ମିଳିତ ଭସାଣି ଉତ୍ସବ ଫସରଫାଟିଲା, ଯୋଗଦେଲେନି ୧୨ ମଣ୍ଡପ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଗଜଲକ୍ଷ୍ମୀ ପୂଜାକୁ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ସହ ତୁଳନା କରାଯାଇ ଜାକଜମକରେ ସାମୂହିକ ଭସାଣି ଉତ୍ସବ ପାଳନ କରିବାକୁ ଯୋଜନା କରାଯାଇଥିଲା। ଏନେଇ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୂଜା କମିଟି କର୍ମକର୍ତ୍ତା, ସମାଜସେବୀ, ସାମ୍ବାଦିକ ଆଦିକୁ ନେଇ ଏକାଧିକ ବୈଠକ ହୋଇଥିଲା। କିନ୍ତୁ ଶେଷରେ ଆଜି ଏହି ସାମୂହିକ ଭସାଣି ଉତ୍ସବ ଫସର ଫାଟିଯାଇଛି, ପ୍ରାୟ ୪୦ ଭାଗ ମଣ୍ଡପ ଭସାଣିରେ ଭାଗ ନେଇନାହାନ୍ତି। ସେପ୍ଟମ୍ବର ୧୭ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ସମସ୍ତ ୩୧ଟି କମିଟିର ପୂଜା ମେଢ଼ କୌଣସି ବଡ଼ ପଡ଼ିଆରେ ଏକତ୍ରିତ ହୋଇ ଗୋଟିଏ ରାସ୍ତାରେ ଏକସଙ୍ଗରେ ବିସର୍ଜନ କରିବେ। କିନ୍ତୁ ପରବର୍ତ୍ତୀ ବୈଠକରେ କେବଳ ନିର୍ଦ୍ଦିଷ୍ଟ କେତେକ ପୂଜା କମିଟିକୁ ଡକାଯାଇଥିଲା, ଏହାର ବିରୋଧ କରି ଗତକାଲି ରାତିରେ ୮ଟି ପୂଜା ମଣ୍ଡପ ଗଜଲକ୍ଷ୍ମୀଙ୍କ ମୃଣ୍ମୟ ପ୍ରତିମା ବିସର୍ଜନ କରିଥିବା ବେଳେ  ଆଜି ଅପରାହ୍ଣରେ ସହରର ପ୍ରମୁଖ ଠେଙ୍ଗାହାଟର ସାଗରକନ୍ୟା ପୂଜା କମିଟି, ଗୁରୁଜଙ୍ଗର ଦୁଇଟି କମିଟିରୁ ଗୋଟିଏ, ଭାଲିଆବାଡ଼ି ଜଳସେଚନ କାର୍ଯ୍ୟାଳୟ ନିକଟ ପୂଜା କମିଟି, ନୂଆ ବସଷ୍ଟାଣ୍ଡ ଟ୍ରାଫିକ ଛକ ଓ ବୁଢ଼ିବଗିଚା ପୂଜା କମିଟି ନିଜର ବିସର୍ଜନ କାର୍ଯ୍ୟ ଶେଷ କରିଛନ୍ତି।

Sambad

ଏନେଇ ସାଗରକନ୍ୟା ପୂଜା କମିଟିର ଲଳିତ ମହାପାତ୍ର କହିଛନ୍ତି ଯେ ପ୍ରତିବର୍ଷ ଅନ୍ୟ କମିଟି ଡିଜେ ଆଦି ଶୋଭାଯାତ୍ରାରେ ବଜାଉଥିବା ବେଳେ ତାଙ୍କ ପୂଜା କମିଟି ପକ୍ଷରୁ ବିସର୍ଜନ ବେଳେ କିଛି ଅଭିନବ ମେଢ଼ ଓ ପାରମ୍ପରିକ ନୃତ୍ୟର ଶୋଭାଯାତ୍ରା କରାଯାଇଥାଏ। ଚଳିତବର୍ଷ ପରବର୍ତୀ ପ୍ରସ୍ତୁତି ବୈଠକରେ ସେମାନଙ୍କୁ ଡକାଯାଇନାହିଁ କି କିଭଳି ବିସର୍ଜନ କରାଯିବ ସେନେଇ କୌଣସି ସଠିକ ସୂଚନା ଦିଆଯାଇନାହିଁ, ଏଣୁ ସେମାନେ ଏଥିରେ ସମ୍ପୃକ୍ତ ହୋଇ ନାହାନ୍ତି। ତେବେ ଏନେଇ କୌଣସି ପ୍ରାାଶସନିକ ଅଧିକାରୀ କିମ୍ବା ପୁଲିସ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର