‘ସମ୍ବାଦ’ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି: ‘ରକ୍ତଦାନ ପାଇଁ ସମର୍ପିତ ଥିଲେ ଡାକ୍ତର ମହେଶ ବିଶ୍ବାଳ’

ବାଲେଶ୍ବର: ‘ଡାକ୍ତର ମହେଶ ବିଶ୍ବାଳ’ ଏକ ଅନୁଷ୍ଠାନ। ପେସାରେ ଜଣେ ଡାକ୍ତର ହୋଇଥିଲେ ବି ଶିକ୍ଷକ ଭୂମିକାରେ ସେ ଅବତୀର୍ଣ୍ଣ ହୋଇଥିଲେ। ବାଲେଶ୍ବରବାସୀଙ୍କୁ ଶିଖାଉଥିଲେ ମାନବ ସେବା। ଜନ୍ମାଉଥିଲେ ରକ୍ତ ଦେଇ ଜୀବନ ବଞ୍ଚାଇବାର ମାନସିକତା। ଡାକ୍ତର ବିଶ୍ବାଳ ସାଜିଥିଲେ ରକ୍ତଦାନ ଆନ୍ଦୋଳନ ମୁଖ୍ୟ ପୁରୋଧା। ଜିଲ୍ଲା ଡାକ୍ତରଖାନାରେ ରକ୍ତ ପୃଥକୀକରଣ ବ୍ୟବସ୍ଥା କରିବା କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ। ବୟସ ୬୭ ବର୍ଷ ହୋଇଥିଲେ ବି ଆପଣା ଭିତରେ ଥିଲା ଯୁବ ସୁଲଭତା। ବାହାନଗା ରେଳ ଦୁର୍ଘଟଣା ଭଳି ଶତାବ୍ଦୀର ଏକ ବଡ଼ ବିପର୍ଯ୍ୟୟ ସମୟରେ ସ୍ବେଚ୍ଛା ରକ୍ତଦାତାଙ୍କଠାରୁ ଅବିରତ ତିନିଦିନ ଧରି ରକ୍ତ ସଂଗ୍ରହ କରି ସେ ନିଜ ଦକ୍ଷତା ଓ ସେବା ମନୋଭାବର ମହନୀୟତା ପ୍ରମାଣ ଦେଇଛନ୍ତି। ଡାକ୍ତର ବିଶ୍ବାଳ ଆଜି ଆମ ଗହଣରେ ନାହାନ୍ତି ସତ, ହେଲେ ତାଙ୍କର ସିଦ୍ଧାନ୍ତ ରକ୍ତଦାନ ଅଭିଯାନକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ଆଜି ‘ସମ୍ବାଦ’ ପରିବାର ପକ୍ଷରୁ ବାଲେଶ୍ବର ଶିଳ୍ପାଞ୍ଚଳସ୍ଥିତ ଉତ୍ତର ଓଡ଼ିଶା କାର୍ଯ୍ୟାଳୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ମତପ୍ରକାଶ କରିଛନ୍ତି।

‘ସମ୍ବାଦ’ର ବରିଷ୍ଠ ସହ ସଂପାଦକ ରୁଦ୍ରରଞ୍ଜନ ଶେଜପଡ଼ାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଲ କୁମାର ଚକ୍ରବର୍ତ୍ତୀ, ଉପସଭାପତି ସୁବ୍ରତ କୁମାର ରଣା, ସଂପାଦକ ଇଂ. ହୃଷୀକେଶ ସାହୁ, ସମାଜସେବୀ ସାହିରୁଲ ହକ୍‌, ଯୁବନେତା ବିକ୍ରମ ପଣ୍ଡା, ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ଗୌତମ ଶଙ୍କର ସ୍ବାଇଁ, ବଡ଼ପାଳ ସରପଞ୍ଚ କମଳ ଲୋଚନ ପଣ୍ଡା, ଶିକ୍ଷାବିତ ଅଜିତ ମହାନ୍ତି, ମଳୟ ରଞ୍ଜନ ଭୂୟାଁ, ସାମ୍ବାଦିକ ସୁଶିଲ କୁମାର ଜେନା, ଲୋକନାଥ ପିରି, ଅମିତା ପିରି, ପରିବେଶବିତ ସୁମନ୍ତ କୁମାର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଲାବ୍‌ ଟେକ୍‌ନିସିଆନ୍‌ ଦେବାଶିଷ ଦତ୍ତ ଓ ରାଜେଶ ମିଶ୍ର, ସୁଶାନ୍ତ କୁମାର ରଣା, ଅନୀଲ କୁମାର ମହାନ୍ତି, ଗଣେଶ୍ବର ବେହେରା, ସୁଶାନ୍ତ କୁମାର ରଣା, ମଳୟ ଭୂୟାଁ, ବିବେକାନନ୍ଦ ଦାସ, ସେକ୍‌ ଅଫାନ, ପ୍ରସାର ବିଭାଗ ମୁଖ୍ୟ ବିରଞ୍ଚି ନାରାୟଣ ପାଢ଼ୀ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସ୍ବର୍ଗତ ଡାକ୍ତର ବିଶ୍ବାଳଙ୍କ ଏକାଦଶାହରେ ଜିଲ୍ଲା ରକ୍ତକେନ୍ଦ୍ର ଓ ଜିଲ୍ଲା ରକ୍ତଦାତା ସଂଘର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରିବାକୁ ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମକୁ ‘ସମ୍ବାଦ-ଆମଓଡ଼ିଶା’ ସହଯୋଗୀ ଲକ୍ଷ୍ମୀଧର ବାରିକଙ୍କ ସହ ‘ସମ୍ବାଦ’ର ସମସ୍ତ ସହଯୋଗୀ ପରିଚାଳନା କରିଥିଲେ। ଉଲ୍ଲେଖଥାଉକି, ଗତ ବୁଧବାର ବିଶ୍ବ ରକ୍ତଦାତା ଦିବସ ଭୋର୍‌ ସମୟରେ ବାଲେଶ୍ବର ସହର କେନ୍ଦ୍ରୀୟ ବିଦ୍ୟାଳୟ ଛକ ନିକଟ ବାସଭବନରେ ବରିଷ୍ଠ ନିଦାନ ରୋଗ ବିଶେଷଜ୍ଞ ଡାକ୍ତର ମହେଶ କୁମାର ବିଶ୍ବାଳଙ୍କର ହୃଦ୍‌ଘାତ ଯୋଗୁଁ ପରଲୋକ ହୋଇଥିଲା।

ସମ୍ବନ୍ଧିତ ଖବର