ଶୋଚନୀୟ ଅବସ୍ଥାରେ ଆହାର କେନ୍ଦ୍ର : କେଉଁଠି ହାତ ଧୋଇବାକୁ ଟ୍ୟାପ୍‌ରେ ପାଣି ଆସୁନି ତ କେଉଁଠି ହାତରେ ବାସନ ମାଜିବାକୁ ପଡ଼ୁଛି

ଭୁବନେଶ୍ୱର: ପାଞ୍ଚ‌ଟଙ୍କାରେ ପେଟପୂରା ଖାଇବାକୁ ମିଳୁଥିବାରୁ ଆହାର କେନ୍ଦ୍ରଗୁଡ଼ିକରେ ଲୋକଙ୍କର ଭିଡ଼ ବଢ଼ୁଛି। କିନ୍ତୁ ରାଜଧାନୀରେ ଥିବା କିଛି ଆହାର କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି। କେଉଁଠି ଖାଦ୍ୟ ଖାଇଲାବେଳେ ଦୁର୍ଗନ୍ଧ ଶୁଙ୍ଖିବାକୁ ପଡ଼ୁଛି ତ ଆଉ କେଉଁଠି ହାତ ଧୋଇବାକୁ ଟ୍ୟାପ୍‌ରେ ପାଣି ଆସୁନି, ଆଉ କେଉଁଠି ନିଜ ହାତରେ ବାସନ ଧୋଇବାକୁ ପଡ଼ୁଛି ତ କେଉଁଠି ଶୌଚାଳୟରେ ତାଲା ଝୁଲୁଛି। ଏପରିକି କିଛି ଆହାର କେନ୍ଦ୍ରରେ ଲୋକେ ଖାଦ୍ୟକୁ ପାର୍ସଲ କରି ନେଇ ଯାଉଛନ୍ତି। ରାଜଧାନୀର ବହୁ ପ୍ରମୁଖ ଛକରେ ଥିବା ଆହାର କେନ୍ଦ୍ରଗୁଡ଼ିକରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

କ୍ୟାପିଟାଲ ହସ୍ପିଟାଲ୍‌ରେ ଥିବା ଆହାର କେନ୍ଦ୍ରରେ ଡିସ୍‌ ୱାସର୍‌ ନାହିଁ। ଫଳରେ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା ମହିଳା ସ୍ବୟଂସହାୟିକା ଗୋଷ୍ଠୀର ସଦସ୍ୟାମାନେ ଥାଳି ସବୁକୁ ହାତରେ ଧୋଉଛନ୍ତି। ଡିସ୍‌ ୱାସର ବ୍ୟବସ୍ଥାରେ ଥାଳିଗୁଡ଼ିକୁ ଗରମ ପାଣିରେ ଭଲଭାବେ ଧୋଇବା କଥା। ଏହା ମଧ୍ୟ ଆହାର କେନ୍ଦ୍ରର ନିୟମ। କିନ୍ତୁ ମହିଳା ଗୋଷ୍ଠୀର ସଦସ୍ୟାମାନେ ଡିଟରଜେଣ୍ଟ ବ୍ୟବହାର କରି ଧୋଉଛନ୍ତି। ହାତରେ ଧୁଆ ହେଉଥିବା ଥାଳିର ପରିଚ୍ଛନ୍ନତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପାଖରେ ଡାକ୍ତରଖାନା ଥିବା ହେତୁ ବହୁ ସମୟରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ଏହି କେନ୍ଦ୍ରରେ ଖାଉଛନ୍ତି। ତେଣୁ ଥାଳିକୁ ଭଲ ଭାବେ ନ ଧୋଇଲେ, ରୋଗ ସଂକ୍ରମଣ ହେବାର ଆଶଙ୍କା ରହୁଛି। କିନ୍ତୁ ଅଭାବୀ ଲୋକ ବାଧ୍ୟହୋଇ ଖାଉଛନ୍ତି। ସେ କେନ୍ଦ୍ରରେ ସ୍ଥାନାଭାବ କାରଣରୁ ପରିବେଶ ଅପରିଷ୍କାର ହୋଇଯାଉଛି। ଚଟାଣ ସାରା ପାଣି ପଡ଼ି କାଦୁଅ ପଚପଚ ହେବା ଅବସ୍ଥା ଉପୁଜୁଛି। ତେଣୁ ବହୁ ସମୟରେ ଲୋକେ ଖାଦ୍ୟ ଧରି ବାହାରେ ଠିଆହୋଇ ଖାଉଛନ୍ତି। ସେହିପରି କେନ୍ଦ୍ର ବାହାରେ ଥିବା ଶୌଚାଳୟରେ ତାଲା ଝୁଲୁଛି। ଫଳରେ ଲୋକମାନେ କେନ୍ଦ୍ର ପଛପଟେ ଖୋଲାରେ ଏକ କରୁଛନ୍ତି।

ସେହିପରି ଶ୍ରେୟା ଛକ ସ୍ଥିତ ଆହାର କେନ୍ଦ୍ର ଆଗରେ ଗଦା ହୋଇଛି କୁଢ଼ କୁଢ଼ ଆବର୍ଜନା। ସେଥିରୁ ଏତେ ଦୁର୍ଗନ୍ଧ ବାହାରୁଛି ଯେ ଜଣେ ପଶୁ ପଶୁ ନାକରେ ରୁମାଲ ନବାନ୍ଧି ରହିପାରିବ ନାହିଁ। କେନ୍ଦ୍ର ବାହାରେ ଥିବା ପାଣି ଟ୍ୟାପ ଭାଙ୍ଗିଯାଇଛି। ସେଠାରୁ କିଛି ଲୋକ ଖାଦ୍ୟକୁ ପାର୍ସଲ କରି ନେଉଛନ୍ତି। ଏପରିକି କିଛି ଲୋକ କେନ୍ଦ୍ର ମଧ୍ୟରେ ନିଜ ଗାଡି ଓ ସାଇକେଲ୍‌ ପାର୍କିଂ କରୁଛନ୍ତି। କଳ୍ପନା ଛକ ସ୍ଥିତ ଆହାର କେନ୍ଦ୍ରର ମଧ୍ୟ ସମାନ ସ୍ଥିତି। ସେଠାରେ ମଧ୍ୟ ବିନା ଡିସ୍‌ ୱାସର ଥାଳି ଧୁଆ ହେଉଛି। କେନ୍ଦ୍ର ମଧ୍ୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଥିବା ମେସିନ୍‌ ମଧ୍ୟ ଅଚଳ ହୋଇପଡ଼ିଛି। ମାଷ୍ଟରକ୍ୟାଣ୍ଟିନ୍‌ ‘ମୋ ବସ୍‌’ ଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ରର ସ୍ଥିତି ବି କିଛି ଭଲ ନୁହେଁ। ରାଜଧାନୀର ପ୍ରମୁଖ ସ୍ଥାନରେ ଥିବା ଏ ଆହାର କେନ୍ଦ୍ରଗୁଡ଼ିକ ଏହି ଯୋଜନାର ମ‌ଡେଲ୍‌ ହେବା ଉଚିତ, ଯାହାଦ୍ବାରା ରାଜ୍ୟ ଅଭ୍ୟନ୍ତରର କେନ୍ଦ୍ରଗୁଡ଼ିକ ଅନୁପ୍ରାଣିତ ହେବା କଥା। କିନ୍ତୁ ଏହି କେନ୍ଦ୍ରଗୁଡ଼ିକ ଜନଗହଳିପୂର୍ଣ୍ଣ ସ୍ଥାନରେ ଥାଇ ସରକାରଙ୍କର ଏକ ସୁନ୍ଦର ପ୍ରୟାସର ଖରାପ ବିଜ୍ଞାପନ କରୁଛନ୍ତି ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର