ଶକ୍ତିମନ୍ତ୍ରୀଙ୍କ ସଭାରେ ବିଜୁଳି କଟିବା ଘଟଣା ସରକାରଙ୍କ ଅପାରଗତା

ସୋର/ବାହାନଗା: ରାଜ୍ୟରେ ବିଜୁଳି କାଟ୍‌ ହେଉନି। ଉପଭୋକ୍ତା ଅଧିକ ବିଜୁଳି ବ୍ୟବହାର କରୁଥିବାରୁ ଟ୍ରିପ୍ କରୁଛି ବୋଲି ୪ ଦିନ ତଳେ କହିଥିଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ। ହେଲେ ବାହାନଗା ଶ୍ରଦ୍ଧାଞ୍ଜଳି ସଭାରେ କ’ଣ ହେଲା ତାହା ଓଡ଼ିଶାବାସୀ ଦେଖିଲେ? ସେ ସମୟରେ ବର୍ଷାପବନ କିମ୍ବା ଝଡ଼ତୋଫାନ ତ ହୋଇନଥିଲା। ଅଧଘଣ୍ଟା ଧରି ବିଜୁଳି ଚାଲିଗଲା, ରୁମାଲ ବାହାର କରି ମନ୍ତ୍ରୀଙ୍କ ସମେତ ଅନ୍ୟମାନେ ଝାଳ ପୋଛାପୋଛି ହେଲେ। ଶକ୍ତିମନ୍ତ୍ରୀଙ୍କ ସଭାରେ ବିଜୁଳି କଟିଯାଉଛି, ଏହାଠାରୁ ଦୁର୍ଭାଗ୍ୟର କଥା ଆଉ କ’ଣ ହୋଇପାରେ? ଯେତେ ବାହାନା ଦର୍ଶାଇଲେ ବି ଓଡ଼ିଶାରେ ବିଜୁଳି ଯୋଗାଣ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ପରିଚାଳନାଗତ ସମସ୍ୟା ଆହୁରି ସାଂଘାତିକ। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବା ଅବସରରେ ଆଜି ରାଜ୍ୟ ସରକାରଙ୍କ ଉପରେ ଏମିତି ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ଆଜି ବାହାନଗାରେ ପହଞ୍ଚି ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଭଳି ଏକ ଭୟଙ୍କର ବିପତ୍ତି ସମୟରେ ବାହାନଗା ଗ୍ରାମବାସୀ ଓ ବାଲେଶ୍ବର ଜିଲ୍ଲାବାସୀ ଯେଭଳି ଅକୁଣ୍ଠ ଚିତ୍ତରେ ସହାୟତା ପାଇଁ ଆଗେଇ ଆସିଲେ ତାକୁ ଭୂୟସୀ ପ୍ରଶଂସା କରିଥି​ଲେ ଶ୍ରୀ ପଟ୍ଟନାୟକ। ମଣିଷପଣିଆ ଏବେ ବି ବଞ୍ଚିଛି। ଏଥିପାଇଁ ବାହାନଗାବାସୀଙ୍କ ପାଖରେ ସମସ୍ତେ କୃତଜ୍ଞ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ଗତକାଲି ଏକାଦଶାହ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ସମେତ ଅନେକ ରାଜନେତା ଯୋଗ ଦେଇଥିଲେ। ଏହି ସମୟରେ ଅଧଘଣ୍ଟାରୁ ଅଧିକ ସମୟ ଧରି ବିଜୁଳି କଟିଯାଇଥିଲା। ଉପସ୍ଥିତ ଲୋକମାନେ ଶକ୍ତିମନ୍ତ୍ରୀଙ୍କ ସଭାରେ ମଧ୍ୟ ବିଦ୍ୟୁତ କାଟ୍‌ ହେଉଛି କହି କଟାକ୍ଷ କରିଥିଲେ। ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଆଜି ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଉପରୋକ୍ତ ମନ୍ତବ୍ୟ ଦେବା ସହ ବିଦ୍ୟୁତ୍‌ ବିଭ୍ରାଟ ସରକାରଙ୍କ ଅପାରଗତାକୁ ପ୍ରମାଣିତ କରୁଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର