୯.୬ କୋଟି ଭାରତୀୟଙ୍କ ପାଖରେ ରହିଛି ପାସପୋର୍ଟ, କେରଳରେ ସବୁଠୁ ଅଧିକ

ବେଙ୍ଗାଲୁରୁ : ଦେଶରେ ୯.୬ କୋଟି ଲୋକଙ୍କ ପାଖରେ ପାସପୋର୍ଟ ରହିଛି। ଦେଶର ମୋଟ ଜନସଂଖ୍ୟାକୁ ଦେଖିଲେ ପାସପୋର୍ଟଧାରୀଙ୍କ ସଂଖ୍ୟା ୭.୨ ପ୍ରତିଶତ। ତେବେ ଅଧିକାଂଶ ବ୍ୟକ୍ତି ଗତ ଦଶନ୍ଧିରେ ହିଁ ପାସପୋର୍ଟ ହାସଲ କରିଛନ୍ତି।

ଚଳିତମାସ ମଧ୍ୟଭାଗ ସୁଦ୍ଧା ୯.୬ କୋଟି ଭାରତୀୟଙ୍କ ନିକଟରେ ପାସପୋର୍ଟ ଥିବାରୁ ଆସନ୍ତା କିଛିମାସ ମଧ୍ୟରେ ଏହି ସଂଖ୍ୟା ୧୦ କୋଟି ଟପିବା ଆଶା ରହିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ୨.୨ କୋଟିରୁ ଅଧକ ପାସପୋର୍ଟ ବା ମୋଟ ପାସପୋର୍ଟର ୨୩ ପ୍ରତିଶତ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ କର୍ଣ୍ଣାଟକ ଆଦି ଭଳି ରାଜ୍ୟରେ ପ୍ରଦାନ କରାଯାଇଛି। ପୂର୍ବରୁ ପାସପୋର୍ଟ ହାସଲ କରିବା କଷ୍ଟସାଧ୍ୟ ଥିଲା। କିନ୍ତୁ ପର୍ଯ୍ୟାୟକ୍ରମେ ଏହାକୁ ସରଳ କରାଯାଇଛି। ୨୦୧୫ ମସିହାରେ ଜଣେ ବ୍ୟକ୍ତିଙ୍କୁ ପାସପୋର୍ଟ ପାଇବା ଲାଗି ହାରାହାରି ୨୧ ଦିନ ସମୟ ଲାଗୁଥିବାବେଳେ ୨୦୨୨ରେ ଏହା ୬ ଦିନକୁ ହ୍ରାସ ପାଇଛି।

ଏଥିସହିତ ୨୦୧୫ରୁ ୨୦୨୨ ମଧ୍ୟରେ ଦେଶରେ ୩୬୮ଟି ପାସପୋର୍ଟ ସେବା କେନ୍ଦ୍ର ଖୋଲାଯାଇଛି। ୨୦୧୪ରେ ଦେଶରେ ୧୫୩ଟି ପାସପୋର୍ଟ ସେବା କେନ୍ଦ୍ର ଥିବାବେଳେ ୨୦୨୨ ବେଳକୁ ଏଥିରେ ୩୪୦ ପ୍ରତିଶତ ବୃଦ୍ଧି ଘଟିଛି। ବିଦେଶରେ ଭାରତର ରହିଥିବା ୧୪୦ରୁ ଅଧିକ ଦୂତାବାସ କାର୍ଯ୍ୟାଳୟରେ ମଧ୍ୟ ପାସପୋର୍ଟ ପ୍ରଦାନ କରାଯାଉଛି। ୨୦୧୪ ମସିହା ଠାରୁ ବସ୍ତୁତଃ ପ୍ରତି ୧୦ଟି ‌ପାସପୋର୍ଟ ମଧ୍ୟରୁ ଗୋଟିଏ ପାସପୋର୍ଟ ବିଦେଶରେ ଥିବା ଭାରତୀୟ ଦୂତାବାସ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଛି।

‌ଭାରତରେ ଲୋକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ସହିତ କଟକଣା କୋହଳ ହେବା ଏବଂ ଶିକ୍ଷା ଓ ନିଯୁକ୍ତି ସୁଯୋଗ ବିଦେଶରେ ଅଧିକ ମାତ୍ରାରେ ମିଳିବା କାରଣରୁ ଅଧିକରୁ ଅଧିକ ଲୋକ ପାସପୋର୍ଟ ଆବଶ୍ୟକ କରୁଛନ୍ତି। ୨୦୨୨ ମସିହାରେ ଡିସେମ୍ବର ୧୨ ତାରିଖ ସୁଦ୍ଧା ୧.୧ କୋଟିରୁ ଅଧିକ ପାସପୋର୍ଟ ଜାରି କରାଯାଇଛି। ଏଥିରେ ବିଦେଶରେ ଥିବା ଭାରତୀୟ ଦୂତାବାସ କାର୍ଯ୍ୟାଳୟ ୧୦.୫ ପ୍ରତିଶତ ପାସପୋର୍ଟ ଜାରି କରିଛନ୍ତି। କରୋନା ବର୍ଷ ୨୦୨୦ ଏବଂ ୨୦୨୧ରେ ଜାରି ହୋଇଥିବା ପାସପୋର୍ଟ ତୁଳନାରେ ଏହା ଯଥାକ୍ରମେ ୮୧.୫ ପ୍ରତିଶତ ଏବଂ ୩୬ ପ୍ରତିଶତ ଅଧିକ।

କେବଳ କେରଳ ଏବଂ ମହାରାଷ୍ଟ୍ରରେ ପାସପୋର୍ଟଧାରୀଙ୍କ ସଂଖ୍ୟା ‌୧ କୋଟି ଲେଖାଏଁରୁ ଅଧିକ ରହିଛି। ତାମିଲନାଡ଼ୁରେ ପାଖାପାଖି ୯୭ ଲକ୍ଷ ଲୋକଙ୍କ ନିକଟରେ ପାସପୋର୍ଟ ଅଛି। ମହାରାଷ୍ଟ୍ର ଏବଂ ତାମିଲନାଡ଼ୁର ଲୋକସଂଖ୍ୟା ଅଧିକ ହୋଇଥିଲେ ମଧ୍ୟ କେରଳରେ ସବୁଠୁ ଅଧିକ ପାସପୋର୍ଟଧାରୀ ରହିଛନ୍ତି। ସେହିଭଳି ତାମିଲନାଡ଼ୁ ତୁଳନାରେ ଉତ୍ତର ପ୍ରଦେଶର ଜନସଂଖ୍ୟା ଦୁଇଗୁଣାରୁ ଅଧିକ ହୋଇଥିଲେ ମଧ୍ୟ ସେଠାରେ ପାସପୋର୍ଟଧାରୀଙ୍କ ସଂଖ୍ୟା ୮୭.୯ ଲକ୍ଷ ରହିଛି। ପଞ୍ଜାବରେ ୭୭ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ପାସପୋର୍ଟ ଅଛି। ସେହିଭଳି ଗୁଜରାଟରେ ୬୭.୬ ଲକ୍ଷ, କର୍ଣ୍ଣାଟକରେ ୬୬.୩ ଲକ୍ଷ ପାସପୋର୍ଟ ରହିଛି। ଉକ୍ତ ୭ଟି ରାଜ୍ୟରେ ଦେଶର ମୋଟ ପାସପୋର୍ଟଧାରୀଙ୍କ ମଧ୍ୟରୁ ପାଖାପାଖି ଦୁଇ ତୃତୀୟାଂଶ ‌ପାସପୋର୍ଟଧାରୀ (୬.୧ କୋଟିରୁ ଅଧିକ) ରହିଛନ୍ତି। ଅନ୍ୟପକ୍ଷରେ ଆଣ୍ଡମାନ ନିକୋବର ଦ୍ବୀପରେ ପାସପୋର୍ଟଧାରୀଙ୍କ ସଂଖ୍ୟା ସବୁଠୁ କମ୍‌ ଅର୍ଥାତ ୪୩୧୬ ରହିଥିବା‌ ଜଣାଯାଇଛି।

ସମ୍ବନ୍ଧିତ ଖବର