କଟକ ସହରରେ ଟ୍ରେଡ୍ ଲାଇସେନ୍ସ ନେଉ ନାହାନ୍ତି ବ୍ୟବସାୟୀ, ମାତ୍ର ୧୧ ହଜାର ଲାଇସେନ୍ସ; କ୍ଷତି ସହୁଛି ସିଏମ୍‌ସି

ଦୁଇମାସ ହେବ ୱେବ୍‌ ଲିଙ୍କ୍‌ ବି ଅଚଳ

କଟକ: କଟକ ମହାନଗର ନିଗମ ( ସିଏମସି) ଅଞ୍ଚଳରେ ରହିଛି ଲକ୍ଷାଧିକ ବ୍ୟବସାୟିକ ପ୍ରତିଷ୍ଠାନ। ଛୋଟ ବଡ଼, ହୋଲସେଲ, ରିଟେଲ ବ୍ୟବସାୟୀଙ୍କୁ ମିଶାଇ ୧ଲକ୍ଷରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ କଟକ ସହରରେ ରହିଛି। ମାତ୍ର ସହରର ଶତକଡା ୯୦ ଭାଗ ବ୍ୟବସାୟୀ ଟ୍ରେଡ ଲାଇସେନସ ନେଇ ନାହାନ୍ତି। ପୂର୍ବରୁ ନେଇଥିବା ବ୍ୟବସାୟୀ ଏହାର ନବୀକରଣ ମଧ୍ୟ କରୁନାହାନ୍ତି। ଅର୍ଥାତ ସହରରେ ଲକ୍ଷାଧିକ ଦୋକାନ ଥାଇ ମାତ୍ର ୧୧ ହଜାର ବ୍ୟବସାୟୀ ଟ୍ରେଡ ଲାଇସେନସ ନେଇଛନ୍ତି। ଏ ନେଇ ‌ନଗର ଉନ୍ନୟନ ବିଭାଗର କୌଣସି ସ୍ବତନ୍ତ୍ର ନୀତି ମଧ୍ୟ ନାହିଁ। ଟ୍ରେଡ ଲାଇସେନନସ ନେଇ ନ ଥିଲେ ସେଥିପାଇଁ ଜରିମାନା ବ ଦଣ୍ଡ ବିଧାନ ବ୍ୟବସ୍ଥା ନଥିବାରୁ ‌ବ୍ୟବସାୟୀ ବି ଲଗାମଛଡା ହେଉଛନ୍ତି। ସହରରେ ବ୍ୟବସାୟୀଙ୍କ ଡାଟା ବେସ୍ ବା ତଥ୍ୟ ମଧ୍ୟ ମହାନଗର ନିଗମ ପାଖରେ ନାହିଁ। ଅନ୍ୟପଟେ ଗଲା ଦୁଇମାସରୁ ଅଧିକ ହେବ ଟ୍ରେଡ ଲାଇସେନସ ପାଇଁ ଆବେଦନ କରିବା ବା ନବୀକରଣ ପାଇଁ ରହିଥିବା ଲିଙ୍କ୍ ଅଚଳ ଥିବାରୁ ଏ ବାବଦ ରାଜସ୍ବ ମଧ୍ୟ ଆଦାୟ ହୋଇପାରୁ ନାହିଁ।

ଟ୍ରେଡ ଲାଇସେନସକୁ ବ୍ୟବସ୍ଥିତ କରିବାକୁ କଟକ ମହାନଗର ନିଗମ ପକ୍ଷରୁ ସ୍ବତନ୍ତ୍ର ଚିଠି ମଧ୍ୟ କରାଯାଇଥିଲା। ଏଥିପାଇଁ ୧୯ଜଣ ଟ୍ୟାକ୍ସ କଲେକ୍ଟରଙ୍କୁ ଦାୟିତ୍ବ ଦିଆଯାଇଥିଲା। ଗତ ୪/୯/୨୦୨୧ରେ ଚିଠି ନଂ ୮୪୭୭ରେ ଏହାକୁ ନେଇ ସିଏମସି ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କେଉଁ ଟ୍ୟାକ୍ସ କଲେକ୍ଟର କେଉଁ ୱାର୍ଡରୁ ଟ୍ରେଡ ଲାଇସେନସ ସଂଗ୍ରହ କରିବେ ତାହାର ଦାୟିତ୍ବ ବଣ୍ଟନ କରାଯାଇଥିଲା। ୧ରୁ ୩୪ ନଂମ୍ବର ଓ୍ବାର୍ଡ ଟ୍ରେଡ ଲାଇସେନସ ଦାୟିତ୍ବ ଏହି ୧୯ଜଣଙ୍କୁ ବଣ୍ଟାଯାଇଥିଲା। ଏଥିପାଇଁ ପ୍ରତି ଟ୍ୟାକ୍ସ କଲେକ୍ଟରଙ୍କୁ ଜଣକା ପ୍ରତିଦିନ ଅତିକମରେ ୫ଟି ଟ୍ରେଡ ଲାଇସେନସ ଆଣିବାକୁ କୁହାଯାଇଥିଲା। ତେବେ ସିଏମସିରେ ଏ ନିୟମ ବି କାମ କରୁନି। ଏ ସଂପର୍କରେ ଦାୟିତ୍ବରେ ଥିବା ଅଧିକାରୀ ଲତାଶ୍ରୀ ବାଗ କହିଛନ୍ତି ଯେ ଟ୍ରେଡ ଲାଇସେନସନ ନ ନେଲେ ସେମାନଙ୍କ ଉପରେ ଜରିମାନା ବା ଦଣ୍ଡ ବିଧାନ ପାଇଁ କୌଣସି ବିଧି ବ୍ୟବସ୍ଥା ନାହିଁ। ଯେଉଁଥିପାଇଁ ବ୍ୟବସାୟୀ ଟ୍ରେଡ ଲାଇସେନସ ନେଉ ନାହାନ୍ତି। ଏଥିପାଇଁ ଦଣ୍ଡ ବିଧାନ ଧାର୍ଯ୍ୟ ହେଲେ ଅଧିକ ବ୍ୟବସାୟୀ ଟ୍ରେଡ ଲାଇସେନସ ନିଅନ୍ତେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର