୮ ବର୍ଷର ଶିଶୁ ଦୁଷ୍କର୍ମ!: ସଂପର୍କୀୟ କକା ଥାନାରେ ଅଟକ

ଭବାନୀପାଟଣା/ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅଞ୍ଚଳର ଜଣେ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଉକ୍ତ ନାବାଳିକାର ସଂପର୍କୀୟ କାକା ଏହି ଥାନା ଅନ୍ତର୍ଗତ ବଚକା ଗ୍ରାମରେ ସନ୍ୟାସୀ ବିଭାର(୩୫)ଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି। ଅଂଚଳରେ ଏହା ବେଶ୍‌ ଚର୍ଚାର ବିଷୟ ରହିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ତୃତୀୟ ଶ୍ରେଣୀରେ ପଢ଼ୁଥିବା ଉକ୍ତ ନାବାଳିକା ଗତ ମଙ୍ଗଳବାର ଘରେ ଏକୁଟିଆ ଥିଲା। ଏହାର ସୁଯୋଗ ନେଇ ସମ୍ପର୍କୀୟ କାକା ପହଞ୍ଚି ଚାହାର ଖୁଆଇ ନେବାକୁ କହି ନିକଟସ୍ଥ ଜଙ୍ଗଲକୁ ଡାକି ନେଇଥିଲେ। ସେଠାରେ ଏକ ନାଳାରେ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ଦୌଡ଼ି ଦୌଡ଼ି ଆସି ତା’ ମାଁଙ୍କୁ ସବୁ କଥା କହିଥିଲା। ଝିଅର ବାପାଙ୍କ ପୂର୍ବରୁ ମୃତ୍ୟୁ ଘଟିଛି। ମା’ ଓ ଝିଅ ବିଶ୍ୱନାଥପୁର ଥାନାକୁ ଆସି ଲିଖିତ ଏତଲା ଦେଇଥିଲେ। ଆଜି ପୁଲିସ ତଦନ୍ତ ଆରମ୍ଭ କରି ଝିଅର ଡାକ୍ତରୀ ମାଇନା ପାଇଁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲା। ଏବେ ପୁଲିସ ଡାକ୍ତରୀ ମାଇନା ରିପୋର୍ଟକୁ ଅପେକ୍ଷା କରିଛି। ସୂଚନାଯୋଗ୍ୟ ଯେ କିଛିଦିନ ତଳେ ଗୋଲାମୁଣ୍ଡା ବ୍ଲକ ବନ୍ଧାଗାଁର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିଲା। ବାରମ୍ବାର ଏଭଳି ଘଟଣା ହେଉଥିଲେ ମଧ୍ୟ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହେଉଛି। ଏହାର ଉପଯୁକ୍ତ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର