ପାଇଁ ତଳି ପକାଇବା ସହ ରୁଆ ଜମି ଚାଷ କରିବା ଆରମ୍ଭ କରିଥିଲେ। ଟ୍ରାକ୍ଟରରେ ଜମି ଚାଷ କରିବା ପରେ ତାହା ଏବେ ଶୁଖିଲା ପଡ଼ିଥିବା ବେଳେ ଧାନ ତଳି ଗଜା ହେବା ପରେ ଏବେ ଜଳ ସଂକଟ ଦେଖାଦେଇଛି। ତେବେ ଜୁଲାଇ ମାସରେ ସ୍ବାଭାବିକ ବର୍ଷା ହେବ ଓ ଜୁନ ମାସର ଅଭାବ ଭରଣା କରିବ ବୋଲି ଆକଳନ କରିଥିଲା । ମାତ୍ର ପାଣିପାଗ ବିଭାଗର ପୂର୍ବାନୁମାନ ଫେଲ ମାରିଛି। ଜୁଲାଇର ଦ୍ବିତୀୟ ସପ୍ତାହ ସୁଦ୍ଧା ବର୍ଷାର ଦେଖାନାହିଁ। ଏଭଳି ସ୍ଥିତିରେ ଗଜାମରୁଡ଼ି ନିଶ୍ଚିତ ବୋଲି ଚାଷୀ କହୁଛନ୍ତି। ଦେବଗଡ଼ ଜିଲ୍ଲାରେ ମଧ୍ୟ ଅନୁରୁପ ପରିସ୍ଥିତି ଉପୁଜିଛି। ବର୍ଷାଭାବ ଯୋଗୁଁ ଚାଷକାମ ପୂରା ପଛେଇ ଯାଇଛି। ଜୁନ ମାସରେ ମୌସୁମୀ ଜନିତ ବର୍ଷା ହେବା ପରେ ଜିଲ୍ଲାରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲା। ଜୁନ୍‌ ମାସରେ ୨୪୨.୪ ମିମି ବର୍ଷା ବଦଳରେ ସର୍ବାଧିକ ୩୨୯.୨୭ ମିମି ବର୍ଷା ରେକର୍ଡ କରାଯାଇଥିଲା।

ତେବେ, ଇତିମଧ୍ୟରେ ଜିଲ୍ଲାରେ ଚାଷ କାର୍ଯ୍ୟ ପ୍ରାୟ ସରିବା କଥା, କିନ୍ତୁ ପ୍ରଥମେ ନିଅଣ୍ଟିଆ ବୃଷ୍ଟିପାତ ପରବର୍ତ୍ତୀ ସମୟରେ ଅଧିକ ବର୍ଷା ହେବା ଫଳରେ ଜମିରେ ପାଣି ଜମି ରହିଥିବା ଯୋଗୁଁ ଚାଷ କାର୍ଯ୍ୟ ଆଗେଇ ପାରିନଥିଲା। ଚଳିତ ମାସରେ ମଧ୍ୟ କାଁ ଭାଁ ବୃଷ୍ଟିପାତ ହୋଇଥିବା ବେଳେ ଜିଲ୍ଲାରେ ଏ ବର୍ଷ ବିଭିନ୍ନ ସ୍ଥାନରେ ଧାନ ଚାଷ ପଛେଇ ଯାଇଛି। ଚଳିତ ବର୍ଷ ଜିଲ୍ଲାରେ ୩୨ ହଜାର ୫ଶହ ହେକ୍ଟର ଜମିରେ ଧାନ ଚାଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୫୦୦ ହେକ୍ଟରରେ ଜମିରେ ଧାନ ବୁଣା ଓ ୫୦୦ ହେକ୍ଟର ଜମିରେ ତଳି ପକା କାର୍ଯ୍ୟ ସରିଥିବା ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ। ତେବେ, ବର୍ଷାଭାବରୁ ଏହି ଧାନ ଗଛକୁ କିଭଳି ବଂଚାଇ ରଖାଯାଇପାରିବ ଚାଷୀ ପାଇଁ ତାହା ବଡ଼ ଚିନ୍ତାର କାରଣ ‌ପାଲଟିଛି।

ସମ୍ବନ୍ଧିତ ଖବର