ଜୀବନ-ମନ୍ତ୍ର: ବ୍ରହ୍ମାଙ୍କ ବଳଭଦ୍ର ସ୍ତୁତି

ବିଭିନ୍ନ ଶାସ୍ତ୍ରଗ୍ରନ୍ଥରେ ଶ୍ରୀବଳଭଦ୍ରଙ୍କର ଅନେକ ସ୍ତୁତି ରହିଛି। କିନ୍ତୁ ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ’ରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଶ୍ରୀବଳଭଦ୍ରଙ୍କୁ ଯେପରି ଭାବରେ ସ୍ତୁତି କରିଛନ୍ତି- ତାହା ସଂପୂର୍ଣ୍ଣ ଭିନ୍ନ ଓ ଅନନ୍ୟ।
ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧାମୂର୍ତ୍ତିଙ୍କର ନିର୍ମାଣ ଶେଷ ହେଲା। ତାହାପରେ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକକୁ ଯାଇ, ନବନିର୍ମିତ ପ୍ରାସାଦ (ମନ୍ଦିର)ରେ ଶ୍ରୀବିଗ୍ରହମାନଙ୍କୁ ପ୍ରତିଷ୍ଠା କରିବା ନିମନ୍ତେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ। ତାଙ୍କ ପ୍ରାର୍ଥନା ଅନୁସାରେ, ବ୍ରହ୍ମା ଶତଶତ ସ୍ୱର୍ଣ୍ଣହଂସଙ୍କ ଦ୍ୱାରା ବାହିତ ବିମାନରେ ମର୍ତ୍ତ୍ୟଲୋକକୁ ଆସିଲେ। ସେତେବେଳକୁ ନବନିର୍ମିତ ପ୍ରାସାଦର ସମ୍ମୁଖ ଭାଗରେ ତିନି ଦେବରଥରେ ଶ୍ରୀବିଗ୍ରହମାନେ ବିରାଜମାନ ଥିଲେ। ବ୍ରହ୍ମା ତାହା ଦେଖି ଆନନ୍ଦିତ ହେଲେ ଏବଂ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ରଥ ନିକଟକୁ ଯାଇ, ରଥକୁ ତିନିବାର ପ୍ରଦକ୍ଷିଣ କରି, ତାଙ୍କୁ ପ୍ରଣାମ ଓ ସ୍ତୁତି କଲେ।
‘ସ୍କନ୍ଦପୁରାଣ’ ଅନୁସାରେ, ତାହାପରେ ବ୍ରହ୍ମା ଅନନ୍ତରୂପେ ଧରାକୁ ଧାରଣ କରିଥିବା ହଳଲାଙ୍ଗଳଧାରୀ ଶ୍ରୀବଳଭଦ୍ରଙ୍କ ଦର୍ଶନ ନିମନ୍ତେ ତାଙ୍କ ରଥ ନିକଟକୁ ଗମନ କଲେ। ପରମ ଭକ୍ତି ସହକାରେ ଶ୍ରୀବଳଦେବଙ୍କୁ ପ୍ରଣାମ କରି ସେ ଆନନ୍ଦରେ ସ୍ତବ କରିବାକୁ ଲାଗିଲେ। ସେ କହିଲେ, “ହେ ଦେବେଶ! ନଭୋମଣ୍ଡଳରେ ଆପଣଙ୍କର ମସ୍ତକ। ହେ ପ୍ରଭୋ!
ଜଳରାଶି ଆପଣଙ୍କର ଶରୀର। ଆପଣଙ୍କର ପାଦଦ୍ୱୟ ପୃଥିବୀ, ବହ୍ନି ଆପଣଙ୍କର ମୁଖ, ଅଣଚାଶ ବାୟୁ ଆପଣଙ୍କର ନିଃଶ୍ୱାସ ପ୍ରଶ୍ୱାସ, ଆପଣଙ୍କର ମନ ଚନ୍ଦ୍ରମା, ସୂର୍ଯ୍ୟ ଆପଣଙ୍କର ଦୁଇ ଚକ୍ଷୁ। ଅତଏବ ହେ ପ୍ରଭୋ! ଆପଣଙ୍କୁ ନମସ୍କାର।” ଶ୍ରୀବଳଭଦ୍ରଙ୍କୁ ଆହୁରି ସ୍ତୁତି କରି ବ୍ରହ୍ମା କହିଲେ- “ହେ ନାଥ! ଦିଗସମୂହ ଆପଣଙ୍କର ବାହୁ। ଆପଣ ଚତୁର୍ଦ୍ଦଶ ଭୁବନର ମୂଳସ୍ତମ୍ଭ ଓ ଜ୍ଞାନଦର୍ପଣ ସ୍ୱରୂପ। ହେ ହଳଧର! ଆପଣଙ୍କୁ ନମସ୍କାର। ହେ ଦେବ! ଯେଉଁମାନେ ଆପଣଙ୍କର ଚରଣକମଳକୁ ଆଶ୍ରୟ କରନ୍ତି, ସେମାନଙ୍କର ନିଖିଳ ପାପରାଶିକୁ ଆପଣ ବିଦୂରିତ କରିଥାନ୍ତି। ଆପଣଙ୍କ ମୁଖ, ନୟନ, କର୍ଣ୍ଣ, ପାଦ, ଚକ୍ଷୁ ଓ ବାହୁ ଅନନ୍ତ। ଆପଣଙ୍କୁ ନମସ୍କାର।
ଏହିପରି ଆହୁରି ଅନେକ ସ୍ତୁତି କରି ପରିଶେଷରେ ବ୍ରହ୍ମା ଯାହା କହିଛନ୍ତି, ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ସେ କହିଲେ- “ହେ ପ୍ରଭୋ! ଆପଣ ସମସ୍ତଙ୍କର ସ୍ୱାମୀ, ସ୍ରଷ୍ଟା, ପାଳୟିତା ଓ ସଂହାରକର୍ତ୍ତା। ଆପଣ ସମସ୍ତଙ୍କର ମାତା, ଧାରଣକର୍ତ୍ତା ଓ ମୋ ସମେତ ସମସ୍ତଙ୍କର ମୂଳ କାରଣ। ହେ ଭଗବାନ୍‌! ସମସ୍ତ ବେଦାନ୍ତରେ ଯାହାଙ୍କର ମହିମା ବର୍ଣ୍ଣିତ, ସେହି ନାରାୟଣଙ୍କଠାରୁ ଆପଣ ଭିନ୍ନ ନୁହନ୍ତି। କେବଳ ଅନିର୍ବଚନୀୟ କାରଣ ଯୋଗୁଁ ଆପଣ ପୃଥକ୍ ଭାବରେ ବିରାଜିତ ହୋଇଛନ୍ତି। ଆପଣ ଶଯ୍ୟା, ନାରାୟଣ ଶୟନକର୍ତ୍ତା। ଆପଣ ଛାଦକ, ନାରାୟଣ ଛାଦ୍ୟ। ତତ୍ତ୍ୱତଃ ଯେ ବିଷ୍ଣୁ, ସେ ରାମ; ଯେ ରାମ ସେ କୃଷ୍ଣ। ଉଭୟଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ।”

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :- [email protected]

ସମ୍ବନ୍ଧିତ ଖବର