ବକେୟା ଟଙ୍କା ମିଳୁନଥିବାରୁ କାଗଜକଳକୁ କଂଚାମାଲ୍‌ ଯୋଗାଣ ନ କରିବାକୁ ଭେଣ୍ଡରଙ୍କ ଚେତାବନୀ 

ଜୟପୁର : କାଗଜକଳକୁ ଗତ ତିନି ମାସ ହେବ କାଠ, ବାଉଁଶ ଆଦି କଂଚାମାଲ ଯୋଗାଇ ଆସୁଥିବା ୮ଜଣ ଭେଣ୍ଡର ନିଜ ପ୍ରାପ୍ୟ ଟଙ୍କା ୩କୋଟି ୬୮ଲକ୍ଷ ଟଙ୍କା ଓ ବକେୟା ୩କୋଟି ୫୦ଲକ୍ଷ ପାଇଁ ଦାବିକରିଛନ୍ତି। ଆଜି ଏକ ବୈଠକ କରି ଆସନ୍ତା ସୋମବାର ସୁଦ୍ଧା ଏମାନଙ୍କୁ କାଗଜକଳ ବାକି ରହିଥିବା ଏବେକାର ଟଙ୍କା ସହ ବକେୟା ଟଙ୍କା ନ ଦେବା ପର୍ଯ୍ୟନ୍ତ କଂଚାମାଲ ଆଉ ଯୋଗାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

କାଗଜକଳ ଚାଲୁ, ଆମ ଅଂଚଳର ବିକାଶ ହେଉ, ଏହା ଉପରେ ନିର୍ଭର ୧୦ହଜାର ଲୋକ ବଂଚନ୍ତୁ ବୋଲି ଯେଉଁ ଚିନ୍ତା କରି ସହଯୋଗ କରି ଆସିଥିଲୁ ତାହା ଭୁଲ ପ୍ରମାଣିତ କରୁଛି ନୂଆ ପରିଚାଳନା ସଂସ୍ଥା ବୋଲି ଏମାନେ କହିଛନ୍ତି। ପୂର୍ବରୁ ଏହି ଭେଣ୍ଡରମାନେ ଜ୍ୟୋତି ପାୱାର ଲିମିଟେଡ୍ ନାମକ ସଂସ୍ଥା ଜରିଆରେ ୩କୋଟି ୫୦ଲକ୍ଷ ଟଙ୍କାର କଂଚାମାଲ ଯୋଗାଇଥିଲେ। ସେହି ବକେୟା ଟଙ୍କା ଆଜି ପର୍ଯ୍ୟନ୍ତ ପାଇ ନଥିବା ଏମାନେ କହିଛନ୍ତି। କଳ ଚାଳିଲେ, କାଗଜ ଉତ୍ପାଦନ ଓ ବିକ୍ରୀ ହେଲେ ଧିରେ ଧିରେ କଂପାନୀ ପୁରୁଣା ବକେୟା ଟଙ୍କା ଦେବାକୁ ଯେଉଁ ପ୍ରତିଶ୍ରୃତି ଦେଇଥିଲେ ତାହା ବି ପାଳନ ହେଉନି। ଏହା ସାଙ୍ଗକୁ ନୂଆ ପୁଣି ଏତେ ଟଙ୍କାର ବକେୟା କୁ ନେଇ ଆମେ ସବୁ ଚିନ୍ତାରେ ରହୁଛୁ ବୋଲି ଏମାନେ କହିଛନ୍ତି। ଗ୍ରାମାଂଚଳରୁ ଆମେ କଂଚାମାଲ ନିଜେ କିଣି ଯୋଗାଉଛୁ । ଏତେ ଟଙ୍କା ବକେୟା ରହିବା ଫଳରେ ଟ୍ରକ ଭଡା ସହ ମାସିକ କିସ୍ତି, ବ୍ୟାଙ୍କ ଋଣ, ହାତ ଉଧାର ଆଦି ସୁଝିବା ବି ବହୁ କଷ୍ଠ ହେଉଛି ବୋଲି ଭେଣ୍ଡର ମାନେ କହିଛନ୍ତି।

ଭେଣ୍ଡର ମହାଲକ୍ଷ୍ମୀ ଏଣ୍ଟରପ୍ରାଇଜେର୍ସର ୫୫ଲକ୍ଷ, ବିକେପି ଟ୍ରେଡିଂର ୮୦ଲକ୍ଷ, ବାବୁଲା ନାୟକଙ୍କର ୬୦ଲକ୍ଷ, ସୁହାନି ଏଣ୍ଟରପ୍ରାଇଜେର୍ସର ୪୦ଲକ୍ଷ, ମଧୁସୂଦନଙ୍କର ୧୫ଲକ୍ଷ, ମାରୁତି ଟ୍ରେଡିଂର ୨୦ଲକ୍ଷ, ଖୁସି ଏଣ୍ଟର ପ୍ରାଇଜେର୍ସର ୭୩ଲକ୍ଷ, କ୍ରୀଷ୍ଣା ଏଣ୍ଟରପ୍ରାଇଜେର୍ସର ୨୦ଲକ୍ଷ, ଓ ଗେଟରେ କିଣିବା ୫ଲକ୍ଷ ଏଭଳି ୩କୋଟି ୬୮ଲକ୍ଷ ଟଙ୍କା ବକେୟା ରହିଥିବା ଭେଣ୍ଡର ମାନେ କହିଛନ୍ତି। ୩ମାସର କଂଚାମାଲ ଟଙ୍କା ୩କୋଟି ୬୮ଲକ୍ଷ, ବକେୟା ୩କୋଟି ୫୦ଲକ୍ଷ ସୋମବାର ସୁଦ୍ଧା ନ ଦେଲେ ଭେଣ୍ଡର ମାନେ କଂଚାମାଲ ଯୋଗାଇବା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏଣିକି ଯେତିକି ଟଙ୍କାର କାଠ ଦେବେ ଏବଂ ବିଲ୍ ହେବ ଚୁକ୍ତିନାମା ଅନୁଯାୟୀ ସେହି ସପ୍ତାହରେ ହିଁ ଟଙ୍କା ଆଦାୟ କରାଯିବାକୁ ଏମାନେ ନିଷ୍ପତି ନେଇଛନ୍ତି।

ସମ୍ବନ୍ଧିତ ଖବର