ନକଲି ନୋଟ୍‌ କାରବାର, ଜଣେ ଗରିଫ

ବୌଦ୍ଧ: ବୌଦ୍ଧ ଥାନା ହରଭଙ୍ଗା ବ୍ଲକର ହରେକୃଷ୍ଣପୁର ଗାଁରେ ନକଲି ନୋଟ କାରବାର କରୁଥିବା ଅଭିଯୋଗରେ ପୁଲିସ ମଥୁରା ଗ୍ରାମର ପ୍ରମୋଦ ପ୍ରଧାନ(୩୪)କୁ ଗିରଫ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ସାଗରପାଲି ଗାଁର ଭଗବାନ ମେହେର(୪୦) ଫେରାର ହୋଇଯାଇଛି।
ସୂଚନା ଅନୁସାରେ, ଗତ ସୋମବାର ସକାଳ ୯ଟାରେ ପ୍ରମୋଦ ଓ ଭଗବାନ ଏକ ବାଇକ ଯୋଗେ ରାମ୍ଭିକଟା ଗାଁର ପ୍ରଭାତ ଡାଳୁଆଙ୍କ ଦୋକାନକୁ ଯାଇଥିଲେ। ସେମାନେ ଏକ ନକଲି ଶହେ ଟଙ୍କିଆ ନୋଟ ଦେଇ ଚୂଡ଼ା ମିକ୍ସଚର ମାଗିଥିଲେ। ଦୋକାନୀ ନକଲି ନୋଟଟି ରଖି ତାଙ୍କୁ ଦଶ ଟଙ୍କାର ମିକ୍ସଚର ଦେଇଥିଲେ ଓ ବାକି ୯୦ ଟଙ୍କା ଫେରାଇଥିଲେ। ସେଠାରୁ ସେମାନେ ହରେକୃଷ୍ଣପୁର ଗାଁକୁ ଯାଇ ସେଠାରେ ଥିବା ଗଣେଶ ଦେହୁରୀଙ୍କ ଦୋକାନକୁ ଯାଇ ନକଲି ଦୁଇଶହ ଟଙ୍କା ଦେଇ ସିଗାରେଟ ମାଗିଥିଲେ। ମାତ୍ର ଉକ୍ତ ନୋଟଟି ନକଲି ଥିବାରୁ ଦୋକାନୀ ସଙ୍ଗେ ସଙ୍ଗେ ସେମାନଙ୍କୁ ନୋଟ ଫେରାଇ ଦେଇଥିଲେ। ଏହା ଜଣାପଡ଼ିବା ପରେ ଗ୍ରାମବାସୀମାନେ ପ୍ରମୋଦଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଭଗବାନ ସେଠାରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ପୁଲିସ ସେଠାରେ ପହଂଚିବାରୁ ଅଭିଯୁକ୍ତ ପ୍ରମୋଦ ପାଖରେ ଥିବା ନକଲି ନୋଟକୁ ଚିରି ଦେଇଥିଲା। ପୁଲିସ ଉକ୍ତ ଚିରା ନୋଟକୁ ଜବତ କରି ପ୍ରମୋଦକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର