ଦଶପଲା: ଗଛରେ ପିଟିହେଲା କାର, ୨ ମୃତ, ୬ ଗୁରୁତର

ଦଶପଲ୍ଲା: ଗତକାଲିି ରାତିରେ କଟକ ନରସିଂହପୁର ଅଞ୍ଚଳକୁ ବରଯାତ୍ରୀ ଯାଇ ଆଜି ଭୋରରୁ ଏକ କାରରେ ଫେରୁଥିବା ଏକ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ ଦଶପଲ୍ଲା ଥାନା ଅନ୍ତର୍ଗତ ଦଶପଲା -ଗଣିଆ ରାସ୍ତାର ସୁନାଗଞ୍ଜ ଛକ ନିକଟରେ ଏକ ଆମ୍ବ ଗଛରେ ବାଡେଇ ହୋଇଯିବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବରପାଇ ପୁଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ରଘୁନାଥପୁର ଅଞ୍ଚଳରୁ କେତେକ ଯୁବକ ବରଯାତ୍ରୀ ହୋଇ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳକୁ ଯାଇଥିଲେ। ସେମାନେ ଆଜି ଭୋର ପ୍ରାୟ ୪ଟା ବେଳେ ଏକ କାର ଯୋଗେ ଫେରୁଥିବା ବେଳେ ସୁନାଗଞ୍ଜ ଗାଁ ନିକଟରେ ରାସ୍ତାକଡ଼ରେ ଥିବା ଏକ ଆମ୍ବ ଗଛରେ ଏହି କାରଟି ଯାଇ ବାଡେଇ ହୋଇଯାଇଥିଲା। ଫଳରେ ବରଯାତ୍ରୀମାନଙ୍କ ମଧ୍ୟରୁ ବୌଦ୍ଧ ସରସରା ଗାଁର ପ୍ରିୟରଞ୍ଜନ କର୍ମ (୨୭ ବର୍ଷ)ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତେବେ ଦ୍ୱିତୀୟ ମୃତ ଯୁବକଙ୍କ ପରିଚୟ ଜଣାପଡ଼ି ନାହିଁ। କାରରେ ଥିବା ଅନ୍ୟ ୬ ଜଣ ମଧ୍ୟ ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ। ସମାନଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର