ପ୍ରାୟଶ୍ଚିତ୍ତ

ଷୋଡ଼ଶ ଶତାବ୍ଦୀରୁ ଊନବି˚ଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ବିଭିନ୍ନ ୟୁରୋପୀୟ ଉପନିବେଶଗୁଡ଼ିକର ମୂଳ ବାସିନ୍ଦାମାନଙ୍କୁ ଧରି ନିଆଯାଇ ସୃଷ୍ଟି କରାଯାଇଥିବା ବିଶାଳ କ୍ରୀତଦାସ ବ୍ୟବସାୟରେ ତତ୍କାଳୀନ ଡଚ୍‌ ରାଜ ପରିବାରର ସ˚ପୃକ୍ତି ପରିପ୍ରେକ୍ଷୀରେ ବର୍ତ୍ତମାନର ଡଚ୍‌ (ନେଦରଲାଣ୍ତ) ରାଜା ଵିଲେମ୍‌ ଆଲେକଜାଣ୍ତର ଗଲା ଜୁଲାଇ ୫ ତାରିଖରେ କ୍ଷମା ପ୍ରାର୍ଥନା କରିଛନ୍ତି। ଯଦିଓ ଆମ ଦେଶରେ ଏହି ଖବରକୁ କେନ୍ଦ୍ର କରି ପ୍ରାୟ କୌଣସି ଆଲୋଚନା ଦୃଷ୍ଟିଗୋଚର ହୋଇନାହିଁ; ଏହା ପାଶୋରି ଯିବା ଉଚିତ ନୁହେଁ ଯେ ସେହି ସମୟରେ ଡଚ୍‌ କ୍ରୀତଦାସ ବ୍ୟବସାୟୀମାନେ ଅଗଣିତ ଭାରତୀୟଙ୍କୁ ମଧୢ ପଣ୍ୟ ତୁଲ୍ୟ କ୍ରୟ ବିକ୍ରୟ କରୁଥିଲେ; ଯହିଁରେ ଏକ ବଡ଼ କାର୍ପଟଦାର ଥିଲା ଡଚ୍‌ ଇଷ୍ଟ ଇଣ୍ତିଆ କ˚ପାନି। କିନ୍ତୁ ଏକ ବିଡ଼ମ୍ବନା ହେଲା, ଅକଥନୀୟ ଅତ୍ୟାଚାର, ବୁଭୁକ୍ଷା ଏବ˚ ରୋଗରେ ପୀଡ଼ିତ ହୋଇ ବିଦେଶ ଭୂମିରେ କୌଣସିମତେ ବଞ୍ଚି ରହିଥିବା ଅବା ନିଶ୍ଚିହ୍ନ ହୋଇଯାଇଥିବା ଏଭଳି ଅସହାୟ ଭାରତୀୟମାନଙ୍କ ବିଷୟ ଆମ ଇତିହାସ ପୃଷ୍ଠାମାନଙ୍କରେ ସ୍ଥାନ ପାଇନାହିଁ ଏବ˚ ସେହି କ୍ରମରେ ସାମୂହିକ ସ୍ମୃତି ପଟଳରୁ ମଧୢ ବିଲୁପ୍ତ ହୋଇଯାଇଛି। ପ୍ରକାଶ ଥାଉ କି ଏହି ସମୟ ଖଣ୍ତ ମଧୢରେ ଆଫ୍ରିକା ଓ ଦକ୍ଷିଣ ଏସିଆର ଅନେକ ଅଞ୍ଚଳ ବିଭିନ୍ନ ୟୁରୋପୀୟ ଦେଶର ଉପନିବେଶଗୁଡ଼ିକରେ ପରିଣତ ହୋଇ ଦୀର୍ଘ ଏବ˚ ନିରବଚ୍ଛିନ୍ନ ଅତ୍ୟାଚାର, ଶୋଷଣ ତଥା ଲୁଣ୍ଠନର ଶିକାର ହୋଇଥିଲେ; ଯେଉଁଥି ଲାଗି ଏଭଳି କ୍ଷମା ଭିକ୍ଷାକୁ ପୂର୍ବଜମାନଙ୍କ କୃତକର୍ମ ଲାଗି ସେମାନଙ୍କ ଉତ୍ତର ପିଢ଼ିର ପ୍ରାୟଶ୍ଚିତ୍ତ ରୂପେ ଅଭିହିତ କରାଯାଇଥାଏ।

ପ୍ରକାଶ ଥାଉ କି ଏହି ବର୍ଷର ପ୍ରାରମ୍ଭ କାଳରେ ଡଚ୍‌ ସ˚ସଦ ଦ୍ବାରା ଗଠିତ ଏକ ଅନୁସନ୍ଧାନ କମିଟିର ରିପୋର୍ଟ କହିଥିଲା ଯେ ସେହି ସମୟରେ କ୍ରୀତଦାସ ବ୍ୟବସାୟରୁ ‘ଅରେ˚ଜ୍‌ ନାସାଉ’ ବା ଡଚ୍‌ ରାଜ ଉଆସ ଯେଉଁ ପରିମାଣର ଅର୍ଥ ଉପାର୍ଜନ କରିଥିଲା, ତାହାର ସା˚ପ୍ରତିକ ମୂଲ୍ୟ ହେବ ପ୍ରାୟ ୬୦୦ ନିୟୁତ ଡଲାର‌୍‌ ବା ୫୦୦ ନିୟୁତ ୟୁରୋ; ଯେଉଁଥିରେ କ୍ରୀତଦାସ ଯୋଗାଣର ଏକ ମୁଖ୍ୟ ସ୍ରୋତ ଥିଲା ଡଚ୍‌ ଇଷ୍ଟ ଇଣ୍ତିଆ କ˚ପାନି। ଭାରତ ମହାସାଗରୀୟ ଅଞ୍ଚଳର ସମୁଦ୍ର ପଥ ଦେଇ କ୍ରୀତଦାସ ଚାଲାଣ ନେଇ ଉପଲବ୍‌ଧ ତଥ୍ୟରୁ ଜଣାଯାଏ ଯେ ଭାରତର ମାଲାବାର ତଟ, କରୋମଣ୍ତଳ ଉପକୂଳ ଏବ˚ ବଙ୍ଗ ଅଞ୍ଚଳରୁ ବଳପୂର୍ବକ ଲୋକମାନଙ୍କୁ ଧରି ନିଆଯାଇ କ୍ରୀତଦାସ ରୂପେ ଇଣ୍ତୋନେସିଆର ବାଟାଭିଆ ଏବ˚ ଅନ୍ୟାନ୍ୟ ଡଚ୍‌ ଉପନିବେଶଗୁଡ଼ିକୁ ପ୍ରେରଣ କରାଯାଉଥିଲା; ଯହିଁରେ ଡଚ୍‌ ଇଷ୍ଟ ଇଣ୍ତିଆ କ˚ପାନି ଦ୍ବାରା ଅନେକ ସମୟରେ ଜଳ ଦସ୍ୟୁମାନଙ୍କୁ ମଧ୍ୟ ନିୟୋଜିତ କରାଯାଉଥିଲା।

ଏହି ସ˚ଦର୍ଭରେ ଇତିହାସକାର ଇସରତ ଅମିନଙ୍କ ଗବେଷଣାଲବ୍‌ଧ ତଥ୍ୟ କହିଥାଏ ଯେ ଅନେକ ସମୟରେ ଦେଶୀୟ ରାଜାମାନେ ମଧ୍ୟ କ˚ପାନିକୁ ମଣିଷ ବିକ୍ରୟ କରୁଥିଲେ, ଯେମିତି କି ୧୬୨୪ ମସିହାରେ ଆରାକାନ (ବର୍ତ୍ତମାନର ମିଆଁମାର)ର ସୁଧାମ ରାଜା, ବଙ୍ଗ ଆକ୍ରମଣ ପରେ ତାଙ୍କ ଠାରେ ବନ୍ଦୀ ଥିବା ଦଶ ହଜାର ବଙ୍ଗୀୟଙ୍କ ମଧୢରୁ ପ୍ରାୟ ଏକ ହଜାରଙ୍କୁ ଡଚ୍‌ ଇଷ୍ଟ ଇଣ୍ତିଆ କ˚ପାନକୁ ହସ୍ତାନ୍ତର କରିଥିଲେ; ଯେଉଁମାନଙ୍କୁ ନେଇ ଅନେକ ବିଶାଳକାୟ ନୌକା ସମୁଦ୍ର ବକ୍ଷରେ ବାଟାଭିଆର ଡଚ୍‌ ଉପନିବେଶକୁ ଯାତ୍ରା କରିଥିଲେ; ଏବ˚ ସେହି ସ୍ଥିତି କିଭଳି ଦୟନୀୟ ଥିଲା ତାହା ଏଥିରୁ ଅନୁମାନସାପେକ୍ଷ ଯେ ସେଠାରେ ପହଞ୍ଚି କ୍ରୀତଦାସ ବଜାରରେ କିଣାବିକା ହେବା ବେଳକୁ ମାତ୍ର ତେୟାନବେ ଜଣ ବନ୍ଦୀ ବଞ୍ଚିଥିଲେ। କେବଳ ସେତିକି ନୁହେଁ, ୧୬୪୬ ମସିହାରେ ଆରାକ ଭାନ ଡେଲହାମ ନାମକ ଡଚ୍‌ ଇଷ୍ଟ ଇଣ୍ତିଆ କ˚ପାନିର କର୍ମକର୍ତ୍ତା ନୀଳ, କପା ଓ ଚାଉଳ ଭଳି ମଣିଷ ବ୍ୟବସାୟ କରିବା ସକାଶେ ଆରାକାନ ରାଜାଙ୍କ ଠାରୁ ବିଧିବଦ୍ଧ ଅନୁମତି ପତ୍ର ହାସଲ କରିଥିଲେ।

ସେହି ବର୍ଷ ଏକ ଯୁଦ୍ଧରେ ବିଜାପୁରର ପତନ ପରେ ଡଚ୍‌ କ୍ରୀତଦାସ ବ୍ୟବସାୟୀମାନେ କୋଚିନ ଉପକୂଳରୁ ଅନେକ ଲୋକଙ୍କୁ ଧରି ନେଇ କ୍ରୀତଦାସ ବଜାରକୁ ଚାଲାଣ କରିଥିଲେ। ପ୍ରକାଶ ଥାଉ କି ଯୁଦ୍ଧ, ରୋଗ ଏବ˚ ଦୁର୍ଭିକ୍ଷ ଭଳି ଦୁଃସ୍ଥିତିରେ ଅନେକ ଭାରତୀୟ ନିଜକୁ ବା ନିଜ ପରିବାରର ସଦସ୍ୟଙ୍କୁ ଏଭଳି କ୍ରୀତଦାସ ବ୍ୟବସାୟୀମାନଙ୍କୁ ବିକ୍ରି କରି ଦେଉଥିଲେ। ଭାରତ ମହାସାଗରୀୟ କ୍ରୀତଦାସ ବ୍ୟବସାୟ ପ୍ରସଙ୍ଗରେ ମାର୍କସ ଭିନ୍‌କସଙ୍କ ଦ୍ବାରା ରଚିତ ଏକ ଆଲେଖ୍ୟ କହିଥାଏ ଯେ ‘ଆଫ୍ରିକାନ୍‌’, ‘ମିଡଲ୍‌’ ଏବ˚ ‘ସାଉଥ ଇଷ୍ଟ ଏସିଆ’; ଏହିଭଳି ତିନିଟି ‘ସର୍କିଟ୍‌’ ଦେଇ ଭାରତ ମହାସାଗରୀୟ ଅଞ୍ଚଳରେ କ୍ରୀତଦାସ କାରବାର ଚାଲିଥିଲା, ଯହିଁରୁ ‘ଆଫ୍ରିକାନ୍‌’ ଏବ˚ ‘ମିଡଲ୍‌’ ସର୍କିଟ୍‌ରେ ଯଥାକ୍ରମେ ଭାରତର ପଶ୍ଚିମ ଏବ˚ ପୂର୍ବ ତଟ ଅନ୍ତର୍ଭୁକ୍ତ ଥିଲା।

ପ୍ରକାଶ ଥାଉ କି ଏହି କ୍ରୀତଦାସମାନଙ୍କୁ ନେଇ ଡଚ୍‌ ଉପନିବେଶର ଶୁଷ୍କ ଅନୁର୍ବର ପଥୁରିଆ ଭୂମିକୁ ଶସ୍ୟଶ୍ୟାମଳା କରିବା ବା କେନାଲ ଖନନ କରିବା ଭଳି ହାଡ଼ଭଙ୍ଗା ପରିଶ୍ରମ ଦାବି କରୁଥିବା କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ଇତିହାସକାରମାନଙ୍କ ବର୍ଣ୍ଣନା ଅନୁସାରେ ସେହି ସମୟରେ ଶ୍ବେତାଙ୍ଗ ରୁଷୀୟମାନେ କ୍ରୀତଦାସ ବଜାରରେ ଉପଲବ୍‌ଧ ଥିବା ସତ୍ତ୍ବେ ଏସୀୟ ବା ଆଫ୍ରିକୀୟମାନେ ଅଧିକ ପସନ୍ଦର ପାତ୍ର ହେଉଥିଲେ, କାରଣ ଦୁଇ ଜଣ ଶ୍ବେତାଙ୍ଗଙ୍କ କାର୍ଯ୍ୟ ଜଣେ କୃଷ୍ଣାଙ୍ଗ କ୍ରୀତଦାସ କରିପାରୁଥିଲା ଏବ˚ ବଜାରରେ କୃଷ୍ଣାଙ୍ଗମାନେ ଅଧିକ ଶସ୍ତା ଦରରେ ଉପଲବ୍‌ଧ ହେଉଥିଲେ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ଡଚ୍‌ ଉପନିବେଶ ସୁରିନାମ ଠାରେ କ୍ରୀତଦାସ ପ୍ରଥା ଉଚ୍ଛେଦର ୧୫୦ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଅନୁଷ୍ଠିତ ଉତ୍ସବରେ ଏକ ଭାଷଣ ପ୍ରଦାନ ବେଳେ ଵିଲେମ ଆଲେକଜାଣ୍ତର ସମସ୍ତ ପୂର୍ବତନ ଡଚ୍‌ ଉପନିବେଶଗୁଡ଼ିକରେ ବସବାସ କରୁଥିବା କ୍ରୀତଦାସମାନଙ୍କ ଉତ୍ତର ପିଢ଼ି ସମକ୍ଷରେ କ୍ଷମା ପ୍ରାର୍ଥନା କରିଛନ୍ତି। ରାଜା ଅ‌େ‌େଲକଜାଣ୍ଡର ସ୍ବୀକାର କରିଥିଲେ ଯେ ଡଚ୍‌ କ୍ରୀତଦାସ ବ୍ୟବସାୟୀମାନେ ପ୍ରାୟ ୬ ଲକ୍ଷ ଲୋକଙ୍କୁ ସମୁଦ୍ର ପଥରେ ଚାଲାଣ କରିଥିଲେ। ତେବେ ଏହା ମଧୢ ସତ ଯେ ଅନେକ ନେଦରଲାଣ୍ତବାସୀ ଏଭଳି କ୍ଷମା ଭିକ୍ଷାକୁ ଯଥେଷ୍ଟ ପ୍ରାୟଶ୍ଚିତ୍ତ ବୋଲି ମନେ କରି ନ ଥାଆନ୍ତି। ସେହି କାରଣରୁ ନେଦରଲାଣ୍ତ ସରକାରଙ୍କ ପକ୍ଷରୁ ୨୦୦ ନିୟୁୁତ ଡଲାରର ଏକ ପାଣ୍ଠି ଗଠନର ମଧ୍ୟ ଘୋଷଣା କରାଯାଇଛି, ଯାହା ନେଦରଲାଣ୍ତର ଏହି ଘୃଣ୍ୟ ଅତୀତ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ କ୍ଷତି ଭରଣାର ଉଦ୍ୟମ କରିବ। କହିବା ବାହୁଲ୍ୟ ଯେ ସ˚ପ୍ରତି ୟୁରୋପୀୟ ଉପନିବେଶ ଅଧୀନସ୍ଥ ଅନେକ ରାଷ୍ଟ୍ର, ସେମାନେ ଏକଦା ସହ୍ୟ କରିଥିବା ଅତ୍ୟାଚାର ଓ ପାତରଅନ୍ତର ସକାଶେ ବିଭିନ୍ନ ଉପନିବେଶବାଦୀ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଠାରୁ ଦୋଷ ସ୍ବୀକାର ଏବ˚ କ୍ଷମା ଯାଚନା ଦାବି କରୁଛନ୍ତି। ଏଠାରେ ସ୍ମରଣଯୋଗ୍ୟ ଯେ ଗଲା ମେ ମାସରେ ବ୍ରିଟେନ୍‌ ରାଜା ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ ପରେ ସେ ପୂର୍ବବର୍ତ୍ତୀ ବ୍ରିଟିସ୍‌ ଉପନିବେଶଗୁଡ଼ିକର ବାସିନ୍ଦାମାନଙ୍କ ଠାରେ କି˚ବଦନ୍ତୀୟ ବ୍ରିଟିସ ଅନ୍ୟାୟ ସକାଶେ କ୍ଷମା ଭିକ୍ଷା କରନ୍ତୁ ବୋଲି ଦାବି ଉଠିଥିଲା। ଏହି ପରିପ୍ରେକ୍ଷୀରେ ଵିଲେମ ଆଲେକଜାଣ୍ତର ଏକ ଦୃଷ୍ଟାନ୍ତ ରୂପେ ଉଭା ହୋଇଛନ୍ତି, ଯାହାଙ୍କ ଦ୍ବାରା ପ୍ରତୀକାତ୍ମକ ଭାବେ ହେଉ ପଛକେ, ପ୍ରାୟଶ୍ଚିତ୍ତର ଏକ ପର୍ବର ଶୁଭାରମ୍ଭ ହୋଇଛି ବୋଲି କୁହାଯାଇପାରେ।

ଏଠାରେ ପ୍ରକାଶ ଥାଉ କି ବ୍ରିଟିସ ଇଷ୍ଟ ଇଣ୍ତିଆ କ˚ପାନି ଦ୍ବାରା ମଧୢ ଅଗଣିତ ଭାରତୀୟଙ୍କୁ ବିଦେଶକୁ ଶ୍ରମିକ ଭାବେ ଚାଲାଣ କରାଯାଇଥିଲା, ଯାହା କ୍ରୀତଦାସ ପ୍ରଥା ଠାରୁ କୌଣସି ଗୁଣରେ କମ୍‌ ଘୃଣ୍ୟ ନ ଥିଲା; ଯାହାର ଉଦାହରଣ ହେଲା କ୍ୟାରିବୀୟ ଦ୍ବୀପଗୁଡ଼ିକର ଆଖୁ କିଆରିରେ ରକ୍ତ ଓ ସ୍ବେଦକୁ ଏକାକାର କରିବା ସକାଶେ ଉତ୍ତର ପ୍ରଦେଶ ଏବ˚ ବିହାରରୁ ଚାଲାଣ କରାଯାଇଥିବା ଏକ ବିଶାଳ ମାନବ ସମ୍ବଳ। ତେବେ, ଏହି ପ୍ରକରଣରେ ନିହିତ ଚରମ ବିଡ଼ମ୍ବନାଟି ହେଲା ଔପନିବେଶିକ ଶାସକମାନଙ୍କ ହାତବାରିସିରେ ପରିଣତ ହୋଇଥିବା ଆରାକାନ ରାଜାଙ୍କ ଭଳି ଭାରତର ଅନେକ ଦେଶୀୟ ରାଜା, ଯେଉଁମାନେ ଆପଣା ଅଞ୍ଚଳର ମନୁଷ୍ୟମାନଙ୍କୁ ବିଦେଶୀ କ˚ପାନିର ଦାସତ୍ବ ଲାଗି ଉପଲବ୍‌ଧ କରାଉଥିଲେ। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନର ଡଚ୍‌ ରାଜାଙ୍କ ତୁଲ୍ୟ ଭାରତର ଦେଶୀୟ ରାଜାଙ୍କ ଉତ୍ତର ପିଢ଼ି ମଧୢ ଏହି ଘୃଣ୍ୟ ପ୍ରଥାରେ ସେମାନଙ୍କ ପୂର୍ବଜଙ୍କ ସ˚ପୃକ୍ତି ସକାଶେ କ୍ଷମା ଯାଚନା କରିବା ଉଚିତ।

ସମ୍ବନ୍ଧିତ ଖବର