ସିଂହର ସନ୍ଦେହ

କଥାଟିଏ - ଯାଯାବର

ଥରେ ୟୁଜିକେ ଈଶପଙ୍କ ଲିଖିତ ଏହି କାହାଣୀଟି କହିଲେ।

ଥରେ ଶିଆଳଟିଏ ସିଂହ ମନରେ ସନ୍ଦେହ ପୂରାଇ ଦେଲା। ସେ କହିଲା- ମନକୁ ମନ ତୁମେ ନିଜକୁ ରାଜା ବୋଲି କହିଲେ ଚଳିବ? ତୁମେ ଜଙ୍ଗଲର ପଶୁମାନଙ୍କ ମତ ନେଇଛ? ସେମାନେ ତୁମକୁ ରାଜା ବୋଲି ମାନନ୍ତି ତ?
ସିଂହ ଏହା ଶୁଣି ଟିକିଏ ବିଚଳିତ ହୋଇଗଲା। ସେ ଭାବିଲା, ସତ କଥା। ଏ ବାବଦରେ ସନ୍ଦେହମୁକ୍ତ ହେବା ଦରକାର। ତେଣୁ ସେ ପଶୁମାନଙ୍କୁ ଏ ବିଷୟରେ ପଚାରିବାକୁ ସ୍ଥିର କଲା। ସେ ଗୋଟିଏ ଠେକୁଆକୁ ଦେଖି ସେ ବିଷୟରେ ପଚାରିଲା। ଠେକୁଆ କହିଲା- ଆପଣ ହିଁ ରାଜା। ସେଥିରେ ଦ୍ବିମତ ନାହିଁ।

ସିଂହ ଖୁସି ହେଲା। ଗୋଟିଏ ବଣ ଭୁଆକୁ ଦେଖି ତାହା ପଚାରିଲା। ବଣଭୁଆର ବି ସମାନ ଉତ୍ତର। ସିଂହ ଆହୁରି ଖୁସି। ସେ ସେମିତି ମାଙ୍କଡ଼, ବିଲୁଆ ଆଦିଙ୍କୁ ପଚାରି ପଚାରି ବାଟରେ ଗୋଟିଏ ହାତୀକୁ ଭେଟି ତାହା ପଚାରି ଦେଲା।

ହାତୀ ତାହା ଶୁଣି ତାକୁ ଶୁଣ୍ଢରେ ଟେକି ତଳେ କଚାଡ଼ି ଦେଲା। ସିଂହର ହାଡ଼ ଭାଙ୍ଗି ଗଲା ଭଳି ଲାଗିଲା। ସେ ଦୂରକୁ ଚାଲିଯାଇ କହିଲା- ମୋ ପ୍ରଶ୍ନର ଜବାବ ଯଦି ଜଣା ନାହିଁ ସିଧା କହିଦେବା କଥା। ମୋତେ କଚାଡ଼ିଲ କିଆଁ?
ଏ କଥା କହି ୟୁଜିକେ କହିଲେ- ଆମେମାନେ ଆମମାନଙ୍କୁ ଖୁସି କରୁଥିବା ଭଳି କଥା ଶୁଣିବାକୁ ଚାହୁଁ। ନିଜ ବିଷୟରେ ପଚାରିଲେ ବି ଭଲ କଥା ଶୁଣିବାକୁ ଇଚ୍ଛା କରୁ। ତାହା ଶୁଣି ନିଜ ବିଷୟ‌େର ଭ୍ରାନ୍ତ ଧାରଣା ବି ସୃଷ୍ଟି କରି ପାରୁ। ଏବଂ ଯିଏ ସେମିତି ନ କରେ ଆମେ ତାକୁ ଅଜ୍ଞ ବା ମୂର୍ଖ ବୋଲି ଭାବୁ; ଯେମିତି ସିଂହ ହାତୀ ବିଷୟରେ ଭାବିଲା।

ସମ୍ବନ୍ଧିତ ଖବର