ଗୁରୁଙ୍କ ଆଲୋକ

କଥାଟିଏ-ଯାଯାବର

ସୁଫି ସନ୍ଥ ହସନଙ୍କ ପାଖକୁ ଆସିଲେ ଜଣେ ଯୁବକ ଏବଂ କହିଲେ- ମୁଁ ଆପଣଙ୍କ ଶିଷ୍ୟ ହେବାକୁ ଚାହୁଁଛି।
ହସନ ପଚାରିଲେ- କିନ୍ତୁ ମୋ ପାଖରେ କାହିଁକି?
ଯୁବକ କହିଲେ- ମୁଁ ଅନେକ ଦିନ ହେଲା ଜଣେ ପ୍ରକୃତ ଗୁରୁଙ୍କ ସନ୍ଧାନରେ ଅଛି। ଆପଣଙ୍କ ନିକଟକୁ ଆସିବା ପୂର୍ବରୁ ମୁଁ ଯାହାଙ୍କ ପାଖରେ ଥିଲି ସେ ଜଣେ କଂସେଇ। ଜଣେ ବିଦ୍ବାନ ମୋତେ ତାଙ୍କ କଥା କହି ତାଙ୍କ ନିକଟକୁ ପଠାଇଥିଲେ। କିନ୍ତୁ ତାଙ୍କ ବୃତ୍ତି ମୋତେ ବ୍ୟଥିତ କଲା। ତେଣୁ ତା‌ଙ୍କୁ ଛାଡ଼ିଲି। ମୁଁ ଜାଣିବାକୁ ପାଇଛି ଯେ ଆପଣ ହେଉଛନ୍ତି ଜଣେ ପ୍ରକୃତ ସନ୍ଥ। ତେଣୁ ଆପଣଙ୍କ ପାଖକୁ ଆସିଲି।
ସେତେବେଳକୁ ମେଘାଚ୍ଛନ୍ନ ରାତ୍ରି ଗଭୀର ହୋଇଯାଇଥାଏ। ଅଚାନକ ମେଘ ଉହାଡ଼ରୁ ରଜତ ଶୁଭ୍ର ଚନ୍ଦ୍ର ଉକୁଟି ଆସିଲା। ସାରା ବାତାବରଣ ଏକ ଐନ୍ଦ୍ରଜାଲିକତାରେ ଚମକି ଗଲା। ହସନ କହିଲେ- ଦେଖିଲ, କି ଅପୂର୍ବାନୁମେୟ ଦୃଶ୍ୟ! ଏଥିରେ ବିଭୋର ହେଲ କି ନାହିଁ?
ଯୁବକ କହିଲା- ହଁ, ହଁ ଅପୂର୍ବ।
ହସନ ଯୁବକଟିର ହାତକୁ ଧରି ପକାଇ କହିଲେ- ମୋ କଥା ମାନ। ତୁମେ ପୂର୍ବ ଗୁରୁଙ୍କ ପାଖକୁ ଫେରିଯାଅ। ଗୁରୁ ଯଦି ଅନ୍ଧକାର ହୋଇଥାଆନ୍ତି, ତେବେ ସେଇ ଅନ୍ଧାର ଛାତିରେ ଖେଳିଯାଉଥିବା ଏମିତି ବିରଳ ଅଥଚ ଅପୂର୍ବ ଆଲୋକରେ ବିଭୋର ହେବା ଓ ତାକୁ ଧରି ରଖିବା ହେଉଛି ଜଣେ ଶିଷ୍ୟର କର୍ତ୍ତବ୍ୟ। ଗୁରୁଙ୍କ ଠାରେ ଥିବା ଅନ୍ଧକାରର କାଳିମା ଦେଖି ବ୍ୟସ୍ତ ହୁଅ ନାହିଁ, ଅପେକ୍ଷା କର କେବେ ଆସିବ ସେହି ଅଲୌକିକ କ୍ଷଣ! ସେତିକି ବେଳେ ତାଙ୍କ ଦ୍ବାରା ତୁମ ଚିତ୍ତ ଉଦ୍‌ଭାସିତ ହୋଇ ଉଠିବ। ତୁମେ ଯାହାଙ୍କ କଥା କହୁଛ, ମୁଁ ତାଙ୍କୁ ଜାଣେ। ତୁମେ ତାଙ୍କ ପାଖକୁ ଫେରିଯାଅ।

ସମ୍ବନ୍ଧିତ ଖବର