ଛାୟା ଯୁଦ୍ଧ

ପ୍ରକାଶ ଥାଉ କି ‘ହେଜବୋଲ୍ଲା’ ଏବଂ ‘ହୁଥି’ ମୁଖ୍ୟତଃ ଇରାନ (କେତେକାଂଶରେ କାତାର)ର ଅର୍ଥ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସାମରିକ ପ୍ରଶିକ୍ଷଣ ଦ୍ବାରା ପରିପୁଷ୍ଟ। ପୁଣି, ମାତ୍ର ଦୁଇ ଦିନ ତଳେ ସମ୍ବାଦ ପ୍ରକାଶ ପାଇଛି ଯେ ‘ହେଜବୋଲ୍ଲା’କୁ ଆକାଶ-ଶକ୍ତି ପ୍ରଦାନ କରିବା ଲାଗି ରୁଷିଆ ଦ୍ବାରା ପରିପୁଷ୍ଟ ‘ମିଲିସିଆ’ ଗୋଷ୍ଠୀ ‘ୱାଗନର ଗ୍ରୁପ୍‌’ ପ୍ରତିଶ୍ରୁତିବଦ୍ଧ ହେଲାଣି। ସୁତରାଂ, ଅଚିରେ ଏହା‌ ଇରାନ ଏବଂ ରୁଷିଆ ଦ୍ବାରା ପରିଚାଳିତ ଏକ ଛାୟାଯୁଦ୍ଧ (ପ୍ରକ୍‌ସି ୱାର)ରେ ପରିଣତ ହୋଇଯିବ। ପ୍ରଖ୍ୟାତ ଆମେରିକୀୟ ଲେଖକ ଅର୍ନେଷ୍ଟ ହେମିଂୱେ ଠାଏ କହିଥିଲେ ଯେ ଯୁଦ୍ଧରେ ସର୍ବପ୍ରଥମ ଅପମୃତ୍ୟୁ ଘଟିଥାଏ ସତ୍ୟର; ସୁତରାଂ, ଏ ଯୁଦ୍ଧ ବିଗ୍ରହରେ ଛଳର ରାଜୁତି ଚାଲିଛି ଓ ଚାଲିବ!

ଏବେ ଅନେକଙ୍କ ମନରେ ପ୍ରଶ୍ନ ଉଠିବାରେ ଲାଗିଛି ଯେ ସମକାଳୀନ ଯୁଦ୍ଧଗୁଡ଼ିକ ନିର୍ଣ୍ଣାୟକ ଭାବେ ସମାପ୍ତ ନ ହୋଇ ଅସରନ୍ତି ହେବାର ଆଶଙ୍କା ସୃଷ୍ଟି କରୁଛନ୍ତି କାହିଁକି? କାହିଁକି ୧୯୭୧ ମସିହାର ବାଂଲାଦେଶ ମୁକ୍ତି ସମର ଭଳି ଦୃଶ୍ୟପଟ ସୃଷ୍ଟି ହେବାର ସମ୍ଭାବନା ଶୂନ୍ୟପ୍ରାୟ ହୋଇଗଲାଣି, ଯହିଁରେ ପାକିସ୍ତାନ ବିପକ୍ଷରେ ଭାରତ ଏକ ସ୍ପଷ୍ଟ ବିଜୟ ହାସଲ କରିଥିଲା? ୨୦୨୨ ମସିହା ଫେବ୍ରୁଆରି ୨୪ ତାରିଖ ଦିନ ଅଧିକାଂଶ ସମର ବିଶାରଦ ଦୃଢ଼ ନିଶ୍ଚିତ ଥିଲେ ଯେ ରୁଷୀୟ ସାମରିକ ବାହିନୀର ପରାକ୍ରମ ମାତ୍ର ସପ୍ତାହକ ମଧ୍ୟରେ ଦୁର୍ବଳ ୟୁକ୍ରେନ୍‌କୁ ଭୁଲୁଣ୍ଠିତ କରି ପକାଇବ, ଯାହା ସଂପୂର୍ଣ୍ଣ ଭ୍ରାନ୍ତ ସାବ୍ୟସ୍ତ ହୋଇ ବର୍ଷାଧିକ କାଳ ଚାଲିବା ପରେ ମଧ୍ୟ ନିର୍ଣ୍ଣାୟକ ରୂପେ ସମାପ୍ତ ହେବାର କୌଣସି ଲକ୍ଷଣ ପ୍ରଦର୍ଶନ କରିନାହିଁ। ବରଂ, ଏହି ଯୁଦ୍ଧଟି କ୍ରମେ ଜନ ବିସ୍ମୃତିର ଗର୍ଭରେ ସତ୍ତା ହରାଇବାକୁ ବସିଲାଣି ଏବଂ କୌଣସି ତୃତୀୟ ପକ୍ଷ ଦ୍ବାରା ପ୍ରାୟୋଜିତ ସନ୍ଧି ବ୍ୟତିରେକ ସତେ ଯେମିତି ଏହି ଯୁଦ୍ଧରେ ଅବସାନ ଘଟିବ ନାହିଁ! ସେହି ଭଳି ଇସ୍ରାଏଲ୍‌ ବନାମ ହମାସ ଯୁଦ୍ଧର ପ୍ରାରମ୍ଭ କାଳରେ ମଧ୍ୟ ଧାରଣା ଜନ୍ମିଥିଲା ଯେ ପରାକ୍ରମୀ ଇସ୍ରାଏଲ୍‌ ଏହି ଯୁଦ୍ଧକୁ ଶୀଘ୍ର ଓ ନିର୍ଣ୍ଣାୟକ ରୂପେ ସମାପ୍ତ କରିବ। କିନ୍ତୁ କ୍ରମେ ଏହା ମଧ୍ୟ ଅସରନ୍ତି ହେବାର ଲକ୍ଷଣମାନ ପ୍ରଦର୍ଶନ କଲାଣି। ଅନେକଙ୍କ ମତରେ ୟୁକ୍ରେନ ଅନ୍ତତଃ ପକ୍ଷେ ଏକ ସାର୍ବଭୌମ ରାଷ୍ଟ୍ର; ଏବଂ ଏକ ରାଷ୍ଟ୍ର ଶକ୍ତି ସହିତ ‘ହମାସ’ ଭଳି ଏକ ‘ସଂଗଠନ’ର ଶକ୍ତି ତୁଳନୀୟ ପର୍ଯ୍ୟାୟର ହେବା କଥା ନୁହେଁ। ତେଣୁ ଏକ ସ୍ବାଭାବିକ ପ୍ରଶ୍ନ ହେଲା, ଇସ୍ରାଏଲ୍‌ ଭଳି ସାମରିକ ଦୃଷ୍ଟିରୁ ଏକ ଅମିତ ଶକ୍ତିଶାଳୀ ରାଷ୍ଟ୍ର ହମାସ ଭଳି ସଂଗଠନକୁ ଶୀଘ୍ର ଓ ନିର୍ଣ୍ଣାୟକ ଭାବେ ନିପାତ କରି ପାରିବ ନାହିଁ କାହିଁକି? କାହିଁକି ଏ ଯୁଦ୍ଧ ଅସରନ୍ତି ହେବ? ଏହାର ଉତ୍ତର ପାଇବା ସକାଶେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଗାଜା ପଟିରେ ହମାସ ଆତଙ୍କବାଦୀମାନେ ସାଧାରଣ ନାଗରିକମାନଙ୍କ ସହିତ ଅବିଚ୍ଛିନ୍ନ ଭାବେ ଛନ୍ଦାଛନ୍ଦି ହୋଇ ରହିଛନ୍ତି ବୋଲି ଏକ ଅଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ ଇସ୍ରାଏଲ୍‌ ଅବିଶ୍ରାନ୍ତ ଓ ନିର୍ବିଚାର ଭାବେ ବୋମା ପ୍ରହାର କରି ଗାଜା ଅଞ୍ଚଳକୁ ବସ୍ତୁତଃ ଏକ ଧ୍ବଂସସ୍ତୂପରେ ପରିଣତ କରିବାରେ ଲାଗିଛି ସିନା; ସଦ୍ୟ ଉଦ୍‌ଘାଟିତ ବାସ୍ତବତାଟି ହେଲା ଗାଜାର ଭୂପୃଷ୍ଠ ତଳେ ମାଇଲ ମାଇଲ ବ୍ୟାପୀ ଟନେଲର ଜାଲ ହମାସର ସଦସ୍ୟମାନଙ୍କୁ ସୁରକ୍ଷା ଦେବା ସହିତ ‘ଗରିଲା ଆକ୍ରମଣ’ କରିବାର ସୁଯୋଗ ପ୍ରଦାନ କରିଛି; ଯହିଁରେ ହମାସ ସଦସ୍ୟମାନେ ସହସା ତହିଁରୁ ବାହାରି ଭୂପୃଷ୍ଠରେ ଆବିର୍ଭୂତ ହୋଇ ରକେଟ୍‌ କ୍ଷେପଣ କରି ବା ଗୋଳା ବର୍ଷଣ କରି ପୁନର୍ବାର ଭୂ-ଗର୍ଭସ୍ଥ ଅନ୍ଧକାର ମଧ୍ୟରେ ଅନ୍ତର୍ହିତ ହୋଇ ଯାଉଛନ୍ତି। ଏହା ହେଉଛି ‘ଅସମତୁଲ ଯୁଦ୍ଧବିଗ୍ରହ’ ବା ‘ଏସିମେଟ୍ରିକ୍‌ ୱାର୍‌‌େଫୟାର’ର ଏକ ନିଦର୍ଶନ; ଯହିଁରେ ପାରଂପରିକ ସମ୍ମୁଖ ଯୁଦ୍ଧ ଘଟି ନ ଥାଏ; ବରଂ ହସ୍ତୀର କର୍ଣ୍ଣ ନିକଟରେ ଜିଦିଆ ଭ୍ରମରର ତୀବ୍ର ଓ ନିରନ୍ତର ଗୁଂଜନ ସେହି ବିଶାଳ ପ୍ରାଣୀଟିକୁ ଉପାୟହୀନ ଭାବେ ବିବ୍ରତ କରି ପକାଇଲା ଭଳି ଛୋଟମୋଟ ଅଥଚ ଅତର୍କିତ ଆକ୍ରମଣ ଏବଂ ତା’ର ନିରନ୍ତର ଆଶଙ୍କା ସୁବ୍ୟବସ୍ଥିତ ଓ ସୁପ୍ରଶିକ୍ଷିତ ସାମରିକ ବାହିନୀକୁ ମଧ୍ୟ କିଂକର୍ତ୍ତବ୍ୟବିମୂଢ଼ କରି ଦେଇଥାଏ। ସୁତରାଂ, ଗାଜା ସଂପୂର୍ଣ୍ଣ ଚୂର୍ଣ୍ଣୀଭୂତ ହୋଇଗଲା ପରେ ମଧ୍ୟ ଭ୍ରମରର ବିରକ୍ତିକର ଗୁଂଜନ ଭଳି ମୁହୁର୍ମୁହୁଃ ହମାସ ଆକ୍ରମଣ ଇସ୍ରାଏଲୀ ବାହିନୀକୁ ସର୍ବଦା ଉଦ୍‌ବିଗ୍ନ କରି ରଖିପାରେ।
ପୁଣି, କେବଳ ହମାସ ନୁହେଁ, ଆଉ ଯେଉଁ ଦୁଇ ଇସଲାମୀ ଚରମପନ୍ଥୀ ସଂଗଠନ ଇସ୍ରାଏଲ୍‌ ବିରୋଧୀ ଯୁଦ୍ଧରେ ଅବତୀର୍ଣ୍ଣ ହେବାର ବିଧିବଦ୍ଧ ଘୋଷଣା କଲେଣି, ସେଗୁଡ଼ିକ ହେଉଛନ୍ତି ଲେବାନନରେ ସକ୍ରିୟ ‘ହେଜବୋଲ୍ଲା’ ଏବଂ ଉତ୍ତର ୟେମେନରେ ପ୍ରଶ୍ନତୀତ ପ୍ରଭୁତ୍ବ ବିସ୍ତାର କରିଥିବା ‘ହୁଥି ମିଲିସିଆ’ ବା ‘ହୁଥି ଯୋଦ୍ଧା ବାହିନୀ।’ ତେବେ ଯାହା ଉଦ୍‌ବେଗଜନକ, ତାହା ହେଲା ଏ ସଂଗଠନ ଦ୍ବୟ ସେଗୁଡ଼ିକର ବିଶାଳତା ଏବଂ ଶକ୍ତି-ସାମର୍ଥ୍ୟ ଦୃଷ୍ଟିରୁ ଅନେକ ରାଷ୍ଟ୍ରର ସାମରିକ ବାହିନୀ ସହିତ ସମକକ୍ଷ। ଅତ୍ୟନ୍ତ ବିଶ୍ବାସଯୋଗ୍ୟ ତଥ୍ୟ, ଉପଗ୍ରହ ଚିତ୍ର ଏବଂ ସଂଗଠନଗୁଡ଼ିକ ଦ୍ବାରା ଜାରି ସୂଚନାରୁ ଜଣାପଡ଼ିଥାଏ ଯେ ‘ହେଜବୋଲ୍ଲା’ ନିକଟରେ ସୁପ୍ରଶିକ୍ଷିତ ଲକ୍ଷାଧିକ ପଦାତିକ ବିଦ୍ୟମାନ, ଯେଉଁମାନେ ସର୍ବଦା ଯୁଦ୍ଧ ତତ୍ପର ଏବଂ ରିହର୍ସାଲ ଅଭ୍ୟାସ ଭଳି ଏବେ ସିରିଆ ଗୃହଯୁଦ୍ଧରେ ବ୍ୟାପୃତ। ‘ହେଜବୋଲ୍ଲା’ ନିକଟରେ ରହିଛି ଲକ୍ଷାଧିକ ରକେଟ୍‌, ଅତ୍ୟାଧୁନିକ ବନ୍ଧୁକ ଓ କମାଣ, ଏପରିକି ‘ବାଲାଷ୍ଟିକ୍‌’ ଓ ‘କ୍ରୁଇଜ୍‌’ କ୍ଷେପଣାସ୍ତ୍ର, ଯହିଁରୁ ଅନେକର ଦୂରଗାମୀ କ୍ଷମତା ଏକ ହଜାର କିଲୋମିଟର ଅତିକ୍ରମୀ; ସୁତରାଂ, ସମଗ୍ର ଇସ୍ରାଏଲ୍‌ ‘ହେଜବୋଲ୍ଲା’ର ଭେଦ୍ୟ ବୋଲି କହିଲେ ହୁଏତ ଅତ୍ୟୁକ୍ତିି ହେବ ନାହିଁ। ‘ହେଜବୋଲ୍ଲା’ ତୁଳନାରେ ‘ହୁଥି’ର ମାରକ କ୍ଷମତା ଅନେକ ଗୁଣରେ ଅଧିକ; ଯାହା ନିକଟରେ ରହିଛି ଉଭୟ ଆକାଶ ଏବଂ ଭୂପୃଷ୍ଠରେ ଲକ୍ଷ୍ୟ ଭେଦ କରି ପାରୁଥିବା ଭଳି ମିସାଇଲ୍‌, ଚାଳକ ରହିତ ଆକ୍ରମଣକାରୀ ଯାନ ବା ‘ୟୁ.ଏ.ଭି.’, ଅତ୍ୟାଧୁନିକ ଟ୍ୟାଙ୍କ ଏବଂ ‘ଗାଇଡେଡ୍‌ ମିସାଇଲ୍‌’, ଅସ୍ତ୍ରଶସ୍ତ୍ର ସୁସଜ୍ଜିତ ଡ୍ରୋନ୍‌ ଏବଂ ବିଶ୍ବାସ କରି ହେଉ ନ ଥିବା ଭଳି ‘ଏଫ୍‌-୫’ ଲଢୁଆ ବିମାନ ସମ୍ବଳିତ ବିମାନ ବାହିନୀ। ଯଦିଓ ଇସ୍ରାଏଲ୍‌ ଦ୍ବାରା ବିକଶିତ କ୍ଷେପଣାସ୍ତ୍ର ଆକ୍ରମଣ ପ୍ରତିହତକାରୀ ‘ଆଇରନ୍‌ ଡୋମ’ ବ୍ୟବସ୍ଥା ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ପ୍ରାୟ ୯୬ ପ୍ରତିଶତ ସଫଳ; କିନ୍ତୁ ବିଶେଷଜ୍ଞମାନଙ୍କ ମତରେ ଉଭୟ ସଂଗଠନ ଠାରେ ଥିବା କ୍ଷେପଣାସ୍ତ୍ରର ବିଶାଳ ଭଣ୍ଡାର ଏବଂ ଏକା ସାଙ୍ଗରେ ହଜାର ହଜାର କ୍ଷେପଣାସ୍ତ୍ର ପ୍ରହାର କରିପାରିବାର ସାମର୍ଥ୍ୟ ‘ଆଇରନ ଡୋମ୍‌’କୁ ମଧ୍ୟ ଅସହାୟ କରି ଦେଇପାରେ! ପୁଣି, କେବଳ ସେତିକି ନୁହେଁ ‘ଆଇରନ ଡୋମ୍‌’ର ବ୍ୟବହାର ଏଭଳି ବ୍ୟୟବହୁଳ ଯେ ତାହା ଇସ୍ରାଏଲର ଯୁଦ୍ଧ ବ୍ୟୟକୁ ଅସହନୀୟ ମଧ୍ୟ କରି ଦେଇପାରେ। ପ୍ରକାଶ ଥାଉ କି ୟେମେନ ଇସ୍ରାଏଲର ଏକ ପଡ଼ୋଶୀ ରାଷ୍ଟ୍ର ନୁହେଁ; କିନ୍ତୁ ‘ହୁଥି’ ଆକ୍ରମଣର ଆଶଙ୍କା କାରଣରୁ ଇସ୍ରାଏଲ୍‌ ତା’ର ବିରାଟ ନୌଭେଳାକୁ ୟେମେନ ନିକଟବର୍ତ୍ତୀ ସୁଦୂର ଲୋହିତ ସାଗରରେ ପଇଁତରା ମାରିବାକୁ ପ୍ରେରଣ କରିଛି; ଯଦିଓ, ‘ହୁଥି’ କ୍ଷେପଣାସ୍ତ୍ର ଆକ୍ରମଣରେ ତାହା କ୍ଷତିଗ୍ରସ୍ତ ହେବାର ଆଶଙ୍କା ମଧ୍ୟ ରହିଛି। ପାସୋରି ଗଲେ ହେବ ନାହିଁ ଯେ ଗୋଟିଏ ଆନ୍ତର୍ଜାତିକ ସ୍ବୀକୃତିପ୍ରକ୍ତ ସାର୍ବଭୌମ ରାଷ୍ଟ୍ର ଯେତେ ବଳଶାଳୀ, ପ୍ରଭାବଶାଳୀ ଏବଂ ଅମାନିଆ ହେଲେ ମଧ୍ୟ ତାହାର ଗ୍ରହଣୀୟତାକୁ ବଜାୟ ରଖିବା ଲାଗି ଉପର ଠାଉରିଆ ଭାବେ ହେଲେ ମଧ୍ୟ ସଦାଚାର ଏବଂ ନୈତିକତା ପ୍ରଦର୍ଶନ କରିଥାଏ। କିନ୍ତୁ ‘ହମାସ’ ବା ‘ହେଜବୋଲ୍ଲା’ ବା ‘ହୁଥି’ ଭଳି ସଂଗଠନ ସକାଶେ ଏଭଳି କୌଣସି ଦାୟ ନ ଥାଏ। ଗୋଟିଏ ରାଷ୍ଟ୍ର ଲାଗି ଯୁଦ୍ଧ ଏକମାତ୍ର ଧ୍ୟେୟ ହୋଇ ନଥାଏ; ଅଥଚ ଉପରୋକ୍ତ ସଂଗଠନଗୁଡ଼ିକ ପ୍ରାୟତଃ ଯୁଦ୍ଧରେ ହିଁ ନିମଜ୍ଜିତ ହୋଇ ରହିଥାଆନ୍ତି। ସୁତରାଂ, ଏହି ଯୁଦ୍ଧ ଯେ କ୍ରମେ ଇସ୍ରାଏଲ୍‌ ଲାଗି ଅଧିକ ଆହ୍ବାନଭରା ହୋଇ ଉଠିବ, ଏଥିରେ ସନ୍ଦେହ ନାହିଁ।
ପ୍ରକାଶ ଥାଉ କି ‘ହେଜବୋଲ୍ଲା’ ଏବଂ ‘ହୁଥି’ ମୁଖ୍ୟତଃ ଇରାନ (କେତେକାଂଶରେ କାତାର)ର ଅର୍ଥ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସାମରିକ ପ୍ରଶିକ୍ଷଣ ଦ୍ବାରା ପରିପୁଷ୍ଟ। ପୁଣି, ମାତ୍ର ଦୁଇ ଦିନ ତଳେ ସମ୍ବାଦ ପ୍ରକାଶ ପାଇଛି ଯେ ‘ହେଜବୋଲ୍ଲା’କୁ ଆକାଶ-ଶକ୍ତି ପ୍ରଦାନ କରିବା ଲାଗି ରୁଷିଆ ଦ୍ବାରା ପରିପୁଷ୍ଟ ‘ମିଲିସିଆ’ ଗୋଷ୍ଠୀ ‘ୱାଗନର ଗ୍ରୁପ୍‌’ ପ୍ରତିଶ୍ରୁତିବଦ୍ଧ ହେଲାଣି। ସୁତରାଂ, ଅଚିରେ ଏହା‌ ଇରାନ ଏବଂ ରୁଷିଆ ଦ୍ବାରା ପରିଚାଳିତ ଏକ ଛାୟାଯୁଦ୍ଧ (ପ୍ରକ୍‌ସି ୱାର)ରେ ପରିଣତ ହୋଇଯିବ। ପ୍ରଖ୍ୟାତ ଆମେରିକୀୟ ଲେଖକ ଅର୍ନେଷ୍ଟ ହେମିଂୱେ ଠାଏ କହିଥିଲେ ଯେ ଯୁଦ୍ଧରେ ସର୍ବପ୍ରଥମ ଅପମୃତ୍ୟୁ ଘଟିଥାଏ ସତ୍ୟର; ସୁତରାଂ, ଏ ଯୁଦ୍ଧ ବିଗ୍ରହରେ ଛଳର ରାଜୁତି ଚାଲିଛି ଓ ଚାଲିବ!

ସମ୍ବନ୍ଧିତ ଖବର