୩୫ରେ ପହଞ୍ଚିଲା ରାଜକୋଟ ଗେମିଂ ଜୋନ ଅଗ୍ନିକାଣ୍ଡ ମୃତ୍ୟୁସଂଖ୍ୟା

ରାଜକୋଟ: ଗୁଜରାଟର ରାଜକୋଟସ୍ଥିତ ଟିଆରପି ସପିଂ ମଲ୍ ଭିତରେ ଥିବା ଏକ ଗେମିଂ ଜୋନରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଜନିତ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ଶିଶୁ ମଧ୍ୟ ଅଛନ୍ତି। ଗୁଜରାଟ ହାଇକୋର୍ଟ ଏହି ଭୟାନକ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ମାମଲାକୁ ନିଜଆଡୁ ଗ୍ରହଣ କରିଛନ୍ତି। ଅଦାଲତ କହିଛନ୍ତି ଯେ ପ୍ରାଥମିକ ଦୃଷ୍ଟିରୁ ଏହା ଏକ ‘ମନୁଷ୍ୟକୃତ ବିପର୍ଯ୍ୟୟ’ ବୋଲି ଜଣାପଡ଼ୁଛି। ଏହି ମାମଲାରେ ହୋଇଥିବା ତ୍ରୁଟି ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୋମବାର ସ୍ୱତନ୍ତ୍ର ବିଚାରପତିଙ୍କ ଖଣ୍ଡପୀଠ ଗୁଜରାଟ ହାଇକୋର୍ଟରେ ବସି ଜବାବ ମାଗିବେ।

ଏହି ଘଟଣାରେ ଏତେ ସଂଖ୍ୟକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଦିନରେ କେମିତି ଏତେ ସଂଖ୍ୟକ ଲୋକ ନିଆଁରେ ଫସି ପ୍ରାଣ ହରାଇଲେ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ସୂଚନା ଅନୁଯାୟୀ, ଶନିବାର ଏହି ଗେମିଂ ଜୋନରେ ୯୯ ଟଙ୍କାର ୱିକେଣ୍ଡ ସ୍କିମ୍ ଆରମ୍ଭ ହୋଇଥିଲା। ଏହି ଯୋଜନା ଯୋଗୁଁ ଗେମ୍ ଜୋନ୍ ରେ ବହୁ ସଂଖ୍ୟକ ପିଲାଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ। ତେବେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ମାତ୍ର ୬ରୁ ୭ ଫୁଟର ଗୋଟିଏ ଗେଟ୍ ଥିଲା। କୁହାଯାଉଛି ଯେ ଗେମିଂ ଜୋନରେ ଅଗ୍ନି ଏନଓସି କିମ୍ବା ନିରାପତ୍ତା ବ୍ୟବସ୍ଥା ନଥିଲା ।ଏଭଳି ପରିସ୍ଥିତିରେ ନିଆଁ ଲାଗିବା ପରେ ଅନେକ ଲୋକ ସମୟ ବାହାରକୁ ବାହାରି ପାରିନଥିଲେ ଏବଂ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ସମ୍ବନ୍ଧିତ ଖବର