ଖୋଦ୍ ସମ୍ବଲପୁର ଜିଲ୍ଲାପାଳ ମାନୁ ନାହାନ୍ତି ନିୟମ

ସମ୍ବଲପୁର: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌(ଏଚ୍‌ଏସଆରପି) ପ୍ରହସନ ପାଲଟି ଯାଇଛି। ଗାଡ଼ିକୁ ସହଜରେ ଚି଼ହ୍ନଟ କରିବା ଉଦେଶ୍ୟରେ ୨୦୨୨ ମସିହାରେ ପରିବହନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରି ରାଜ୍ୟରେ ଥିବା ସମସ୍ତ ପରିବହନ ବିଭାଗକୁ ଏଚ୍‌ଏସଆରପି ପାଇଁ ନିର୍ଦେଶ ଦିଆଯାଇଥିଲା। ଏପ୍ରିଲ ୨୦୧୯ ପୂର୍ବର ସମସ୍ତ ଗାଡ଼ିରେ ଏଚ୍‌ଏସଆରପି ଲଗାଇବା ପାଇଁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଥିଲା। ଯାହାର ଶେଷ ସମୟ ସୀମା ୨୦୨୩ ଫେବ୍ରୁଆରି ୨୮ ତାରିଖ ଥିଲା। ତାରିଖ ଶେଷ ହେଲା ପରେ ପରିବହନ ବିଭାଗ ପକ୍ଷରୁ ଚେତାବନୀ ବି ଜାରି ହେଲା। ଅନେକ ଗାଡ଼ିକୁ ଜରିମାନା ବି କରାଗଲା। ସେତିକିରେ କଥା ଶେଷ ହୋଇ ନଥିଲା। ଗତ ଜୁନ ୨୩ରୁ ଆରମ୍ଭ ସ୍ପେସାଲ ଡ୍ରାଇଭ ବି କରାଗଲା। ଏସବୁ ଭୟରେ ଅଧିକାଂଶ ଲୋକ ନିଜର କାମଧନ୍ଦା ଛାଡ଼ି ଏଚ୍‌ଏସଆରପି ଲଗାଇଲେ। କିନ୍ତୁ କିଛି ଅମାନିଆ ଆଜି ବି ବେଧଡ଼କ ବିନା ଏଚ୍‌ଏସଆରପି ନମ୍ବରରେ ଗାଡ଼ି ଗଡ଼ାଉଥିବା ଦେଖିବାକୁ ମିଳିଛି।

ସବୁଠାରୁ ଆଶ୍ଚର୍ଯ୍ୟ ଜନକ ଚିତ୍ର ସମ୍ବଲପୁରରେ ଦେଖିବାକୁ ମିଳିଛି। ଏଠି ଖୋଦ୍‌ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରଵାଲ୍‌ ବ୍ୟବହାର କରୁଥିବା ସ୍କୋର୍ପିଓ (ଓଡି ୧୫ୟୁ ୩୦୮୮) ଗାଡ଼ିରେ ବି ଏଚ୍‌ଏସଆରପି ଲାଗିନାହିଁ। ପରିବହନ ବିଭାଗର ନିୟମକୁ ଜିଲ୍ଲାପାଳ ଏଠି ଉଲ୍ଲଙ୍ଘନ କରୁଛନ୍ତି। କିନ୍ତୁ ପରିବହନ ବିଭାଗ ସବୁ ଦେଖି ଅଣଦେଖା କରୁଛି। ଗୋଟିଏ ପଟେ ଏଚ୍‌ଏସଆରପି ନ ଲଗାଇଥିବାରୁ ୨୦୨୩ ଫେବ୍ରୁଆରି ମାସର ପ୍ରଥମ ୨ ସପ୍ତାହରେ ରାଜ୍ୟରେ ପାଖାପାଖି ୩ ହଜାର ଗାଡ଼ିର ଚାଲାଣ କଟାଯାଇଥିଲା। ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକୁ ଜରିମାନା ବି କରାଯାଇଥିଲା। ସମ୍ବଲପୁରରେ ମଧ୍ୟ ଅନେକ ଗାଡ଼ିର ଜରିମାନା କଟାଗଲା। ଏଠି ସାଧାରଣ ଲୋକଙ୍କ ଗାଡ଼ିରେ ଏଚ୍‌ଏସଆରପି ନ ଲାଗିଥିଲେ ଜରିମାନା କରାଯାଉଛି। ଅନ୍ୟପଟେ ଏଚ୍‌ଏସଆରପି ଲଗାଇବାର ସମୟସୀମା ଶେଷ ହେବାକୁ ଇତି ମଧ୍ୟରେ ବର୍ଷେ ହେବାକୁ ବସିଲାଣି। ତାପରେ ମଧ୍ୟ ସମ୍ବଲପୁର ଜିଲ୍ଲାପାଳଙ୍କ ଗାଡ଼ିରେ ତାହା ଲାଗି ପାରୁନାହିଁ। ବଡ଼ ଅଧିକାରୀ ବୋଲି ପରିବହନ ବିଭାଗ ନିରବଦ୍ରଷ୍ଟା ସାଜିଛି, ନା ଅଧିକାରୀଙ୍କ ଅଣଦେଖା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର