୯ ମାସରେ ୧୪୬ ବାଘ ମୃତ; ଗତ ୧୧ ବର୍ଷରେ ଚଳିତ ବର୍ଷର ମୃତ୍ୟୁସଂଖ୍ୟା ସର୍ବାଧିକ: ‘ଏନ୍‌ଟିସିଏ’

ପୁଣେ: ଚଳିତ ବର୍ଷ ଜାନୁଆରି ମାସରୁ ସେପ୍ଟେମ୍ବର ୨୮ ତାରିଖ ମଧ୍ୟରେ ଭାରତ ୧୪୬ଟି ବାଘମୃତ୍ୟୁ ପଞ୍ଜିକୃତ କରିଛି ବୋଲି ‘ନ୍ୟାସ୍‌ନାଲ୍‌ ଟାଇଗର୍‌ କଞ୍ଜର୍‌ଭେସନ୍‌ ଅଥରିଟି’ ତଥ୍ୟାବଳିରୁ ଜଣାପଡ଼ିଛି। ୨୦୧୨ ପରଠାରୁ ଚଳିତ ବର୍ଷର ବାଘ ମୃତ୍ୟୁସଂଖ୍ୟା ସର୍ବାଧିକ ବୋଲି ମଧ୍ୟ ଉକ୍ତ ତଥ୍ୟାବଳି ବା ଡାଟାରେ ଉଲ୍ଲେଖ ଅଛି।

ଚଳିତବର୍ଷ ସର୍ବାଧିକ ବାଘ ମୃତ୍ୟୁ ଘଟିଥିବା ରାଜ୍ୟ ହେଉଛି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର। ମଧ୍ୟପ୍ରଦେଶରେ ୩୪ଟି ବାଘ ମରିଥିବା ବେଳେ ମହାରାଷ୍ଟ୍ରରେ ୩୨ଟି ବାଘ ମରିଛନ୍ତି।

ମୃତ ବାଘଙ୍କ ମଧ୍ୟରୁ ୨୪ଜଣ ହେଉଛନ୍ତି ଶାବକ ବା ଛୁଆ। ସେହିପରି, ଉତ୍ତରାଖଣ୍ଡରେ ୧୭ଟି, ଆସାମରେ ୧୧ଟି, କର୍ଣ୍ଣାଟକରେ ୯ଟି ଓ ରାଜସ୍ଥାନରେ ୫ଟି ବାଘଙ୍କର ମୃତ୍ୟୁ ଘଟିଛି।  ଏହାଛଡ଼ା, ଦେଶରେ ଥିବା ବିଭିନ୍ନ ବ୍ୟାଘ୍ର ସଂରକ୍ଷଣରେ ୭୦ଟି ବାଘ ମରିଥିବା ସୂଚନା ମଧ୍ୟ ଉକ୍ତ ତଥ୍ୟାବଳିରେ ଉଲ୍ଲେଖ କରାଯାଇଛି।

Image Courtesy of One World News

‘ଏନ୍‌ଟିସିଏ’ ତଥ୍ୟାବଳିରେ ଉଲ୍ଲେଖ ଅଛି ଯେ, ଭାରତ ୨୦୨୨ରେ ୧୨୧ଟି, ୨୦୨୧ରେ ୧୨୭ଟି, ୨୦୨୦ରେ ୧୦୬ଟି, ୨୦୧୯ରେ ୯୬ଟି, ୨୦୧୮ରେ ୧୦୧ଟି, ୨୦୧୭ରେ ୧୧୭ଟି, ୨୦୧୬ରେ ୧୨୧ଟି, ୨୦୧୫ରେ ୮୨ଟି, ୨୦୧୪ରେ ୭୮ଟି, ୨୦୧୩ରେ ୬୮ଟି ଓ ୨୦୧୨ରେ ୮୮ଟି ବାଘ ମୃତ୍ୟୁ ରେକର୍ଡ କରିଛି।

ଉପରୋକ୍ତ ବାଘଗୁଡ଼ିକର ମୃତ୍ୟୁ ଉଭୟ ସ୍ବାଭାବିକ ଓ ଅସ୍ବାଭାବିକ କାରଣରୁ ଘଟିଥିବା କଥା ‘ଏନ୍‌ଟିସିଏ’ କହିଛି। ଅସ୍ବାଭାବିକ ମୃତ୍ୟୁର କାରଣ ଦୁର୍ଘଟଣା, ବାଘ-ବାଘ ଲଢ଼େଇ ଓ ବାଘ ଶିକାର ବୋଲି ‘ଏନ୍‌ଟିସିଏ’ ତଥ୍ୟାବଳୀରେ ଉଲ୍ଲେଖ କରାଯାଇଛି।

କର୍ଣ୍ଣାଟକ ‘ଷ୍ଟେଟ୍‌ ବୋର୍ଡ ଫର୍‌ ୱାଇଲ୍‌ଡ୍‌ ଲାଇଫ୍‌‘ର ପୂର୍ବତନ ସଦସ୍ୟ ତଥା ‘ୟୁନାଇଟେଡ୍‌ କଞ୍ଜର୍‌ଭେସନ୍‌ ମୋଭ୍‌ମେଣ୍ଟ୍‌’ର ଟ୍ରଷ୍ଟି୍ର ଜୋସେଫ୍‌ ହୁଭର୍‌ କହିଛନ୍ତି, ଚଳିତ ବର୍ଷ ବାଘ ଶିକାର ବୃଦ୍ଧି ପାଇଥିବା ଜଣାପଡ଼ିଛି। ଛାଲ ଓ ପଞ୍ଝା ପାଇଁ ବାଘମାନଙ୍କୁ ବିଷ ଦେଇ ମରାଯାଉଥିବା କଥା ପୁଲିସ ରିପୋର୍ଟରୁ ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର