ସତୀଶଙ୍କ ମୃତ୍ୟୁ ସହ ରହିଛି କି ଦାଉଦ ପୁଅର ସମ୍ପର୍କ? ଦୁବାଇରେ ସତୀଶ ଓ ବିକାଶଙ୍କ ସହ କରିଥିଲା ପାର୍ଟି !

ନୂଆଦିଲ୍ଲୀ: ବଲିଉଡର ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ଲୋକପ୍ରିୟତା ସାଉଁଟି ଥିବା ସତୀଶ କୌଶିକଙ୍କର ମାର୍ଚ୍ଚ ୯ ତାରିଖରେ ପରଲୋକ ହୋଇଥିଲା। ପ୍ରଥମେ ତାଙ୍କ ମୃତ୍ୟୁ ହୃଦଘାତ ପାଇଁ ହୋଇଥିବା କୁହାଯାଉଥିବା ବେଳେ ଏବେ ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା କୁହାଯାଉଛି। ସତୀଶଙ୍କ ବ୍ୟବସାୟୀ ବନ୍ଧୁ ବିକାଶ ମାଲୁ ୧୫କୋଟି ନଦେବା ପାଇଁ ତାଙ୍କ ଭୁଲ ଔଷଧ ଦେଇ ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ବିକାଶଙ୍କ ପତ୍ନୀ ସାନବୀ। ସେ ଦିଲ୍ଲୀ ପୁଲିସକୁ ଏନେଇ ଚିଠି ଲେଖି ଜଣାଇଛନ୍ତି।

ଏମଧ୍ୟରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଅଗଷ୍ଟ ୨୩, ୨୦୨୨ରେ ବିକାଶ ମାଲୁଙ୍କ ପୁଅର ଜନ୍ମଦିନ ପାର୍ଟି ଦୁବାଇରେ ହୋଇଥିବା ବେଳେ ସେଠ‌ାକୁ ଆତଙ୍କବାଦୀ ଦାଉଦ ଇବ୍ରାହିମର ପୁଅ ଅନସ ଆସିଥିଲା। ଏକଥା ବିକାଶ ତାଙ୍କୁ କହିଥିଲେ ବୋଲି ସାନବୀ ପୁଲିସକୁ କହିଛନ୍ତି। ଏହି ପାର୍ଟିରେ ସତୀଶ କୌଶିକ ମଧ୍ୟ ଯୋଗ ଦେଇଥିଲେ। ପାର୍ଟି ପୂର୍ବରୁ ୧୫କୋଟି ଟଙ୍କାକୁ ନେଇ ସତୀଶ ଓ ବିକାଶଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ବୋଲି ବିକାଶଙ୍କ ପତ୍ନୀ କହିଛନ୍ତି। ଏବେ ପାର୍ଟିର ଫଟୋ ଭାଇରାଲ ହେଉଥିବା ବେଳେ ସତୀଶଙ୍କ ମୃତ୍ୟୁ ସହ ଦାଉଦ ପୁଅର ସମ୍ପର୍କ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ପୁଲିସ ସାନବୀଙ୍କ ଚିଠି ପାଇବା ପରେ ସବୁ ଦିଗକୁ ନେଇ ତଦନ୍ତ କରୁଥିବା କହିଛି। ସାନବୀଙ୍କ ଚିଠି ସତୀଶଙ୍କ ମୃତ୍ୟୁ ରହସ୍ୟକୁ ଆହୁରି ବଢ଼ାଇଥିବା ବେଳେ ପ୍ରକୃତ ସତ ଖୋଜିବାରେ ଲାଗିପଡ଼ିଛି ପୁଲିସ।

 

ସମ୍ବନ୍ଧିତ ଖବର