ନେତାଙ୍କ ପାଇଁ ଲାଭ​ରେ ଖେଳାଳି: ଫାଟିଲା ଗୋଟିଏ, ମିଳିଲା ୩ଟି

ନୀଳଗିରି: ନୀଳଗିରିରେ ଏବେ ଭଲିବଲ୍‌କୁ ନେଇ ଚର୍ଚ୍ଚା। ୩ ଜଣ ରାଜନେତାଙ୍କ ପାଇଁ କିଛି ଖେଳାଳି ଲାଭବାନ ହୋଇଛନ୍ତି। ଜଣେ ନେତାଙ୍କ କାର୍‌ ଚକ ତଳେ ପଶି ଗୋଟିଏ ବଲ୍‌ ଫାଟି ଯାଇଥିବା ଜାଣିବା ପରେ ଅନ୍ୟ ଦୁଇ ନେତା ସଂପୃକ୍ତ ଖେଳାଳିଙ୍କ ପାଖକୁ ଯାଇ ବଲ୍‌ ବାବଦ ଟଙ୍କା ସହିତ ୨ଟି ବଲ୍‌ ପ୍ରଦାନ କରିଛନ୍ତି। ଏଭଳି କୌତୁହଳପୂର୍ଣ୍ଣ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ।


ନୀଳଗିରି ବ୍ଲକ୍‌ ସଜନାଗଡ଼ ଭୂଧାରଚଣ୍ଡୀ ଖେଳପଡ଼ିଆରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପ୍ରତିଦିନ ଭଲି ଖେଳନ୍ତି। ଗତ ୬ ତାରିଖ ରାତି ପ୍ରାୟ ୯ଟାରେ ଲାଇଟ୍‌ ଲଗାଇ ସେମାନେ ଭଲି ଖେଳୁଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ବିଜେଡି ନେତା ସନ୍ତୋଷ ଖଟୁଆଙ୍କ କାର୍‌ ଚକ ତଳେ ପଡ଼ି ବଲ୍‌ଟି ଫାଟିଯାଇଥିଲା। ଯୁବକମାନେ ଶ୍ରୀ ଖଟୁଆଙ୍କ ଗାଡ଼ିକୁ ଅଟକାଇବା ସହ ନୂଆ ବଲ୍‌ଟିଏ ଦେବାକୁ ଅନୁରୋଧ କରିଥିଲେ। ତେବେ ଏହାକୁ ନେଇ ଶ୍ରୀ ଖଟୁଆ ଏବଂ ଖେଳାଳି କାହ୍ନୁ ନାଏକ, କାର୍ତ୍ତିକ ବେହେରା, ସୁଦୀପ ନାୟକ, ଲିପୁ ନାୟକ, ଦୀପୁ ନାୟକ, ସର୍ବେଶ୍ବର ବେହେରା, ଜିତୁ ବୁଗୁଡ଼ି ପ୍ରମୁଖଙ୍କ ମଧ୍ୟ​ରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଶ୍ରୀ ଖଟୁଆ ସେଠାରୁ ପଳାଇ ଯାଇଥିଲେ। ଏହି ସମୟରେ ସେହି ବାଟ ଦେଇ ଆସିଥିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଉତ୍ତେଜନା ଦେଖି ଗାଡ଼ି ଅଟକାଇଥିଲେ।

ଯୁବକମାନଙ୍କଠାରୁ ସବୁ କଥା ଶୁଣିବା ପରେ ସେମାନଙ୍କୁ ବଲ୍‌ କିଣିବା ପାଇଁ ତତ୍‌କ୍ଷଣାତ ଆବଶ୍ୟକ ଟଙ୍କା ଦେଇଥିଲେ। ତେବେ କଥା ଏତିକିରେ ସରିନଥିଲା। ଏହି ଘଟଣାକୁ ନେଇ ସୋସିଆଲ୍‌ ମିଡିଆରେ ଆରମ୍ଭ ହୋଇ ଯାଇଥିଲା ବିଜେଡି-ବିଜେପି କର୍ମୀଙ୍କ ମଧ୍ୟରେ କମେଣ୍ଟ ଯୁଦ୍ଧ। ଏମିତି ସମୟରେ ବିଜେଡି ଟିକେଟ୍‌ରେ ନୀଳଗିରି/ରେମୁଣା ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହେବାକୁ ଚର୍ଚ୍ଚାରେ ଥିବା ପୂର୍ବତନ ଢେଙ୍କାନାଳ ଜିଲ୍ଲାପାଳ ତଥା ବରିଷ୍ଠ ଆଇଏଏସ୍‌ ସରୋଜ ସେଠୀ ମଧ୍ୟ ସୁଯୋଗକୁ ହାତଛଡ଼ା କରିନଥିଲେ। ଗତ ଶନିବାର ଦିନ ଭଲିବଲ୍‌ ଖେଳୁଥିବା ସଂପୃକ୍ତ ଯୁବକମାନଙ୍କୁ ଭେଟି ସେ ୨ଟି ଭଲିବଲ୍‌ ପ୍ରଦାନ କରିଥିବା ଜଣାପଡ଼ିଛି।
ଏ ସଂପର୍କରେ ଶ୍ରୀ ଖଟୁଆଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲା। ହେଲେ ସେ ଫୋନ୍‌ ଉଠାଇ ନଥିଲେ। ଅନ୍ୟପକ୍ଷରେ ବିଧାୟକ ସୁକାନ୍ତ ନାୟକ ଘଟଣା ସଂପର୍କରେ କିଛି କହିବାକୁ ମନା କରିଦେଇଥିବା ବେଳେ ବରିଷ୍ଠ ଆଇଏଏସ୍‌ ଶ୍ରୀ ସେଠୀ ଜଣେ ଖେଳପ୍ରେମୀ ହୋଇଥିବାରୁ ସେ ଖେଳାଳିମାନଙ୍କୁ ବଲ୍‌ ପ୍ରଦାନ କରିଥିବା ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର