ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ନଳକୂପ ଖନନ ଗାଡି ଓଲଟିଲା, ୬ ଶ୍ରମିକ ଗୁରୁତର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଏକ ନଳକୂପ ଖନନ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ଏହି ଦୁର୍ଘଟଣାରେ ଚାଳକଙ୍କ ସମେତ ୬ ଜଣ ଶ୍ରମିକ ଗୁରୁତର ହୋଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନ ୪ଟା ସମୟରେ ନଳକୂପ ଖନନ ଗାଡି (ସିଜି ୧୭ ଏଚ୍‌-୦୯୭୧) କିଛି ଶ୍ରମିକଙ୍କୁ ନେଇ ଝରିଗାଁ ଦେଇ ଚନ୍ଦହାଣ୍ଡି ବ୍ଳକରେ ନୂତନ ନଳକୂପ ଖନନ ପାଇଁ ଯାଉଥିଲା। ଗାଡି ରେ ନୂତନ ନଳକୂପ ଖନନ ପାଇ ଲୁହା ସାମଗ୍ରୀ ଥିଲା।

ତେବେ ଝରିଗାଁ ଚନ୍ଦହାଣ୍ଡି ଘାଟିରେ ବ୍ରେକ ଫେଲ ହୋଇ ଗାଡି ଭାରସାମ୍ୟ ହରେଇ ଓଲଟି ପଡିଥିଲା। ଫଳରେ ଗାଡିରେ ଥିବା ଚାଳକ ରାଇଘର ବ୍ଳକର ସଞ୍ଜୟ ଢାଲି (୪୭) ଏବଂ ଛତିଶଗଡ଼ର ଶ୍ରମିକ କାର୍ତ୍ତିକ ବାଗାଲ (୨୫), ବୁଦୁରାମ ନେତାମ (୨୩), ସୁନୀଲ ନେତାମ (୨୬), ଜାଡେସ ମାରକାମ (୨୪) ଓ ଆସୁ ଲାଲ(୩୫) ପ୍ରମୁଖ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ। ପରେ ସେହି ରାସ୍ତା ଦେଇ ଯାଉଥିବା ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଝରିଗାଁ ଗୁରୁତରମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ଃ ପ୍ରକାଶ ନାୟକ, ଡ଼ଃ ସନ୍ତୋଷ ପ୍ରଧାନ, ଫର୍ମାସିଷ୍ଟ ପ୍ରଦୀପ୍ତ ମିଶ୍ର, ଆଶିଷ ବେହେରା ରାକେଶ ବେହେରା ପ୍ରମୁଖ ଗୁରୁତରମାନଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ। ତେବେ କାର୍ତ୍ତିକ ବାଗାଲଙ୍କ ମୁଣ୍ଡ ଏବଂ ଆସୁ ଲାଲଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗି ଥିବାରୁ ଉଭୟଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଝରିଗାଁ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ,ଏସ ଆଇ ସନ୍ତୋଷ ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର