ପରୀକ୍ଷାର ପରୀକ୍ଷା

ଆଶା କରାଯାଏ ଯେ ଏହି ନୂତନ ଆଇନ ଆମର ସାଧାରଣ ପରୀକ୍ଷା ବ୍ୟବସ୍ଥାରେ ସ୍ବଚ୍ଛତା, ନ୍ୟାୟୋଚିତତା ଓ ବିଶ୍ବସନୀୟତାର ପୁନଃସ୍ଥାପନ କରିବାରେ ସହାୟକ ହୋଇ ଆମ ଯୁବଶକ୍ତିକୁ ପୃଥିବୀର ସର୍ବଶ୍ରେଷ୍ଠ ଶୃଙ୍ଖଳିତ ମାନବ ସମ୍ବଳରେ ପରିଣତ କରିବ। ଅନ୍ୟ ଭାଷାରେ କହିଲେ, ଏହି ଆଇନ ଆମ ପରୀକ୍ଷା ବ୍ୟବସ୍ଥାକୁ ଏହି କଠୋର ପରୀକ୍ଷାରେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାରେ ସହାୟକ ହେବ।

ଫରାସୀ ଦାର୍ଶନିକ ମିଚେଲ୍ ଫୁକୋ ୧୯୭୫ରେ ପ୍ରକାଶିତ ତାଙ୍କର ବହୁଳ ଆଦୃତ ପୁସ୍ତକ, ‘ଡିସିପ୍ଲିନ୍ ଆଣ୍ଡ୍ ପନିସ୍’ରେ ଏକ ଆଧୁନିକ ସମାଜରେ ଶୃଙ୍ଖଳା ରକ୍ଷା ପାଇଁ ଅବଲମ୍ବନ କରାଯାଉଥିବା ଯେଉଁ ତ୍ରିବିଧ ଉପାୟ ଉପରେ ଆଲୋକପାତ କରିଥିଲେ, ସେଥିମଧ୍ୟରେ ତୃତୀୟ ତଥା ସର୍ବାଧିକ ପ୍ରଭାବଶାଳୀ ଥିଲା- ପରୀକ୍ଷା। ପରୀକ୍ଷା ମାଧ୍ୟମରେ ପରୀକ୍ଷାର୍ଥୀମାନେ ପରୀକ୍ଷକଙ୍କର ନିର୍ଦ୍ଦେଶ ପାଳନ କରିବାକୁ ବାଧ୍ୟ ହୋଇଥାନ୍ତି। ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ହେଲେ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷକଙ୍କ ବିଚାରରେ ଯେଉଁ ଉତ୍ତର ଠିକ୍ ବା ନିୟମିତ ବିବେଚିତ ହୋଇଥାଏ, ସେଇ ଉତ୍ତର ପ୍ରଦାନ କରି ତାଙ୍କୁ ସନ୍ତୁଷ୍ଟ କରିବାକୁ ପଡ଼ିଥାଏ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସଂପୃକ୍ତ ପରୀକ୍ଷାର୍ଥୀମାନଙ୍କୁ ସୁଚିନ୍ତିତ ପଦକ୍ଷେପ ନେଇ ଅଧ୍ୟୟନ ଓ ପ୍ରଶିକ୍ଷଣ ମାଧ୍ୟମରେ ନିଜର ଜ୍ଞାନ, ସଚେତନତା, ଅାଭିମୁଖ୍ୟ, ଆଚରଣ ଆଦିରେ ଆବଶ୍ୟକ ପରିବର୍ତ୍ତନ ଘଟାଇବାକୁ ପଡ଼ିଥାଏ। ଏଭଳି ଶୃଙ୍ଖଳିତ ପରିବର୍ତ୍ତନ ମାଧ୍ୟମରେ ସଫଳତା ଅର୍ଜନ କରୁଥିବା ପରୀକ୍ଷାର୍ଥୀମାନେ ସମାଜ ପାଇଁ ଉପଯୋଗୀ ସଦସ୍ୟରେ ପରିଣତ ହୋଇଥାନ୍ତି।
ଫୁକୋଙ୍କ ମତରେ ପରୀକ୍ଷାରେ ଶୃଙ୍ଖଳାର ଅନ୍ୟ ଦୁଇ ଉପାୟର ମିଳନ ଘଟିଥାଏ। ଏଥି ମଧ୍ୟରୁ ପ୍ରଥମଟି ହେଉଛି- ସ୍ତରୀକୃତ ପର୍ଯ୍ୟବେକ୍ଷଣ, ଯାହାକୁ ଫୁ‌େକା ଉପଯୋଗିତାବାଦ ତତ୍ତ୍ବର ଜନକ ଅଷ୍ଟାଦଶ-ଊନବିଂଶ ଶତାବ୍ଦୀର ଇଂରେଜ୍ ଦାର୍ଶନିକ ଜେରେମି ବେନ୍ଥାମ୍‌ଙ୍କ ଠାରୁ ଆହରଣ କରିଥିଲେ। ଜେରେମି ତାଙ୍କର ଭ୍ରାତା ସାମୁଏଲ୍‌ଙ୍କ ଦ୍ବାରା ପ୍ରଭାବିତ ହୋଇ କାରାଗାରରେ ବନ୍ଦୀମାନଙ୍କ ମଧ୍ୟରେ ସ୍ବେଚ୍ଛାକୃତ ଶୃଙ୍ଖଳାରକ୍ଷାର ଏକ ଉପାୟ ପରିକଳ୍ପନା କରିଥିଲେ ଯାହାର କେନ୍ଦ୍ରରେ ଥିଲା ‘ପାନପ୍ଟିକନ୍’ ନାମକ ଏକ ପ୍ରହରୀ ସ୍ତମ୍ଭ ବା ‘ୱାଚ୍‌ ଟାୱାର୍’ (ଆଜିର ସିସି କ୍ୟାମେରା ଭଳି)। ‘ୱାଚ୍‌ ଟାୱାର୍’ ଭିତରୁ ସେମାନଙ୍କ ଉପ‌େର କିଏ ଅନବରତ ନଜର ରଖିଥାଇପାରେ ବୋଲି ଆଶଙ୍କା କରି ବନ୍ଦୀମାନେ ଆପଣାଛାଏଁ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥାନ୍ତି, ଯାହା ହେଉଛି ସ୍ତରୀକୃତ ପର୍ଯ୍ୟବେକ୍ଷଣର ଏକ ଉଦାହରଣ। ପରୀକ୍ଷା ବ୍ୟବସ୍ଥା ହେଉଛି ସେଇଭଳି ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ସ୍ବେଚ୍ଛାକୃତ ଶୃଙ୍ଖଳିତ ଆଚରଣ ନିଶ୍ଚିତ କରିବାର ଅନ୍ୟ ଏକ ଉପାୟ। ଶୃଙ୍ଖଳା ନିଶ୍ଚିତ କରିବା ପାଇଁ ଫୁକୋ ଉଲ୍ଲେଖ କରିଥିବା ଦ୍ବିତୀୟ ଉପାୟ ହେଉଛି ଉପରେ କୁହାଯାଇଥିବା ଭଳି ବିଚାରର ନିୟମିତୀକରଣ- ପୋଷାକପତ୍ର ଠାରୁ ଆରମ୍ଭ କରି ଆଚାରବ୍ୟବହାର ପର୍ଯ୍ୟନ୍ତ ଏହା ପ୍ରଯୁଜ୍ୟ ହୋଇଥାଏ, ଯେମିତି ପରୀକ୍ଷାର୍ଥୀମାନଙ୍କ ଠାରୁ ଆଶା କରାଯାଉଥିବା ଉତ୍ତର କ୍ଷେତ୍ରରେ ଘଟିଥାଏ।
ଏଥର ମନେ କରାଯାଉ କେତେକ ପରୀକ୍ଷାର୍ଥୀ ଅସାଧୁ ଉପାୟ ଅବଲମ୍ବନ କରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଗଲେ। ଏହାର ଦୁଇଟି ସମ୍ଭାବ୍ୟ କୁପରିଣାମ ସ୍ପଷ୍ଟ। ଗୋଟିଏ ହେଲା, ସମାଜରେ ଶୃଙ୍ଖଳା ଭୁଶୁଡ଼ି ପଡ଼ିବ। ଅନ୍ୟଟି ହେଲା, ଯୋଗ୍ୟ ଓ ଉପଯୁକ୍ତ ପ୍ରାର୍ଥୀମାନଙ୍କୁ ବିସ୍ଥାପିତ କରି ଅଯୋଗ୍ୟ ଓ ଅନୁପଯୁକ୍ତ ପ୍ରାର୍ଥୀମାନେ ସମାଜର ନିର୍ଣ୍ଣାୟକ ସ୍ଥଳୀମାନ ଦଖଲ କରି ସମାଜକୁ ନିୟନ୍ତ୍ରଣ କରିବେ। ଦୁର୍ଭାଗ୍ୟଜନକ ଭାବରେ ଆମ ଦେଶରେ ପରୀକ୍ଷା ବ୍ୟବସ୍ଥା ଏବେ ବ୍ୟାପକ ଭାବରେ ଏହି ବ୍ୟାଧି ଦ୍ବାରା ଆକ୍ରାନ୍ତ ହେବା ଦେଖାଯାଉଛି। ଅତୀତରେ ତ ମୁଲାୟମ ସିଂହ ଯାଦବ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଉତ୍ତରପ୍ରଦେଶରେ ପରୀକ୍ଷାରେ କପି କରିବା ଓ ଅନ୍ୟାନ୍ୟ ଅସାଧୁ ଉପାୟ ଅବଲମ୍ବନ କରିବାକୁ ବସ୍ତୁତଃ ପରୀକ୍ଷାର୍ଥୀମାନଙ୍କର ଏକ ଜନ୍ମଗତ ଅଧିକାର ବୋଲି ଘୋଷଣା କରିଦେଇଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ, ଯାହା ସେ ରାଜ୍ୟର ଅଧୋଗତିର ଅନ୍ୟତମ କାରଣ ରୂପେ ବିବେଚିତ ହୋଇଥାଏ।
କେବଳ ସ୍କୁଲ୍ କଲେଜମାନଙ୍କରେ ଅନୁଷ୍ଠିତ ପରୀକ୍ଷା ନୁହେଁ, ନିଯୁକ୍ତି ପାଇଁ ଅନୁଷ୍ଠିତ ଚୟନ ପରୀକ୍ଷାମାନ ମଧ୍ୟ ଏହି ବ୍ୟାଧି କବଳରୁ ରକ୍ଷା ପାଇ ନଥାନ୍ତି। ପ୍ରଶ୍ନପତ୍ର ଲିକ୍ ହେଉଛି ଏହି ବ୍ୟାଧିର ଏକ ଅନ୍ୟତମ ଭୟାନକ ପରିପ୍ରକାଶ। ବିଶେଷକରି ସରକାରୀ ଚାକିରି ପାଇଁ ପ୍ରାର୍ଥୀ ଚୟନ ନିମିତ୍ତ ଅନୁଷ୍ଠିତ ପରୀକ୍ଷାମାନ ଏହା ଦ୍ବାରା ଅଧିକ ଆକ୍ରାନ୍ତ ହେବା ଦେଖାଯାଇଥାଏ। ଉଦାହରଣ ସ୍ବରୂପ ଗତ ପାଞ୍ଚ ବର୍ଷ ମଧ୍ୟରେ ୧୫ଟି ରାଜ୍ୟରେ ସରକାରୀ ଚାକିରି ପାଇଁ ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାମାନଙ୍କରେ ୪୧ଟି ପ୍ରଶ୍ନପତ୍ର ଲିକ୍ ଘଟଣା ଘଟିଥିବା ଦେଖାଯାଇଛି। ଏହି ପ୍ରକାଶିତ ଘଟଣାମାନ ବାଦ୍ ଅପ୍ରକାଶିତ ଘଟଣା ସଂଖ୍ୟା କେତେ ହୋଇଥିବ, ତାହା କେବଳ ଅନୁମାନସାପେକ୍ଷ। ପ୍ରଶ୍ନପତ୍ର ଲିକ୍ ପ୍ରକାଶ ପାଇଗଲେ ସ୍ବାଭାବିକ ଭାବରେ ସଂପୃକ୍ତ ପରୀକ୍ଷା ବାତିଲ୍ ହୋଇଯାଇ ନିଯୁକ୍ତି ଆଶାୟୀ ସାଧୁ ପ୍ରାର୍ଥୀମାନଙ୍କର ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଥାଏ। ଉପରୋକ୍ତ ପ୍ରଶ୍ନପତ୍ର ଲିକ୍ ଘଟଣାମାନ ପ୍ରାୟ ଏକ ଲକ୍ଷ ପୋଷ୍ଟ ପାଇଁ ଆବେଦନ କରିଥିବା ପ୍ରାୟ ୧.୪ କୋଟି ପରୀକ୍ଷାର୍ଥୀମାନଙ୍କୁ ପ୍ରଭାବିତ କରିଥିଲା। ଅନେକ ସମୟରେ ଏହା ପରେ ପୁଣିଥରେ ସେଇ ପରୀକ୍ଷାମାନ ଆୟୋଜନ କରିବାରେ ବହୁ ବିଳମ୍ବ ଘଟିଥାଏ, ଯାହା ସ୍ବାଭାବିକ।
ପରୀକ୍ଷା ଭଳି ଏକ ଶୃଙ୍ଖଳିତ ସମାଜର ଅନ୍ୟତମ ମୁଖ୍ୟ ସ୍ତମ୍ଭ ସମ୍ମୁଖୀନ ହେଉଥିବା ଏଭଳି ଆକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏକ କଠୋର ଆଇନ ପ୍ରଣୟନ ନିମିତ୍ତ ପାର୍ଲିଆମେଣ୍ଟ୍‌ରେ ଏବେ ଯେଉଁ ବିଲ୍‌ଟି ପାରିତ ହୋଇଛି, ତାହାକୁ ତେଣୁ ଏକ ଅତ୍ୟାବଶ୍ୟକ ପଦକ୍ଷେପ ରୂପେ ବିଚାର କରାଯିବା ଉଚିତ ହେବ। ଏହି ବିଲ୍‌ରେ ୧୫ଟି କାର୍ଯ୍ୟକୁ ପରୀକ୍ଷା ସଂକ୍ରାନ୍ତ ଅସାଧୁ ଉପାୟ ରୂପେ ଚିହ୍ନଟ କରାଯାଇଛି। ଦୋଷୀ ସାବ୍ୟସ୍ତ ଅପରାଧୀମାନେ ଏଥିପାଇଁ ଯେଉଁ ଦଣ୍ଡ ପାଇ ପାରନ୍ତି ତାହା ସର୍ବାଧିକ ଏକ କୋଟି ଟଙ୍କାର ଅର୍ଥଦଣ୍ଡ ଓ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ। ଏହି ଅପରାଧ ଧର୍ତ୍ତବ୍ୟ ଓ ଜାମିନବିହୀନ ବିବେଚିତ ହେବ ଏବଂ ଆପୋସ ବୁଝାମଣା ଦ୍ବାରା ଏହାର ସମାଧାନ କରାଯାଇ ପାରିବ ନାହିଁ। ‘ଦି ପବ୍ଲିକ୍ ଏଗ୍‌ଜାମିନେସନ୍‌ସ (ପ୍ରିଭେନ୍‌ସନ୍ ଅଫ୍ ଅନ୍‌ଫେଆର୍ ମିନ୍‌ସ) ବିଲ୍, ୨୦୨୪’ ନାମକ ଏହି ବିଲ୍ ଉପରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରିବା ଅବସରରେ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଥିଲେ ଯେ ସଂବିଧାନର ଜନକମାନେ କେବେ ହେଲେ କଳ୍ପନା କରି ନ ଥିଲେ ଯେ ଆମର ଯୁବକଯୁବତୀମାନଙ୍କର ଭବିଷ୍ୟତ ଦିନେ କେତେକ ମୁଷ୍ଟିମେୟ ଅପରାଧୀମାନଙ୍କ ହାତରେ ଏପରି ବନ୍ଧା ପଡ଼ିବ। ଏହି ଅପରାଧୀ ଗୋଷ୍ଠୀମାନେ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟ ସାଧନ ନିମିତ୍ତ ଯେଉଁ ସମସ୍ତ ଉପାୟ ଅବଲମ୍ବନ କରିଥାନ୍ତି, ସେଥିରେ ପ୍ରଶ୍ନପତ୍ର ଲିକ୍‌ରୁ ଆରମ୍ଭ କରି, ପ୍ରଶ୍ନ ସମାଧାନକାରୀ ଗ୍ୟାଙ୍ଗ୍‌ମାନଙ୍କୁ ନିଯୁକ୍ତ କରିବା ଓ ନକଲି ପରୀକ୍ଷାର୍ଥୀମାନଙ୍କୁ ମୁତୟନ କରିବା ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ଏଭଳି ସଂଗଠିତ ଅପରାଧୀମାନଙ୍କର ମୁକାବିଲା କରିବା ହେଉଛି ଏହି ନୂତନ ଆଇନର ମୁଖ୍ୟ ଉଦ୍ଦେଶ୍ୟ।
ଆଜିକାଲି ଏଭଳି ପରୀକ୍ଷାମାନଙ୍କରେ ଅଧିକରୁ ଅଧିକ କମ୍ପ୍ୟୁଟର୍ ବ୍ୟବହାର କରାଯାଉଥିବାରୁ ଏହାକୁ ଅପରାଧୀମାନଙ୍କର ପହୁଞ୍ଚରୁ ସଂପୂର୍ଣ୍ଣ ରୂପେ ସୁରକ୍ଷିତ ରଖିବା ପାଇଁ ଉପାୟମାନ ସୁପାରିସ କରିବା ପାଇଁ ବିଲ୍‌ରେ ଏକ ଉଚ୍ଚ କ୍ଷମତାସଂପନ୍ନ ଜାତୀୟ ବୈଷୟିକ କମିଟି ଗଠନ ନିମିତ୍ତ ପ୍ରସ୍ତାବ ଦିଆଯାଇଛି। ଏହି କମିଟି ଡିଜିଟାଲ୍ ପ୍ଲାଟ୍‌ଫର୍ମମାନଙ୍କୁ ସୁରକ୍ଷିତ ରଖିବା ପାଇଁ, ତ୍ରୁଟିହୀନ ‘ଆଇଟି’ ନିରାପତ୍ତା ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ, ପରୀକ୍ଷା କେନ୍ଦ୍ରଗୁଡ଼ିକର ଇଲେକ୍‌ଟ୍ରୋନିକ୍ ପର୍ଯ୍ୟବେକ୍ଷଣ କଡ଼ାକଡ଼ି କରିବା ପାଇଁ (‘ପାନପ୍ଟିକନ୍’?) ଏବଂ ପରୀକ୍ଷା ପରିଚାଳନା ପାଇଁ ବ୍ୟବହୃତ ବାସ୍ତବ ଭିତ୍ତିଭୂମି ଓ ‘ଆଇଟି’ ଭିତ୍ତିଭୂମି ପ୍ରତି ଲାଗୁ ହେବା ନିମିତ୍ତ ଉପଯୁକ୍ତ ମାନ ନିର୍ଦ୍ଧାରଣ ପାଇଁ ସୁଚିନ୍ତିତ ପଦକ୍ଷେପ ନେବ ବୋଲି ପରିକଳ୍ପନା କରାଯାଇଛି।
ଆଶା କରାଯାଏ ଯେ ଏହି ନୂତନ ଆଇନ ଆମର ସାଧାରଣ ପରୀକ୍ଷା ବ୍ୟବସ୍ଥାରେ ସ୍ବଚ୍ଛତା, ନ୍ୟାୟୋଚିତତା ଓ ବିଶ୍ବସନୀୟତାର ପୁନଃସ୍ଥାପନ କରିବାରେ ସହାୟକ ହୋଇ ଆମ ଯୁବଶକ୍ତିକୁ ପୃଥିବୀର ସର୍ବଶ୍ରେଷ୍ଠ ଶୃଙ୍ଖଳିତ ମାନବ ସମ୍ବଳରେ ପରିଣତ କରିବ। ଅନ୍ୟ ଭାଷାରେ କହିଲେ, ଏହି ଆଇନ ଆମ ପରୀକ୍ଷା ବ୍ୟବସ୍ଥାକୁ ଏହି କଠୋର ପରୀକ୍ଷାରେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାରେ ସହାୟକ ହେବ।

ସମ୍ବନ୍ଧିତ ଖବର