ବ୍ୟକ୍ତିଗତ ରାଗ ସୁଝାଇବାକୁ ଦବଙ୍ଗଗିରି ଦେଖାଇଲେ ଏନ୍‌ଏସି ନିର୍ବାହୀ ଅଧିକାରୀ

ପୁରୁଷୋତ୍ତମପୁର : ଏକ ପରିବାର ସହ ବ୍ୟକ୍ତିଗତ ଆକ୍ରୋଶରୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ଦବଙ୍ଗଗିରି ଦେଖାଇଥିବା ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ରାଧାକାନ୍ତ ସାହିର ବାସିନ୍ଦା ସୁପ୍ରଭା ଶତପଥୀଙ୍କ ଦୁଇପୁଅଙ୍କ ଉଠା ଦୋକାନକୁ ଜେସିବି ସାହାଯ୍ୟରେ ଭାଙ୍ଗିଦେଇଛନ୍ତି। ଏହାସହ ତିନିଦିନ ଭିତରେ ଘର ଖାଲି କରିବାକୁ ସୁପ୍ରଭାଙ୍କ ଘର ଆଗରେ ନୋଟିସ୍ ମାରିଛନ୍ତି। କେବଳ ଏତିକି ନୁହେଁ ପୂରା ପରିବାରକୁ ଭୋକଭପାସରେ ମାରିଦେବୁ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ସୁପ୍ରଭା ଓ ତାଙ୍କ ପରିବାରବର୍ଗ ପୁରୁଷୋତ୍ତମପୁର ଥାନାର ଦ୍ବାରସ୍ଥ ହେବା ସହ ନ୍ୟାୟ ଭିକ୍ଷା କରିଛନ୍ତି। ଏନ୍‌ଏସି ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ର, ସହରାଞ୍ଚଳ ଜୀବିକା ମିସନ୍ ଅଧିକାରୀ ସ୍ମୃତିରଞ୍ଜନ ଷଡ଼ଙ୍ଗୀ ଓ ନିର୍ବାହୀ ଅଧିକାରୀଙ୍କ ଗାଡ଼ି ଚାଳକ ସୁରଜ ଦାଶଙ୍କ ନାମରେ ସୁପ୍ରଭା ଥାନାରେ ଏତଲା ଦେଇଛନ୍ତି। ଥାନାଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ କହିଛନ୍ତି, ଉଭୟ ପକ୍ଷକୁ ଡାକି ପଚରାଉଚରା ପରେ ମାମଲା ରୁଜୁ ହେବ।
ମିଳିଥିବା ସୂଚ

ନାନୁସାରେ, ନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ରଙ୍କୁ ଅଭିଯୋଗକାରୀ ସୁପ୍ରଭାଙ୍କ ସାନପୁଅ କୌଣସି କାରଣକୁ ନେଇ ଗାଳିଗୁଲଜ କରିଥିଲେ। ଏହାସହ ଲାଞ୍ଚ ଖାଉଥିବା ପ୍ରଚାର କରିଥିଲେ। ଏହା ଜାଣିବା ପରେ ଶ୍ରୀ ମିଶ୍ର ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ। ଜବରଦଖଲ ଉଚ୍ଛେଦ ଆଳରେ ସୁପ୍ରଭାଙ୍କ ଦୁଇପୁଅଙ୍କ ଉଠା ଜଳଖିଆ ଦୋକାନକୁ ଜେସିବି ଲଗାଇ ଭାଙ୍ଗିଦେଇଥିଲେ। କଲେଜ ଛକ ଓ ଘର ଆଗରେ ଥିବା ଦୁଇଟି ‌ଦୋକାନକୁ ପୁଲିସ ଉପସ୍ଥିତିରେ ଭଙ୍ଗାଯାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ନିକଟରେ ଥିବା ଅନ୍ୟ କୌଣସି କ୍ୟାବିନ୍‌କୁ ଭଙ୍ଗାଯାଇ ନଥିଲା। ସାଧାରଣ ଲୋକ ସ୍ବର ଉଠାଇବାକୁ ସାହସ କରି ନଥିଲେ।
ଏହାପରେ ପୁଣି ଗତକାଲି ସନ୍ଧ୍ୟା ସାଢ଼େ ୭ଟାରେ ନିର୍ବାହୀ ଅଧିକାରୀ, ସହରାଞ୍ଚଳ ଜୀବିକା ମିସନ୍ ଅଧିକାରୀ ଓ ନିର୍ବାହୀ ଅଧିକାରୀଙ୍କ ଗାଡ଼ିଚାଳକ ସୁପ୍ରଭାଙ୍କ ଘର ନିକଟକୁ ଆସିଥିଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁଇପୁଅଙ୍କ ଦୋକାନ ଭାଙ୍ଗିଦିଆଯାଇଛି ବୋଲି କହିଥିଲେ। ୩ ଦିନ ଭିତରେ ଘର ଛାଡ଼ି ପଳାଇବାକୁ କାନ୍ଥରେ ନୋଟିସ୍ ମାରିଥିଲେ। ନଚେତ୍ ଘର ଭାଙ୍ଗିଦିଆଯିବ ବୋଲି ଧମକ ଦେଇଥିଲେ।

ଏହି ଘଟଣା ପରେ ସୁପ୍ରଭା ଆଇନ ସହାୟତା ପାଇଁ ଜେଏମ୍‌ଏଫସି କୋର୍ଟ ବିଚାରପତି ତଥା ତାଲୁକା ଆଇନ ସେବା କମିଟିର ଅଧ୍ୟକ୍ଷା ପ୍ରଜ୍ଞା ପ୍ରିୟଦର୍ଶିନୀ ପତିଙ୍କୁ ଗୁହାରି କରିଥି‌ଲେ। ତାଙ୍କ ପରାମର୍ଶକ୍ରମେ ସେ ସପରିବାର ପୁରୁଷୋତ୍ତମପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। ତେବ‌େ ନିର୍ବାହୀ ଅଧିକାରୀଙ୍କ ଏଭଳି କାର୍ଯ୍ୟକଳାପ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ୟକ୍ତିଗତ ଆକ୍ରୋଶ ରଖି ଏକ ଗରିବ ପରିବାରକୁ ହଇରାଣ କରିବା ନିଶ୍ଚିତ ଭାବେ ନିନ୍ଦନୀୟ ବୋଲି ସହରବାସୀ କହିଛନ୍ତିି।

ସମ୍ବନ୍ଧିତ ଖବର