ଅକାଳ ମୃତ୍ୟୁ: ଅନ୍ୟମନସ୍କ ଥାଇ ଗାଧୁଆଘରେ ୱାଟରହିଟର ଧରିପକାଇଲେ ମହିଳା

ଯୁଯୁମୁରା: ମନୁଷ୍ୟ ଜନ୍ମ ହେବାର ଯଥେଷ୍ଟ ପୂର୍ବରୁ ଆଭାସ ମିଳି ଯାଇଥାଏ। କିନ୍ତୁ ମୃତ୍ୟୁ ‌କେତେବେଳେ ଆସିବ, ଏବାବଦରେ କେହି ବି ଜାଣି ନଥାନ୍ତି। ଦୁର୍ଘଟଣା ହେଉ ଅଥବା ଅଘଟଣ ଯୋଗୁଁଁ ମନୁଷ୍ୟ ଅଥବା ଅନ୍ୟ କୌଣସି ଜୀବ ଯେକୌଣସି ମୁହୂର୍ତ୍ତରେ ମୃତ୍ୟୁ ହୋଇଥାଏ। ଏମିତି ଏକ ମୃତ୍ୟୁ ଆଜି ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅଞ୍ଚଳରେ ଘଟିଛି। କୟାକୁଦ ପଞ୍ଚାୟତ ଅନ୍ତର୍ଗତ ଅନ୍ଧାରୀ ଗ୍ରାମରେ ରବିବାର ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୁତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦିଗାମ୍ବର ପ୍ରଧାନଙ୍କ ସ୍ତ୍ରୀ ଅଞ୍ଜନା ପ୍ରଧାନ(୪୫)।

ପୁଲିସ କହିବା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ ସାଢେ ୯ଟା ସମୟରେ ଅଞ୍ଜନା ଗାଧୁଆ ଘରେ ଏକ ପାତ୍ରରେ ୱାଟରହିଟର ଲଗାଇଥିଲେ। ଏହା ପରେ ଅଞ୍ଜନା ଘରର ଅନ୍ୟ କାମରେ ବ୍ୟସ୍ତ ରହିଲେ। କିଛି ସମୟ ପରେ ସେ ଗାଧୁଆ ଘରକୁ ଆସିଥିଲେ ଏବଂ  ଅନ୍ୟ ମନସ୍କ ହୋଇ ପାଣିରେ ହାତ ରଖିଦେଇଥିଲେ। ପାଣି ଗରମ ଥିବା ସହିତ ବିଦ୍ୟୁତ୍‌ କରେଣ୍ଟ ଲାଗିଥିବାରୁ ଘଟଣାସ୍ଥଳରେ ହିଁ ସେ ସଂଜ୍ଞାହୀନ ହୋଇଯାଇଥିଲେ। ଚିତ୍କାର ଶୁଣି ପରିବାରର ଅନ୍ୟ ସଦସ୍ୟମାନେ ଗାଧୁଆ ଘରକୁ ଯିବା ସମୟରେ ଅଞ୍ଚନା ଛଟପଟ ହେଉଥିଲେ।

ଅଞ୍ଜନାଙ୍କୁ ପରିବାର ଲୋକେ ପ୍ରଥମେ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ। କିନ୍ତୁ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ସମ୍ବଲପୁରରେ ପହଞ୍ଚିଲା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇଁ ଯୁଯୁମୁରା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ବୁର୍ଲା ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଏନେଇ ଯୁଯୁମୁରା ଥାନାରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର