ବିସ୍ମୃତ ବିଶ୍ବକର୍ମା

ଯେହେତୁ କାରିଗରମାନଙ୍କ ଉପରେ ବର୍ତ୍ତମାନ ସରକାରଙ୍କର ଶୁଭଦୃଷ୍ଟି ପଡ଼ିଛି, ସରକାର ଏହା ନିଶ୍ଚିତ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ଯେ ହସ୍ତ ନିର୍ମିତ ଦ୍ରବ୍ୟମାନ ଯେପରି କେବଳ ପରମ୍ପରାର ବାହକ ରୂପେ କେତେକ ଚିହ୍ନରା ଖାଉଟିମାନଙ୍କର ଆଦର ଲାଭ କରିବା ପରିବର୍ତ୍ତେ ଏଥିସହିତ ଉଚ୍ଚ ଗୁଣାତ୍ମକ ମାନର ଅଧିକାରୀ ରୂପେ ମଧ୍ୟ ବୃହତ୍ତର ଖାଉଟି ଗୋଷ୍ଠୀର ପ୍ରିୟଭାଜନ ହେବେ। ଏଥିପାଇଁ କାରିଗରମାନେ ବ୍ୟବହାର କରୁଥିବା ‌ଉପାଦାନମାନଙ୍କର ଓ ସେମାନେ ନିର୍ମାଣ କରୁଥିବା ଦ୍ରବ୍ୟମାନଙ୍କର ଗୁଣାତ୍ମକ ମାନ ପରୀକ୍ଷଣ ଓ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଆବଶ୍ୟକ।

ଭାରତ ସରକାରଙ୍କର ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନ ଯେଉଁ ଏକ ଅର୍ଥନୈତିକ ତତ୍ତ୍ବକୁ ଅନୁସରଣ କରି ରଚିତ ହୋଇଛି, ତାହା ହେଲା- ଶିଳ୍ପ ଉତ୍ପାଦନ ହେଉଛି ଅର୍ଥନୈତିକ ବିକାଶର ମୂଳ ଭିତ୍ତି। ପୃଥିବୀରେ ଅର୍ଥନୈତିକ ବିକାଶର ଇତିହାସ ସହିତ ପରିଚିତ କେହି ହେଲେ ଏହି ତତ୍ତ୍ବ ସହିତ ଦ୍ବିମତ ହେବେ ନାହିଁ। ଅଷ୍ଟାଦଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବ ପୃଥିବୀରେ ଏହି ଶିଳ୍ପଭିତ୍ତିକ ଅର୍ଥନୈତିକ ବିକାଶର ମୂଳଦୁଆ ପକାଇଥିଲା। ଶିଳ୍ପ ବିପ୍ଳବର ଯେଉଁ ଦୁଇଟି ମୂଳାଧାର ‌ଥିଲା, ତାହା ହେଲା- ଉତ୍ପାଦନରେ ଯନ୍ତ୍ରର ବ୍ୟବହାର ଏବଂ ଶ୍ରମ ବିଭାଜନ। ‌ସେବେ ଠାରୁ ଏହି ଦୁଇଟି ନିୟମର ପ୍ରୟୋଗ ଆଧୁନିକ ଶିଳ୍ପ ସଭ୍ୟତାକୁ ଆଗେଇ ନେଇ ଚାଲିଛି, ଯାହା ଯୋଗୁଁ ବିଶାଳ ଜନସଂଖ୍ୟାର ଚାହିଦା ମେଣ୍ଟାଇବା ପାଇଁ ଆବଶ୍ୟକ ବିଶାଳ ପରିମାଣର ଦ୍ରବ୍ୟ ଉତ୍ପାଦନ ସମ୍ଭବ ହୋଇଛି। କେବଳ ତାହା ନୁହେଁ, ସେଇ ଜନସମୁଦାୟର ପହୁଞ୍ଚ ମଧ୍ୟରେ ଥିବା ଭଳି ଦାମ୍‌ରେ ମଧ୍ୟ ଅଧିକାଂଶ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ ହୋଇପାରୁଛି, କାରଣ ଉପରୋକ୍ତ ଦୁଇ ନିୟମର ପ୍ରୟୋଗ ଦ୍ବାରା ଉତ୍ପାଦନ ବ୍ୟୟକୁ ସୀମିତ କରାଯାଇପାରୁଛି।
କାରଖାନାମାନଙ୍କର ଆବିର୍ଭାବ ପୂର୍ବରୁ ସମସ୍ତ ପ୍ରକାର ‘ଶିଳ୍ପ ଉତ୍ପାଦନ’ କାରିଗରମାନଙ୍କ ଦ୍ବାରା ସମ୍ପାଦିତ ହେଉଥିଲା, ଯାହା ହସ୍ତଶିଳ୍ପ ବା କୁଟୀର ଶିଳ୍ପ ରୂପେ ପରିଚିତ। ଲୁଗା ବୁଣା, କାଠ କାମ, ଲୁହା କାମରୁ ଜୋତା ସିଲେଇ ପର୍ଯ୍ୟନ୍ତ ଥିଲା କୁଶଳୀ କାରିଗରମାନଙ୍କର ଇଲାକା ଅନ୍ତର୍ଭୁକ୍ତ। ଏହି କାରିଗରମାନଙ୍କର ସେମାନଙ୍କର କାର୍ଯ୍ୟ ସହିତ ଥିବା ସମ୍ପର୍କ କେବଳ ଆୟ ଅର୍ଜନରେ ସୀମିତ ନ ଥିଲା, ଏହା ସହିତ ମଧ୍ୟ ସର୍ବଦା ମିଶି କରି ରହିଥିଲା ସେମାନଙ୍କ ସୃଷ୍ଟିର ଗୁଣାତ୍ମକ ମାନ ନେଇ କାରିଗରମାନଙ୍କର ଗଭୀର ଆତ୍ମସନ୍ତୋଷ ଓ ଗର୍ବବୋଧ। କାରଖାନାରେ ଉତ୍ପାଦନରେ ଶ୍ରମ ବିଭାଜନ ନିୟମର ପ୍ରୟୋଗ ପରେ କୌଣସି ବ୍ୟକ୍ତି ଆଉ ପୂର୍ବର କାରିଗର ଭଳି କୌଣସି ଦ୍ରବ୍ୟର ସମ୍ପୂର୍ଣ୍ଣ ଉତ୍ପାଦନ ପ୍ରକ୍ରିୟା ସହିତ ସମ୍ପୃକ୍ତ ହୋଇ ନ ଥାଏ, ଏଣୁ ସେମାନଙ୍କ ଠାରେ ପୂର୍ବର କାରିଗର ସୁଲଭ ସନ୍ତୋଷ ବା ଗର୍ବବୋଧର ଚିହ୍ନବର୍ଣ୍ଣ ନ ଥାଏ।
ତେବେ ଶିଳ୍ପାୟନର ଏହି ଜୟଯାତ୍ରା ସତ୍ତ୍ବେ ଭାରତ ଭଳି ଦେଶରେ ତଥାପି ଏବେ ବି କେତେକ କ୍ଷେତ୍ରରେ କାରିଗରମ‌ାନେ ସକ୍ରିୟ ଅଛନ୍ତି ଯେଉଁମାନେ ମୁଖ୍ୟସ୍ରୋତର ବିପରୀତ ଦିଗରେ ସନ୍ତରଣ କଲା ଭଳି ନିଜର ସୃଜନଶୀଳ କଳା ପ୍ରତି ପ୍ରେମର ଦୁର୍ବାର ଆକର୍ଷଣ ଯୋଗୁଁ ଚାର୍ଲ‌୍ସ ଡିକେନ୍‌ସ କିମ୍ବା ମାକ୍ସିମ୍‌ ଗର୍କିଙ୍କ କାରଖାନା ଦାନବ ନିକଟରେ ପରାଜୟ ସ୍ବୀକାର ନ କରି, ନିଜର ପାରମ୍ପରିକ ବୃତ୍ତିକୁ ପରିତ୍ୟାଗ କରିନାହାନ୍ତି। ଏମାନେ କେବଳ ଜୀବିକା ଅର୍ଜନକାରୀ କାରିଗର ନୁହନ୍ତି, ଏମାନେ ମଧ୍ୟ ହେଉଛନ୍ତି ପରମ୍ପରାର ରକ୍ଷକ। ଏମାନଙ୍କ ମଧ୍ୟରୁ ଅଧିକାଂଶ ହୋଇଥାନ୍ତି ସ୍ବଳ୍ପ ଆୟ ଅର୍ଜନକାରୀ ଏବଂ ଅସ୍ବଚ୍ଛଳ ଆର୍ଥିକ ଅବସ୍ଥା ଦେଇ ଗତି କରିଥାନ୍ତି। ସ୍ବାଭାବିକ ଭାବରେ ‘ମେକ୍‌ ଇନ୍‌ ଇଣ୍ଡିଆ’ ଅନ୍ତର୍ଗତ କୌଣସି ପ୍ରୋତ୍ସାହନ ପରିଯୋଜନା ଏମାନଙ୍କ ପ୍ରତି ପ୍ରଯୁଜ୍ୟ ହୋଇନଥାଏ। ବର୍ତ୍ତମାନର ସରକାର ପରମ୍ପରାର ରକ୍ଷକ ରୂପେ ନିଜକୁ ପ୍ରଦର୍ଶିତ କରୁଥିଲେ ହେଁ ପରମ୍ପରା ରକ୍ଷା ଯୁଦ୍ଧର ଏହି ପଦାତିକମାନେ ଏପର୍ଯ୍ୟନ୍ତ ବିସ୍ମୃତ, ଅବହେଳିତ ହୋଇ ରହିଥିଲେ।
ସୁଖର କଥା ବିଳମ୍ବରେ ହେଉ ପଛ‌େକ ସରକାର ଏ ସମ୍ବନ୍ଧରେ ସଚେତନ ହୋଇଥିବାର ପ୍ରମାଣ ବହନ କଲାଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସ୍ବାଧୀନତା ଦିବସର ଅଭିଭାଷଣରେ ମୁଖ୍ୟତଃ ଅର୍ଥନୀତିର ଅସଂଗଠିତ କ୍ଷେତ୍ରରେ ସକ୍ରିୟ ଥିବା ଏହି କାରିଗରମାନଙ୍କ ପ୍ରତି ସହାୟତାର ହାତ ବଢ଼ାଇଛନ୍ତି। ଏହି ଉଦ୍ଦେଶ୍ୟ‌େର ସେଦିନ ସେ ଘୋଷଣା କରିଥିବା ‘ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା’ ଦିନକ ପରେ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ଲାଭ କରି ଏକ ବିଧିବଦ୍ଧ କାର୍ଯ୍ୟକ୍ରମରେ ପରିଣତ ହୋଇଛି।‌ ଏହି ଯୋଜନା ଯେଉଁ ୧୮ଟି ଶ୍ରେଣୀର କାରିଗରମାନଙ୍କ ପ୍ରତି ଉଦ୍ଦିଷ୍ଟ, ସେଥିରେ ଅନ୍ତର୍ଭୁକ୍ତ ଅଛନ୍ତି ସ୍ବର୍ଣ୍ଣକାରରୁ କୁମ୍ଭକାର ପର୍ଯ୍ୟନ୍ତ, କାଠ କାରିଗରରୁ ଲୁହା କାରିଗର ପର୍ଯ୍ୟନ୍ତ, କେଶ ପ୍ରସାଧନକାରୀ, ପୋଷାକ ନିର୍ମାତା ଓ ମାଛ ଧରା ଜାଲ ବୁଣାଳି ପର୍ଯ୍ୟନ୍ତ କାରିଗରମାନେ।
ଏହି ଯୋଜନାର ଅଂଶ ସ୍ବରୂପ ଏହି କାରିଗରମାନଙ୍କୁ ଏକ ନୀଚା ବାର୍ଷିକ ୫ ଶତାଂଶ ସୁଧ ହାରରେ ଦୁଇଟି କିସ୍ତିରେ ୩ ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି, ଯେଉଁଥିପାଇଁ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୧୩,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। କାରିଗରମାନଙ୍କୁ ପାଣ୍ଠି ଯୋଗାଇବା ଏହି ‘ବିଶ୍ବକର୍ମା ଯୋଜନା’ର ମୁଖ୍ୟ ଲକ୍ଷ୍ୟ ହୋଇଥିଲେ ହେଁ, ଯୋଜନାଟି ଏଥି ମଧ୍ୟରେ ସୀମିତ ନୁହେଁ। କାରିଗରମାନଙ୍କର ଦକ୍ଷତାରେ ଉନ୍ନତି ବିଧାନ, ଉପକରଣ ଯୋଗାଣ, ଡିଜିଟାଲ୍‌ କାରବାର ପାଇଁ ପ୍ରୋତ୍ସାହନ ଏବଂ କାରିଗରମାନଙ୍କ ଦ୍ବାରା ନିର୍ମିତ ଦ୍ରବ୍ୟମାନଙ୍କର ବିକ୍ରୟ ପାଇଁ ସହାୟତା ପ୍ରଦାନ ଆଦି ମଧ୍ୟ ଏହି ଯୋଜନାର ଅଂଶ ବିଶେଷ।
କ୍ଷୋଭର ବିଷୟ ଯେ ବିଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ କାରିଗରମାନଙ୍କ ସମ୍ବନ୍ଧରେ ସୂଚନା ସଂଗ୍ରହ ନିମିତ୍ତ କୌଣସି ସର୍ବେକ୍ଷଣ କରାଯାଇନାହିଁ। ୨୦୧୨ରେ ସମାପ୍ତ ହୋଇଥିବା ସପ୍ତମ ଯୋଜନା ସମୟରେ ଦେଶରେ ସବିଶେଷ କାରିଗର ଗଣନା ଅନୁଷ୍ଠିତ ହୋଇଥିଲା। ସେଇ ପୁରୁଣା ସୂଚନା ଅନୁସାରେ ଦେଶରେ ସେତେବେଳେ କାରିଗରମାନଙ୍କର ସଂଖ୍ୟା ଥିଲା ପ୍ରାୟ ୬୯ ଲକ୍ଷ। ଯାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ, ଏହି କାରିଗରମାନଙ୍କ ମଧ୍ୟରୁ ମହିଳାମାନଙ୍କର ଅନୁପାତ ୫୬ ଶତାଂଶରୁ ଅଧିକ ହୋଇଥିବା ବେଳେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗମାନଙ୍କର ମିଳିତ ଅନୁପାତ ଥିଲା ଏକ ସୁଉଚ୍ଚ ୭୨ ଶତାଂଶ। ଏଥିରୁ ସ୍ପଷ୍ଟ ହୋଇଥାଏ ଯେ ସରକାର କାରିଗରମାନଙ୍କ ପ୍ରତି ଯେଉଁ ସହାୟତାର ହାତ ବଢ଼ାଇଛନ୍ତି, ତାହା ମଧ୍ୟ ଏକ ଅତିଶୟ ଗୁରୁତ୍ବପୂର୍ଣ୍ଣ ତଥା ସ୍ବାଗତଯୋଗ୍ୟ ପାର୍ଶ୍ବ ଫଳ ସ୍ବରୂପ ଲିଙ୍ଗଗତ ନ୍ୟାୟ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ସହାୟକ ହେବ।
ଯେହେତୁ କାରିଗରମାନଙ୍କ ଉପରେ ବର୍ତ୍ତମାନ ସରକାରଙ୍କର ଶୁଭଦୃଷ୍ଟି ପଡ଼ିଛି, ସରକାର ଏହା ନିଶ୍ଚିତ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ଯେ ହସ୍ତ ନିର୍ମିତ ଦ୍ରବ୍ୟମାନ ଯେପରି କେବଳ ପରମ୍ପରାର ବାହକ ରୂପେ କେତେକ ଚିହ୍ନରା ଖାଉଟିମାନଙ୍କର ଆଦର ଲାଭ କରିବା ପରିବର୍ତ୍ତେ ଏଥିସହିତ ଉଚ୍ଚ ଗୁଣାତ୍ମକ ମାନର ଅଧିକାରୀ ରୂପେ ମଧ୍ୟ ବୃହତ୍ତର ଖାଉଟି ଗୋଷ୍ଠୀର ପ୍ରିୟଭାଜନ ହେବେ। ଏଥିପାଇଁ କାରିଗରମାନେ ବ୍ୟବହାର କରୁଥିବା ‌ଉପାଦାନମାନଙ୍କର ଓ ସେମାନେ ନିର୍ମାଣ କରୁଥିବା ଦ୍ରବ୍ୟମାନଙ୍କର ଗୁଣାତ୍ମକ ମାନ ପରୀକ୍ଷଣ ଓ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଆବଶ୍ୟକ। ଏହା କେବଳ କାରିଗରୀ ଦ୍ରବ୍ୟମାନଙ୍କ ପ୍ରତି ଘରୋଇ ବଜାରରେ ଚାହିଦା ବୃଦ୍ଧି କରିବ, ତାହା ନୁହେଁ, ଆନ୍ତର୍ଜାତିକ ବଜାରରେ ମଧ୍ୟ ଏ ଦ୍ରବ୍ୟମାନ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାରର ଅଣ-ଶୁଳ୍‌କ ପ୍ରତିବନ୍ଧମାନ ଅତିକ୍ରମ କରିବାରେ ସହାୟକ ହେବ। ଏଥି ସହିତ ଏହା ମଧ୍ୟ ମନେ ରଖିବା ଉଚିତ ହେବ ଯେ ସେମାନେ ନିର୍ମାଣ କରୁଥିବା ଦ୍ରବ୍ୟମାନଙ୍କର ପାରମ୍ପରିକ ଚରିତ୍ର ଓ ଆକର୍ଷଣ ଅକ୍ଷୁଣ୍ଣ ରଖିବା ସହିତ କାରିଗରମାନେ ମଧ୍ୟ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଦ୍ବାରା ନିଜର ଦକ୍ଷତାରେ ଉଲ୍ଲେଖନୀୟ ଉନ୍ନତି ଘଟାଇ ପାରିବେ, ଯାହା ସେମାନଙ୍କ ପାଇଁ ଲାଭପ୍ରଦ ହେବ। ଏଥିପାଇଁ ଉପଯୁକ୍ତ ତାଲିମ ପ୍ରଦାନର ଆବଶ୍ୟକତା ରହିଛି। ଯୁଗ ସହିତ ତାଳ ଦେବା ନିମିତ୍ତ ବିଶ୍ବକର୍ମାଙ୍କୁ ମଧ୍ୟ ନୂତନ ଜ୍ଞାନକୌଶଳ ହାସଲ କରିବାକୁ ହେବ।

ସମ୍ବନ୍ଧିତ ଖବର