ସରଣ୍ଡାରେ ପୁଣି ବିସ୍ଫୋରଣ, ସିଆର୍‌ପିଏଫ୍‌ ଯବାନ ଗୁରୁତର

ବିଶ୍ରା: ସରଣ୍ଡା ଜଙ୍ଗଲରେ ସିଆର୍‌ପିଏଫ୍‌ ଯବାନ ଓ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ମିଳିତ କମ୍ବିଂ ଅପରେସନ ଜାରି ରହିଛି। ଏହାରି ଭିତରେ ତିନିଦିନର ନିରବତା ପରେ ଆଜି ପୁଣି ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟିଛି। ସରଣ୍ଡା ଜଙ୍ଗଲର ହେଂସାବନ୍ଧରେ ଘଟିଥିବା ଏହି ବିସ୍ଫୋରଣରେ ସିଆର୍‌ପିଏଫ୍‌ ୧୭୪ ‘ବି’ ବାଟାଲିୟନର ଯବାନ ହାଫିଜୁର ରହମାନ ଗୁରୁତର ହୋଇଛନ୍ତି। ରହମାନଙ୍କୁ ବାୟୁସେନା ହେଲିକପ୍ଟରରେ ରାଞ୍ଚି ନିଆଯାଇଛି। ଆହତ ଯବାନ ଆସାମର ବୋଲି ଜଣା ପଡ଼ିଛି। ସୂଚନାଯୋଗ୍ୟ ଯେ, ଗତ ପ୍ରାୟ ଦଶଦିନ ଧରି ସିଆର୍‌ପିଏଫ୍‌ ପକ୍ଷରୁ ସରଣ୍ଡା ଜଙ୍ଗଲର ଗୋଇଲକେରା, କୁଇଡ଼ା, ମାରାଦିରୀ, ମିରାଲଗଡ଼ା, ହାଥିବୁରୁ, ତିଲାୟବେଡ଼ା, ବାୟହାତୁ ଅଞ୍ଚଳରେ କମ୍ବିଂ ଅପରେସନ କରାଯାଉଛି। ନକ୍ସଲବିରୋଧୀ ଏହି ଅଭିଯାନରେ ଝାଡ଼ଖଣ୍ଡ ପୁଲିସ, କୋବ୍ରା ବାଟାଲିୟନ, ଜାଗୁଆର ଫୋର୍ସ ସମେତ ସିଆର୍‌ପିଏଫ୍‌ର ୭ଟି ବାଟାଲିୟନ ସାମିଲ ହୋଇଛନ୍ତି। ଏହି ଅଭିଯାନରେ ଯବାନମାନେ ନକ୍ସଲନେତା ମିଶିର ବେସରା, ଅନମୋଲ, ମୋଛୁ, ଚମନ, ଅଜୟ ମାହାତୋଙ୍କ ତଲାସ ଜାରିରଖିଛନ୍ତି। ଏହି ନକ୍ସଲବିରୋଧୀ ଅଭିଯାନର ନେତୃତ୍ବ ସିଆର୍‌ପିଏଫ୍‌ ଆଇଜି (ଅପରେସନ୍‌) ଅମୋଲ ବି ହୋମକର ନେଉଛନ୍ତି। ତେବେ କିଛି ଲ୍ୟାଣ୍ଡମାଇନ୍‌କୁ ନିଷ୍କ୍ରିୟ କରିବା ବ୍ୟତୀତ ଏହି ମାଓ ବିରୋଧୀ ଅଭିଯାନରେ ପୁଲିସ୍‌କୁ କୌଣସି ବିଶେଷ ସଫଳତା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର