ସରସ ରସ: ହତାଶାର ଅନ୍ତରାଳେ

ସୁଭାଷ ପଟ୍ଟନାୟକ

ହତାଶା ସେହି ଲୋକମାନଙ୍କର ବିଶେଷତ୍ବ ଯେଉଁମାନେ ସାହସ କରି ଜୀବନର ଅନ୍ଧକାର ସୁଡ଼ଙ୍ଗରେ ପାଦ ଥାପିବାକୁ ଭୟ କରନ୍ତି। ନିକଟରେ ଘଟିଥିବା କେତୋଟି ଘଟଣା, ଯଥା: ଆଇ.ଆଇ.ଟି.ରେ ଛାତ୍ରୀ ଆତ୍ମହତ୍ୟା, ରାଜସ୍ଥାନର କୋଟା ଠାରେ ବାଇଶ ଜଣ ଛାତ୍ରଙ୍କ କ୍ରମାନ୍ବୟରେ ଜୀବନ ବିସର୍ଜନ ଓ ଏହିପରି ଆହୁରି ଅନେକ ଘଟଣା ହତାଶାବୋଧର କିଛି ସଦ୍ୟତମ ଉଦାହରଣ। ହତାଶା ଏକ ଗଭୀର ନକାରାତ୍ମକ ଅନୁଭବ ଯାହା କଠିନ ଆହ୍ବାନକୁ ସାମନା କଲାବେଳେ ବା ଜୀବନର ଚଲାପଥରେ ଅଟକି ଯାଉଥିବାର ଆଶଙ୍କା ହେଲେ ମନରେ ସ୍ବତଃ ଉତ୍ପନ୍ନ ହୁଏ। ଏପରି କୌଣସି ବ୍ୟକ୍ତି ନାହିଁ ଯିଏ ଜୀବନରେ କେବେ ନା କେବେ ହତାଶାର ଶିକାର ନ ହୋଇଛି। ସୁଖ ଓ ସଫଳତାର ଦୁର୍ବାର ଇଚ୍ଛା ରଖୁଥିବା ମନୁଷ୍ୟ ନିୟତିକୁ ସାମନା କରି ନ ପାରିଲେ ହତାଶା ତାକୁ କବଳିତ କରିନିଏ। କିର୍କେଗାର୍ଡ ହତାଶାକୁ ‘ମୃତ୍ୟୁ ପର୍ଯ୍ୟନ୍ତର ଅସୁସ୍ଥତା’ ବା ‘ସିକନେସ୍ ଅନଟୁ ଡେଥ୍’ ଆଖ୍ୟା ଦେଇଛନ୍ତି। ହତାଶାବୋଧର ବ୍ୟାଖ୍ୟା କ’ଣ? ବର୍ତ୍ତମାନର ସ୍ଥିତିକୁ ସ୍ବୀକାର ନକରି ନିଜ ଠାରୁ ଦୂରେଇଯିବାର ପ୍ରକ୍ରିୟା ହେଉଛି ହତାଶା। ହତୋତ୍ସାହିତ ହେବା ଓ ହତାଶାବୋଧ ଏକା କଥା ନୁହେଁ। ଈପ୍‌ସିତ ବସ୍ତୁଟି ପାଇବା ପାଇଁ ଆଶା ଉଜାଗର ଥିବା ପର୍ଯ୍ୟନ୍ତ ତାହାର ଅପ୍ରାପ୍ତିରେ ମନୁଷ୍ୟ ହତୋତ୍ସାହିତ ହୁଏ ସିନା, ଆଶା ଛାଡ଼ି ନଥାଏ। ଆଶା ପରିତ୍ୟାଗ କଲେଯାଇ ହତାଶା ତା’ର କାୟା ମେଲାଏ। ହତାଶ ମଣିଷ ଯେ କେବଳ ଆଶା ହରାଇବସେ ତାହା ନୁହେଁ, ଶୂନ୍ୟ ଆଶାର ଯନ୍ତ୍ରଣା ତା’ ପାଇଁ ଅସହ୍ୟ ହୋଇଥାଏ।

ଭବିଷ୍ୟତର କୌଣସି ସମ୍ଭାବନା ସେ ନିଜ ସାମନାରେ ଦେଖେ ନାହିଁ। ସଂଗ୍ରାମ ପାଇଁ ଜୀବନରେ ଆଉ କିଛି ବାକି ନ ଥିବାର ଅନୁଭବ କରି ଜୀବନଠାରୁ ପଳାୟନ ଚାହେଁ। ଭଗବତ୍ ଗୀତାର ପ୍ରଥମ ଅଧ୍ୟାୟ ବିଷାଦ ଯୋଗରେ ଶ୍ରୀକୃଷ୍ଣ ଏହି ବିଷୟଟିର ବ୍ୟାଖ୍ୟା କରିଛନ୍ତି। ଭଗବାନ ଆମକୁ ଏତେ ଦୁଃଖ ଦିଅନ୍ତିନି ଯାହା ଆମେ ସହ୍ୟ କରିନପାରିବା। ବେଦନା ଅଛି ବୋଲି ତା’ର ଉପଶମ ଆନନ୍ଦ ଦେଉଛି। ଦୁଃଖ ଅଛି ବୋଲି ସୁଖର ମହତ୍ତ୍ବ ଅଛି। ଯୁଦ୍ଧ ହୁଏ ବୋଲି ସମସ୍ତେ ଶାନ୍ତି ଖୋଜନ୍ତି। ଘୃଣାର କାରଣରୁ ପ୍ରେମର ଆବଶ୍ୟକତା ପଡ଼େ। ଠିକ୍ ସେହିପରି ନିରାଶାର କାରଣରୁ ହିଁ ଆମେ ଆଶାକୁ ଏତେ ଗୁରୁତ୍ୱ ଦେଉଛେ। ଜୀବନ ଓ ମୃତ୍ୟୁ ପରି ଆଶା ଓ ନିରାଶା ପରସ୍ପର ସହିତ ସମ୍ବନ୍ଧିତ। ହତାଶାବୋଧର ଅପର ପାର୍ଶ୍ବରୁ ହିଁ ତ ଜୀବନର ଅଙ୍କୁରୋଦ୍‌ଗମ ହୋଇଥାଏ। ଜୀବନର ଚକ୍ର ଗଡ଼ିବା ପାଇଁ ଦୁଇଟି ରାସ୍ତା ଅଛି। ଗୋଟିଏ ଆଶା ଓ ଅନ୍ୟଟି ନିରାଶା। ଆଶାର ରାସ୍ତା ସୁଖପ୍ରଦ ହୋଇପାରେ, ମାତ୍ର ଉଭୟର ଶେଷ ଲକ୍ଷ୍ୟସ୍ଥଳ ଗୋଟିଏ।
ଅନିବାର୍ଯ୍ୟ କଷ୍ଟ ସମୂହରୁ ମୁକ୍ତି ପାଇଁ ଆମ ନିକଟରେ ତ୍ବରିତ ବ୍ୟବସ୍ଥା କିଛି ନାହିଁ। ଜୀବନ ଅଛି ଅର୍ଥ ସୁଖ, ଦୁଃଖ, ଯାତନା ସବୁକିଛି ତା’ ସହିତ ଅଛି। କାର୍ଯ୍ୟରେ ଅସଫଳ, ପ୍ରିୟଜନର ବିୟୋଗ, ଆର୍ଥିକ ଦୁରବସ୍ଥା, ପ୍ରେମରେ ପ୍ରତାରଣା ଓ ଶାରୀରିକ ଅସୁସ୍ଥତା ଆଦି ଚାପଗ୍ରସ୍ତ ଅବସ୍ଥାରେ ମନୁଷ୍ୟ ସେଥିରୁ ମୁକ୍ତିଲାଭର ଆଶା ଯେତେବେଳେ ହରାଇବସେ ହତାଶା ତାକୁ କବଳିତ କରିନିଏ। ପୁନଶ୍ଚ, ସମାଜ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ମନୁଷ୍ୟ ତା’ର ପରିଚୟ, ପ୍ରାଥମିକତା, ସ୍ଥାନ ଓ ସ୍ଥିତିକୁ ସମାଜର ନିୟମ ଆଧାରରେ ପରିଭାଷିତ କରେ ଏବଂ ସମାଜ ହିଁ ତା’ର ସଫଳତା ଓ ବିଫଳତାର ମାଧ୍ୟମ ହୋଇଥାଏ। ସାମାଜିକ ସମ୍ବନ୍ଧ କ୍ଷତିଗ୍ରସ୍ତ ହେଲେ ସେ ନିଜକୁ ପରିବର୍ତ୍ତନ କରିବାକୁ ବାଧ୍ୟ ହୁଏ ଓ ସମାଜଠାରୁ ବିଚ୍ୟୁତ ହୋଇଯିବାର ଡର ମନରେ ତା’ର ହତାଶା ଉତ୍ପନ୍ନ କରିଥାଏ।
ହତାଶା ଠାରୁ ମୁକ୍ତି ପାଇଁ ଦୁଇଟି ମାର୍ଗ ଅଛି। ନାଟକ ‘ମ୍ୟାକବେଥ୍’ର ଚତୁର୍ଥ ଅଙ୍କ ତୃତୀୟ ଦୃଶ୍ୟରେ ଥିବା ମାଲକମ୍‌ଙ୍କ ସଂଳାପ ମନେ ପକାନ୍ତୁ: “ଦୁଃଖକୁ କିଛି ଶବ୍ଦ ଦେଇଦିଅ। ଯେଉଁ ଦୁଃଖ କହିପାରେନି ତାହା ହୃଦୟକୁ ଭାଙ୍ଗିଦିଏ।” ନିଜକୁ ଯେତେ ପ୍ରକାଶ କରିଚାଲିଥିବେ ହତାଶା ଠାରୁ ସେତିକି ମୁକ୍ତି ମିଳୁଥିବ। ଦାର୍ଶନିକ ଡେମୋକ୍ରାଇଟସ୍ ନିରାଶାରୁ ମୁକ୍ତି ପାଇଁ ଏକ ଅଭିନବ ତତ୍ତ୍ବର ଅବତାରଣା କରିଛନ୍ତି, “ହର୍ଷୋତ୍‌ଫୁଲ୍ଲ ନିରାଶା” ବା “ଚିୟରଫୁଲ୍ ଡେସପାୟାର୍।” ଅସ୍ତିତ୍ୱର ସମସ୍ତ ନିରାଶାରୂପୀ ଅନ୍ଧକାରକୁ ହସି ହସି ସ୍ବୀକାର କରିନେଲେ ପ୍ରତ୍ୟେକ ପରିସ୍ଥିତିରେ ଜୀବନର ମଧୁରତା ଆସ୍ବାଦନ କରିହେବ। ସାହସ ରଖନ୍ତୁ, ଆପଣ ଆହତ ଡେଣାରେ ମଧ୍ୟ ଉଡ଼ିବା ଶିଖିପାରିବେ। ନିରାଶା ଆପଣଙ୍କ ଶକ୍ତି ଅପହରଣ କଲେ ମଧ୍ୟ ତାକୁ ଥରେ ବିଶ୍ବାସକୁ ନେଇ ଦେଖନ୍ତୁ, ସିଏ ହିଁ ଆପଣଙ୍କୁ ଶୀର୍ଷତମ ଉଚ୍ଚତାକୁ ଉଡ଼ିଯିବାରେ ସହାୟ ହେବ, କାରଣ ନିରାଶା ମଧ୍ୟରୁ ପୁନର୍ବାର ଆଶାର ଅଙ୍କୁରଟିଏ ଫୁଟି ଉଠିବ।

ପ୍ରତିଟି ଘଟଣା ପଛରେ ଏକ ଶିକ୍ଷା ଅଛି। ସେମିତି ପ୍ରତ୍ୟେକ ଅନୁଭବର ମୂଳରେ ମଧ୍ୟ ଏକ ଶିକ୍ଷା ଅଛି। ପ୍ରତ୍ୟେକ ଅସଫଳତା ସଫଳତାର ଏକ ଏକ ଶିଡ଼ି। ପ୍ରତିଟି ନିରାଶା ସେହିପରି ଆଶା ଓ ବିଶ୍ବାସର ଏକ ଏକ ପରୀକ୍ଷା। ପ୍ରତ୍ୟେକ ଅପ୍ରିୟ ଘଟଣା ଅନ୍ତର୍ନିହିତ ଶକ୍ତିର ଏକ ଏକ ବିଶ୍ଳେଷଣ। ଆଶା ନାହିଁ ବୋଲି ହତାଶାରେ ବୁଡ଼ିନଯାଇ ସମ୍ମୁଖକୁ ଚାହିଁ ଦେଖନ୍ତୁ, ଯାହାକୁ ସୂର୍ଯ୍ୟାସ୍ତ ବୋଲି ଭାବୁଛନ୍ତି, ପ୍ରକୃତରେ ତାହା ପୁନର୍ବାର ସୂର୍ଯ୍ୟୋଦୟ ହେବାର ଏକ ଦୃଢ଼ ପ୍ରତିଶ୍ରୁତି। ଆଶା ଓ ନିରାଶାର ଲୁଚକାଳି ଖେଳକୁ ଜଣେ ଉର୍ଦ୍ଦୁ କବି ଏକ ସୁନ୍ଦର ପଙ୍‌କ୍ତିରେ ଦର୍ଶାଇଛନ୍ତି: “ନା-ଉମିଦ୍ ମୌତ ସେ କହତି ହୈ ଅପନା କାମ୍ କର୍/ ଆଶ୍ କହତି ହୈ, ଠହର୍! ଖତ୍ କା ଜବାବ୍ ଆନେକୋ ହୈ।” ହତାଶା ମୃତ୍ୟୁକୁ କହୁଛି, ଯା, ନିଜ କାମ ଆରମ୍ଭ କର, ଆଶା ପ୍ରତିବାଦ କରୁଛି, ଟିକିଏ ରହିଯା, ଚିଠିର ଉତ୍ତରଟା ଆସିଯାଉ। ମନେ ରଖନ୍ତୁ, ହତାଶା କେବଳ ଏକ ନିର୍ବୋଧର ଶେଷ ନିଷ୍କର୍ଷଣ।
[email protected]

ସମ୍ବନ୍ଧିତ ଖବର