ପରିବାରବାଦ ରାଜନୀତିକୁ ପ୍ରତ୍ୟାଖ୍ୟାନ: ଦୁର୍ଗାଙ୍କୁ ସାହାହେଲା ସୁବ୍ରତ ବିରୋଧୀ ହାୱା

ରଘୁନାଥପାଲି ନିର୍ବାଚନମଣ୍ଡଳୀ

ରାଉରକେଲା: ପରିବାରବାଦ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରଘୁନାଥପାଲି ନିର୍ବାଚନମଣ୍ଡଳୀବାସୀ। ଲଗାତାର ତିନିଥର ବିଜେଡିରୁ ଜିତିଥିବା ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନାରେଖା ବେ‌ହେରାଙ୍କୁ ଦଳ ଟିକଟ ଦେବାପରଠାରୁ ଯେଉଁ ଅସନ୍ତୋଷ ଲାଗିରହିଥିଲା, ତାହା ମତଦାନରେ ଦେଖିବାକୁ ମିଳିଛି। ବିଜେଡି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ୫୭୭୪ ଖଣ୍ଡ ଭୋଟ୍‌ରେ ଅର୍ଚ୍ଚନାରେଖାଙ୍କୁ ପରାସ୍ତ କରିଛନ୍ତି। ଶ୍ରୀ ତନ୍ତୀ ୫୧,୧୮୯ ଭୋଟ୍‌(୪୩.୭୨%) ପାଇଥିବାବେଳେ ଶ୍ରୀମତୀ ବେହେରା ୪୫,୪୧୫(୩୮.୭୯%) ଖଣ୍ଡ ଭୋଟ୍‌ ପାଇଛନ୍ତି। ତୃତୀୟ ସ୍ଥାନରେ ଥିବା କଂଗ୍ରେସର ଗୋପାଳ ଦାସ ୧୭.୦୩୮(୧୪.୫୫%) ଖଣ୍ଡ ଭୋଟ୍‌ ପାଇଛନ୍ତି।
ଏହି ଆସନରେ ଏଥର ତିନି ପ୍ରମୁଖ ଦଳ, ବିଜେପି, ବିଜେଡି ଓ କଂଗ୍ରେସ ନୂଆ ମୁହଁକୁ ସୁଯୋଗ ଦେଇଥିଲା। ବିଜେପିରୁ ଦୁର୍ଗାଚରଣ ତନ୍ତୀ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସରୁ ଗୋପାଳ ଦାସ ଓ ବିଜେଡିରୁ ଅର୍ଚ୍ଚନାରେଖା ପ୍ରତିଦ୍ବନ୍ଦ୍ବିତା କରିଥିଲେ। ତିନି ଜଣ ପ୍ରାର୍ଥୀ ପ୍ରଥମଥରପାଇଁ ଲଢ଼ୁଥିବାରୁ ଭୋଟର୍‌ କାହାକୁ ବାଛିବେ ସେନେଇ ଦ୍ବନ୍ଦ୍ବରେ ରହିଥିଲେ। ତେବେ ସୁବ୍ରତଙ୍କ ପ୍ରତି ଥିବା ଜନଅସନ୍ତୋଷ ହିଁ ଅର୍ଚ୍ଚନାରେଖାଙ୍କ ପ୍ରତି କାଳ ପାଲଟିଛି। ୨୦୧୯ ନିର୍ବାଚନରେ ହ୍ୟାଟ୍ରିକ୍‌ ବିଜୟ ଲାଭକରିବାପରେ ସୁବ୍ରତ ନିର୍ବାଚନମଣ୍ଡଳୀରୁ ଏକପ୍ରକାର ଅର୍ନ୍ତଧ୍ୟାନ ହୋଇଯାଇଥିଲେ। ଏମିତିକି ତାଙ୍କ ବିରୋଧରେ ନିଖୋଜ ଥିବା ବି ପୋଷ୍ଟର୍‌ ମରାଯାଇଥିଲା।
ଚଳିତ ନିର୍ବାଚନ ପ୍ରାୟ ୪/୫ ପୂର୍ବେ ସୁବ୍ରତ ଅଜ୍ଞାତବାସରୁ ଫେରି ବିଭିନ୍ନ ବସ୍ତି ଅଞ୍ଚଳ ପରିଦର୍ଶନରେ ବାହାରିଥିଲେ; କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ବିରୋଧ କରାଯାଇଥିଲା। ଫଳରେ ସୁବ୍ରତ ଲୋକପ୍ରିୟତା ହରାଇଥିବା ସ୍ପଷ୍ଟ ହୋଇଥିଲା। ସୁବ୍ରତଙ୍କ ଟିକଟ୍‌କଟିବା ନେଇ ସ୍ପଷ୍ଟହେବାପରେ ବିଜେଡି ଅନ୍ୟ ନେତାଙ୍କୁ ସୁଯୋଗ ଦେବବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଶେଷ ମୂହୁର୍ତ୍ତରେ ପରିବାରବାଦକୁ ପ୍ରୋତ୍ସାହିତକରି ବିଜେଡି ଅର୍ଚ୍ଚନାରେଖାଙ୍କୁ ଟିକଟ୍‌ ଦେଇଥିଲା, ଯାହାକି ଦଳ ପାଇଁ ବୁମେରାଂ ପାଲଟିଥିଲା। ଅପରପକ୍ଷରେ ଏହି ବିଜେଡି ବିରୋଧୀ ହାୱା ବିଜେପି ପ୍ରାର୍ଥୀ ଦୁର୍ଗା ଚରଣଙ୍କୁ ବହୁମାତ୍ରାରେ ସୁହାଇଥିଲା। ଶେଷପର୍ଯ୍ୟନ୍ତ ସୁବ୍ରତ ବିରୋଧୀ ହାୱା ଲାଗିରହିବାରୁ ଶ୍ରୀ ତନ୍ତୀଙ୍କୁ ବିଜୟ ପଥକୁ ସୁଗମ କରିଥିଲା।
ସମ୍ବନ୍ଧିତ ଖବର