ରଶ୍ମି ମିଶ୍ରଙ୍କ ଉପନ୍ୟାସ ‘ପୂର୍ଣ୍ଣାହୁତି’ ଲୋକାର୍ପିତ

ଭୁବନେଶ୍ବର: ଲେଖିକା ରଶ୍ମି ମିଶ୍ରଙ୍କ ଉପନ୍ୟାସ ‘ପୂର୍ଣ୍ଣାହୁତି’ ଆଜି ହୋଟେଲ ଆର୍ଯ୍ୟ ପ୍ୟାଲେସ୍‌ରେ ଉନ୍ମୋଚିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ବିଶ୍ବରଂଜନ ଯୋଗଦେଇ କହିଲେ, ଆମେ ସମସ୍ତେ ନିଜ ନିଜ ଢଙ୍ଗରେ ବଞ୍ଚୁ। ନିଜ ହିସାବରେ ବଞ୍ଚିବାର ବାଟ ବି ବାଛି ନେଉ। ଗୋଟିଏ ଜୀବନ ସମାନ୍ତରଳ ଭାବେ ଚାଲିଥାଏ, ଭିନ୍ନ ଭିନ୍ନ ଜୀବନ ବିଭିନ୍ନ ଦିଗରେ ଅଗ୍ରସର ହୋଇଥା’ନ୍ତି। ଏପରି ଏକ କାହାଣୀକୁ ଉପନ୍ୟାସର ରୂପ ଦେଇଛନ୍ତି ରଶ୍ମି ମିଶ୍ର। ଏହି କାହାଣୀ ନିଶ୍ଚିତ ଭାବେ ପାଠକଙ୍କୁ ବାନ୍ଧି ରଖିବ।

କାର୍ଯ୍ୟକ୍ରମର ବିଶିଷ୍ଟ ଅତିଥି କଥାଶିଳ୍ପୀ ଅଜୟ ସ୍ବାଇଁ କହିଲେ, ପ୍ରତ୍ୟେକ ଜୀବନ ଭିତରେ ଥାଏ ଅସରନ୍ତି କାହାଣୀ। ସେ କାହାଣୀକୁ କେବଳ ଲେଖକ ହିଁ ଜୀବନ ଦେଇପାରେ। ରଶ୍ମି ମିଶ୍ର ଅଭିନବ ବର୍ଣ୍ଣନା ଶୈଳୀରେ ଏହି ଉପନ୍ୟାସ ଲେଖିପାରିଛନ୍ତି। ବିଶିଷ୍ଟ ଅତିଥି ସମାଲୋଚକ ଫଣୀନ୍ଦ୍ର ଭୂଷଣ ନନ୍ଦ ଲେଖିକାଙ୍କ ଶୈଳୀ ଓ କାହାଣୀ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି କଥାକାର ଅଜୟ ମହାପାତ୍ର କହିଲେ, ପାଠକଟିଏ ଏହି କାହାଣୀକୁ ପଢ଼ିବା ଆରମ୍ଭ କରିବା ମାତ୍ରେ ଶେଷ କରିବାକୁ ବାଧ୍ୟ ହେବ। ‘ପକ୍ଷୀଘର ପ୍ରକାଶନୀ’ ପକ୍ଷରୁ ପୁସ୍ତକଟି ପ୍ରକାଶ ପାଇଥିବାବେଳେ ପ୍ରକାଶକ ବନୋଜ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। ଓକିଲ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର