ବିସ୍ଫୋରଣରେ ଥରିଲା ଇସ୍ତାନବୁଲ: ୬ ମୃତ, ୮୧ ଗୁରୁତର

ଇସ୍ତାନବୁଲ: ବୋମା ବିସ୍ଫୋରଣରେ ରବିବାର ତୁର୍କିର ଇସ୍ତାନବୁଲ ସହରର ଟାକସିମ ଅଞ୍ଚଳ ଥରି ଉଠିଛି। ଟାକସିମ ଅଞ୍ଚଳର ଇସ୍ତିକଲାଲ ଷ୍ଟ୍ରିଟରେ ଏହି ଘଟଣା ଘଟିଛି। ଏହି ବିସ୍ଫୋରଣରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮୧ ଜଣ ଗୁରୁତର ହୋଇଥିବା ସେଠାକାର ପ୍ରଶାସନିକ ଅଧିକାରୀଙ୍କଠାରୁ ସୂଚନା ମିଳିଥିବା ଭାରତୀୟ ଜାତୀୟ ଗଣ ମାଧ୍ୟମ ଇଣ୍ଡିଆ ଟୁଡେ ପ୍ରକାଶ କରିଛି। ଇସ୍ତାନବୁଲ ରାଜ୍ୟପାଳ ଆଲି ୟେରିଲକାୟା ଟୁଇଟ କରି ଏହା କହିଥିବା ଉକ୍ତ ଖବରରେ ଉଲ୍ଲେଖ ରହିଛି। ତେବେ ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ଆମ୍ବୁଲାନ୍ସ ଓ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାର ଏକ ଭିଡିଓ ସେଠାକାର ଗଣମାଧ୍ୟମ ଦ୍ବାରା ଭାଇରାଲ ହେବାରେ ଲାଗିଛି।

ରବିବାର ଭାରତୀୟ ସମୟ ଅପରାହ୍ନ ପ୍ରାୟ ୪.୨୦ ହେବ। ଇସ୍ତାନବୁଲ ସହରର ଇସ୍ତିକଲାଲ ଷ୍ଟ୍ରିଟରେ ଭିଡ ଲାଗି ରହିଥିଲା। ଲୋକେମାନେ କିଛି ନବୁଝୁଣୁ ହଠାତ ବିସ୍ଫୋରଣ ହୋଇଥିଲା। ଲୋକେ ଚିତ୍କାର କରି ଏଣେତେଣେ ଦୌଡିବାରେ ଲାଗିଥିଲେ। ଘଟଣା ଜଣାପଡିବା ପରେ ସେଠାକାର ପ୍ରଶାସନ ପକ୍ଷରୁ ଘଟଣାସ୍ଥଳକୁ ପୁଲିସ, ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ, ଅଗ୍ନିଶମ ବିଭାଗ ଓ ଏଏଫଏଡି ଟିମ ପଠାଇ ମୃତ ଓ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇଥିଲା।। ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ରାଜ୍ୟପାଳ ୟେରିଲକାୟା କହିଛନ୍ତି। ଉକ୍ତ ଘଟଣାରେ ଭାରତୀୟ ବହିଃବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ ଜରିଆରେ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଗୁରୁତରମାନେ ଶୀଘ୍ର ସୁସ୍ଥ ହେବା ନେଇ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର