ଭାଉଜଙ୍କୁ ଦୁର୍ବ୍ୟବହାରର ପ୍ରତିବାଦ କରିବାରୁ ଦିଅରଙ୍କୁ ଗୁଳି : ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି

ସମ୍ବଲପୁର : ପୁଣି ସମ୍ବଲପୁର ସହରରେ ଫୁଟିଛି ଗୁଳି। ଭାଉଜଙ୍କୁ ଦୁର୍ବ୍ୟବହାରର ପ୍ରତିବାଦ କରିବାରୁ ଦିଅରଙ୍କୁ ବିଚ୍‌ ରାସ୍ତାରେ ଗୁଳି ମାରି ଫେରାର ହୋଇ ଯାଇଛନ୍ତି ୪ ଦୁର୍ବୃତ୍ତ। ଘଟଣା ଘଟିଛି ଜନଗହଳି ପୂର୍ଣ୍ଣ କ୍ଷେତରାଜପୁର ଥାନା ଚେରୁଆପଡ଼ା ଫାର୍ମ ରୋଡ୍‌ରେ। ଆହତ ଯୁବକ ଜଣେ‌ ବ୍ୟବସାୟୀ ଓ ତାଙ୍କ ନାମ ରୂପକ ସ୍ବାଇଁ(୩୨)। ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କ୍ଷେତରାଜପୁର ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର କୌଣସି ଦୁର୍ବୃତ୍ତଙ୍କୁ ଗିରଫ କରି ପାରିନାହିଁ। ଆହତ ରୂପକଙ୍କ ଭାଇ ଟିକୁଙ୍କ କହିବା ମୁତାବକ, ଆକ୍ରମଣ କରିଥିବା ୪ ଯୁବକଙ୍କ ମଧ୍ୟରୁ ଜଣେ ରେଲ ନଗର ଅଞ୍ଚଳର ଝସକେତନ ଜାଲ। ସେ ଅଇଁଠାପାଲିର ଏକ ମାର୍ବଲ ଦୋକାନରେ କାର୍ଯ୍ୟ କରନ୍ତି। ଅନ୍ୟ ୩ ଜଣଙ୍କୁ ସେ ଚିହ୍ନି ନଥିବା ଗଣମାଧ୍ୟମକୁ କହିଛନ୍ତି। ଏସ୍‌ପି ସଞ୍ଜିବ ଅରୋରା କହିଛନ୍ତି, ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି। ଅତିଶୀଘ୍ର ସେମାନଙ୍କୁ ଗିରଫ କରାଯିବ।

ମିଳିଥିବା ସୂଚନା ମୁତାବକ, ରୂପକ ଆଜି ଟେଲିଫୋନ୍‌ ଏକ୍ସଚେଞ୍ଜ ସମ୍ମୁଖ ତାଙ୍କ ଦୋକାନ ସାମନାରେ ଛିଡ଼ା ହୋଇଥିବା ବେଳେ ମାର୍କେଟ ଯିବା ପାଇଁ ବଡ଼ଭାଇ ଟିକୁ ସ୍ବାଇଁ, ଭାଉଜ ଓ ପୁତୁରା ଆସି ଦୋକାନ ସମ୍ମୁଖରେ ପହଞ୍ଚିଥିଲେ। ତେବେ ରାସ୍ତା ଉପରେ ହଠାତ୍ ୨ ଜଣ ଯୁବକ ଏକ ହୋଣ୍ଡା ଏକ୍ସଟ୍ରିମ୍‌ ବାଇକ୍‌‌ରେ ଆସି ରୂପକଙ୍କ ଭାଉଜଙ୍କୁ ଦୁର୍ବ୍ୟବହା‌ର କରିଥିଲେ। ଏହା ଦେଖି ରୂପକ ଓ ଟିକୁ ପ୍ରତିବାଦ କରିଥିଲେ। ଯୁବକମାନଙ୍କ ସହ ସେମାନଙ୍କ ବଚସା ହୋଇଥିଲା। ଏତିକି ବେଳେ ଉକ୍ତ ଯୁବକଙ୍କ ଆଉ ୨ ଜଣ ବନ୍ଧୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ରୂପକ ଓ ଟିକୁ ସହ ଝଗଡ଼ା କରିଥିଲେ। ଝଗଡ଼ା ମଧ୍ୟରେ ବାଇକ୍‌ରେ ଆସିଥିବା ୨ ଯୁବକ ହଠାତ ୪ ରାଉଣ୍ଡ ଗୁଳି ଫୁଟାଇଥିଲେ। ଗୋଟିଏ ଗୁଳି ରୂପକଙ୍କ ତଳିପେଟ ଓ ସମ୍ବେଦନଶୀଳ ଅଙ୍ଗରେ ବାଜିଥିଲା। ଘଟଣାସ୍ଥଳରେ ହିଁ ରୂପକ ତଳେ ପଡ଼ି ଯାଇଥିଲେ। ଗୁଳି ଫୁଟାଇ ଯୁବକମାନେ ରେଳ ଷ୍ଟେସନ ପଟକୁ କ୍ଷୀପ୍ର ଗତିରେ ଫେରାର୍‌ ହୋଇଯାଇଥିଲେ। ଉପସ୍ଥିତ ଲୋକେ ଓ ଭାଇ ଟିକୁ ରୂପକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।

ସମ୍ବନ୍ଧିତ ଖବର